ବେଙ୍ଗାଲୁରୁ ଟେଷ୍ଟରେ ମଧ୍ୟ ହାରିଲା ଶ୍ରୀଲଙ୍କା : ୨-୦ରେ ଶୃଙ୍ଖଳା ପୋଛିଲା ଭାରତ

ଦିବାରାତ୍ର ଟେଷ୍ଟମ୍ୟାଚ୍‌: ଶ୍ରେୟାସ ମ୍ୟାଚ୍‌ର; ପନ୍ତ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

ବେଙ୍ଗାଲୁରୁ : ଉତ୍ତର ଭାରତ ହେଉ ବା ଦକ୍ଷିଣ ଭାରତ; ବଲ୍‌ର ରଙ୍ଗ ଲାଲ୍‌ ହେଉ ବା ଗୋଲାପି; ଦିନରେ ଖେଳ ହେଉ ବା ଫ୍ଲଡ୍‌ଲାଇଟ୍‌ରେ; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଏହାର ପ୍ରଭାବ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ଉପରେ ପଡ଼ିନାହିଁ। ଆଶା ଅନୁସାରେ ଭାରତ ଏହି ୨ ମ୍ୟାଚ୍‌ର ଶୃଙ୍ଖଳାକୁ ୨-୦ରେ ପୋଛିବାରେ ସଫଳ ହୋଇଛି । ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ହାସଲ କରିଥିବା ଭାରତୀୟ ଦଳ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ୨ୟ ଟେଷ୍ଟମ୍ୟାଚ୍‌ ଜିତିବ ବୋଲି ପ୍ରାୟ ସମସ୍ତେ ଜାଣିଥିଲେ। କାରଣ ଭାରତୀୟ କମାଣର ପ୍ରତିରୋଧ କରିବାର ଦକ୍ଷତା ଶ୍ରୀଲଙ୍କା ପାଖରେ ନଥିଲା। ଦିବାରାତ୍ର ଓ ଗୋଲାପି ବଲ୍‌ ଟେଷ୍ଟମ୍ୟାଚ୍‌ର ୩ୟ ଦିନରେ ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେ ଜଣେ ଲଢ଼ୁଆ ସୈନିକ ଭାବେ ୧୭୪ଟି ବଲ୍‌ର ପ୍ରତିରୋଧ କରିଥିଲେ। ଏହି କ୍ରମରେ ବାମହାତି କରୁଣାରତ୍ନେ ୧୪ଶ ଟେଷ୍ଟ ଶତକ ମଧ୍ୟ ପୂରଣ କରିଥିଲେ। ହେଲେ ଯଶପ୍ରୀତ୍ ବୁମ୍‌ରାଙ୍କ ଏକ ମାରାତ୍ମକ ବଲ୍‌ କରୁଣାରତ୍ନେଙ୍କ ଡିଫେନ୍‌ସ ଭେଦ କରିଥିଲା ଏବଂ ଶ୍ରୀଲଙ୍କାର ପ୍ରତିରୋଧ ସମାପ୍ତ ହୋଇ ଯାଇଥିଲା। ରବିଚନ୍ଦ୍ରନ ଅଶ୍ବିନ ଓ ଯଶପ୍ରୀତ ବୁମ୍‌ରା ମିଳିତ ଭା‌େବ ୭ଟି ୱିକେଟ ନେବାରୁ ୪୪୭ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ସୋମବାର ୩ୟ ଦିନର ୨ୟ ଅଧିବେଶନରେ ୨ୟ ଇନିଂସରେ ୨୦୮ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚ୍‌କୁ ୨୩୮ ରନ୍‌ର ବିପୁଳ ବ୍ୟବଧାନରେ ଜିତିବା ସହ ଶୃଙ୍ଖଳାର ଫଳାଫଳ ନିଜ ସପକ୍ଷରେ ୨-୦ କରିଥିଲା।
ଆଶା ଅନୁସାରେ ଆଇସିସି ଟେଷ୍ଟ ମାନ୍ୟତାରେ ୭ମ ସ୍ଥାନରେ ଥିବା ଶ୍ରୀଲଙ୍କା ବିପକ୍ଷରେ ୨ନଂ ଦଳ ଭାରତ ଶୃଙ୍ଖଳା ଜିତିବା ପାଇଁ ବଡ଼ ଦାବିଦାର ଥିଲା। ହେଲେ ଉଭୟ ମ୍ୟାଚ୍‌କୁ ଭାରତ ୩ ଦିନ ମଧ୍ୟରେ ପୁଣି ବିପୁଳ ବ୍ୟବଧାନରେ ଜିତି ତା’ର ପରାକାଷ୍ଠା ପ୍ରମାଣ କରିଛି। ପୁଣି ରୋହିତ ଶର୍ମା ଭାରତର ପୂର୍ଣ୍ଣକାଳୀନ ଟେଷ୍ଟ ଅଧିନାୟକ ନିଯୁକ୍ତ ହେବା ପରେ ଦଳ ୨-୦ରେ ଶୃଙ୍ଖଳା ଜିତିପାରିଛି। ୨ୟ ଇନିଂସରେ ୪୪୭ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ଶ୍ରୀଲଙ୍କା ୨ୟ ଦିନ ଶେଷରେ ୨ୟ ଇନିଂସରେ ୨୮ ରନ୍‌କରି ଗୋଟିଏ ୱିକେଟ ହରାଇଥିଲା। ୩ୟ ଦିନ ଆରମ୍ଭରେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଅଧିନାୟକ ଦିମୁଥ୍ କରୁଣାରତ୍ନେ ଓ କୁଶଳ ମେଣ୍ଡିସ୍‌ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଦଳର ସାଥୀ ବ୍ୟାଟ୍‌ସମ୍ୟାନଙ୍କୁ ଦେଖାଇଥିଲେ ଯେ ଏହି ପିଚ୍‌ରେ ବଡ଼ ସ୍କୋର୍‌କରିବା ସେତେ କଷ୍ଟକର ନୁହେଁ। କରୁଣାରତ୍ନେ ଓ ମେଣ୍ଡିସ୍ ୨ୟ ୱିକେଟ ପାଇଁ ୧୯ ଓଭର କ୍ରିଜ୍‌ରେ ରହି ଓଭର ପିଛା ୫ରୁ ଅଧିକ ରନ୍ ହାରରେ ୯୭ ରନ୍‌ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ ପରେ ରବିଚନ୍ଦ୍ରନ ଅଶ୍ବିନଙ୍କ ଏକ ସିଧା ବଲ୍‌ରେ ପରାସ୍ତହୋଇ ମେଣ୍ଡିସ୍‌ ଷ୍ଟମ୍ପ୍‌ଡ ହୋଇଥିଲେ। ମେଣ୍ଡିସ୍ ୬୦ ବଲ୍‌ରୁ ୮ଟି ଚୌକା ସହ ୫୪ ରନ୍‌ କରିଥିଲେ। ଏହାସହ ୮ ରନ୍‌ରେ ଶ୍ରୀଲଙ୍କା ୩ଟି ୱିକେଟ ହରାଇଥିଲା। ଆଞ୍ଜେଲୋ ମାଥ୍ୟୁସ୍‌ ୧ ଓ ଧନଞ୍ଜୟ ଡି ସିଲ୍‌ଭା ୪ ରନ୍‌କରି ବିଦାୟ ନେଇଥିଲେ। ନିରୋଶନ ଡିକ୍‌ୱେଲାଙ୍କ ସହ କରୁଣାରତ୍ନେ ୫୫ ରନ୍‌ ଯୋଡ଼ିଥିଲେ। ବାମହାତି ଡିକ୍‌ୱେଲା ୧୨ ରନ୍‌କରି ଆଉଟ ହୋଇଥିଲେ। ପରେ କରୁଣାରତ୍ନେ ଶତକ ପୂରଣ କରିବା ସହ ଦଳର ସ୍କୋର୍‌କୁ ୨୦୦ ରନ୍‌ ପାର କରାଇଥିଲେ। ଦିମୁଥ୍ କରୁଣାରତ୍ନେ ୧୭୪ ବଲ୍‌ରୁ ୧୫ଟି ଚୌକା ସହ ୧୦୭ ରନ୍‌କରି ୭ମ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇଥିଲେ। କରୁଣାରତ୍ନେ ତାଙ୍କ ଫର୍ମର ପ୍ରମାଣ ଦେଇ ଶତକ ହାସଲ କରିବା ସହ ୨୦୧୮ ପରଠାରୁ ବିଶ୍ବରେ ଟେଷ୍ଟମ୍ୟାଚ୍‌ରେ ସର୍ବାଧିକ ରନ୍‌ (୨୪୪୮) ସ୍କୋରର ହେବାର କୃତିତ୍ବ ଅର୍ଜନ କରିଛନ୍ତି। କରୁଣାରତ୍ନେ ଆଉଟ ହେବା ସହ ଶ୍ରୀଲଙ୍କା ଶେଷ ୪ଟି ୱିକେଟ ୪ ରନ୍‌ରେ ହରାଇଥିଲା। ରବିଚନ୍ଦ୍ରନ ଅଶ୍ବିନ ୪ଟି, ଯଶପ୍ରୀତ ବୁମ୍‌ରା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ। ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେୟାସ ଆୟର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ଉଭୟ ମ୍ୟାଚ୍‌ରେ ମୋଟ ୧୮୫ ରନ୍‌ କରିଥିବା ଋଷଭ ପନ୍ତ୍ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ।

Comments are closed.