bjd gruha runa

ଋତୁରାଜଙ୍କ ରାଜୁତି ; ଭାରତ ଟି-୨୦ ଶୃଙ୍ଖଳା ଜିତିଲା

BJD Bijuli 480×75 Mob

ଡବ୍‌ଲିନ୍‌: ଘରୋଇ ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଛି ଭାରତୀୟ ଦଳ। ରବିବାର ଏଠାରେ ୨ୟ ​ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଆୟରଲାଣ୍ଡକୁ ସହଜରେ ୩୩ ରନ୍‌ରେ ଭାରତ ପରାସ୍ତ କରିଛି । ଫଳରେ କ୍ରମାଗତ ୨ୟ ମ୍ୟାଚ୍‌ ଜିତି ଭାରତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳା ହାତେଇ ନେଇଛି । ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ସଞ୍ଜୁ ସାମ୍‌ସନ ଓ ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୫ ୱିକେଟରେ ୧୮୫ ରନ୍‌ କରି ପାରିଥିଲା । ପରେ ଓପ୍‌ନର ଆଣ୍ଡି ବାଲ୍‌ବର୍ନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ଆୟରଲାଣ୍ଡ ୮ ୱିକେଟ ହରାଇ ୧୫୨ ରନ୍‌ କରି ପାରିଥିଲା। ବୁଧବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ।
୧୮୬ ରନ୍‌ ଲକ୍ଷ୍ୟରେ ଆୟରଲାଣ୍ଡ ଓପ୍‌ନିଂ ଯୋଡ଼ିରେ ୧୯ ରନ୍‌ କରିବା ପରେ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ପ୍ରଥମ ଓଭରରେ ୨ଟି ୱିକେଟ୍‌ ନେଇ ଯାଇଥିଲେ। ଅଧିନାୟକ ପଲ୍‌ ଷ୍ଟର୍ଲିଂ ଓ ଲୋର୍କାନ୍ ଟକର ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ପରେ ହ୍ୟାରି ଟେକ୍ଟର ୭ ରନ୍‌କରି ବିଦାୟ ନେଇଥିଲେ। ୨୮ ରନ୍‌ରେ ୩ ୱିକେଟ ପଡ଼ିବା ପରେ ଆଣ୍ଡି ବାଲ୍‌ବର୍ନି ଓ କର୍ଟିସ କାମ୍ଫର ୩୫ ରନ୍‌ ଯୋଡ଼ିଥିଲେ। କାମ୍ଫର ୧୭ ବଲ୍‌ରୁ ଗୋଟିଏ ଛକା ସହ ୧୮ ରନ୍‌କରି ଆଉଟ୍‌ ହୋଇଥିଲେ। ବାଲ୍‌ବର୍ନି ଲଢ଼ୁଆ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଜର୍ଜ ଡକ୍ରେଲ୍‌ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ୧୬ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ଆଣ୍ଡି ବାଲ୍‌ବର୍ନି ଚମତ୍କାର ବ୍ୟାଟିଂକରି ୫୨ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୭୧ ରନ୍‌କରି ଆଉଟ୍‌ ହେବା ସହ ଆୟରଲାଣ୍ଡର ପରାଜୟ ନିଶ୍ଚିତ ହୋଇଥିଲା। ମାର୍କ ଆଡାୟର ୧୫ ବଲ୍‌ରୁ ୩ଟି ଛକା ସହ ୨୩ ରନ୍‌ କରିଥିଲେ। ଅଧିନାୟକ ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଆୟରଲାଣ୍ଡ ଟସ୍ ଜିିତି ଫିଲ୍‌ଡିଂ ନେବା ପରେ ମାତ୍ର ୨୨ ବଲ୍‌ରୁ ଭାରତ ୨୯ ରନ୍‌ର ଭାଗିଦାରୀ କରିଥିଲା। ଯଶସ୍ବୀ ଜୟସୱାଲ ସର୍ଟ ବଲ୍‌କୁ ଛକାମାରିବା ପ୍ରୟାସରେ ବାଉଣ୍ଡରୀ ଲାଇନ୍‌ରେ କ୍ୟାଚ୍‌ ଦେଇଥିଲେ। ଯଶସ୍ବୀ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ୩ଟି ବଲ୍‌ ପରେ ଅନୁରୂପ ଢଙ୍ଗରେ ତିଳକ ବର୍ମା ଆଉଟ୍‌ ହୋଇ ଯାଇଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ବିଫଳ ହୋଇଥିବା ତିଳକ ବର୍ମା ୧ ରନ୍‌ କରିଥିଲେ। ୨୫ ବଲ୍‌ରେ ୩୪ ରନ୍‌ ସ୍କୋର୍‌ରେ ଭାରତ ୨ଟି ୱିକେଟ ହରାଇବା ପରେ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଓ ସଞ୍ଜୁ ସାମ୍‌ସନ ପ୍ରତ୍ୟାକ୍ରମଣ କରିଥିଲେ। ଭାରତ ୬ ଓଭର ପାୱରପ୍ଲେରେ ୪୭ ରନ୍‌ କରିଥିଲା। ୧୦ ଓଭରରେ ଭାରତ ୮୧ ରନ କରିଥିବା ବେଳେ ପରବର୍ତ୍ତୀ ୫ ଓଭରରୁ ୪୮ ରନ୍‌ ହୋଇଥିଲା। ଋତୁରାଜ ଗାଏକ୍‌ୱାଡ୍‌ ଓ ସଞ୍ଜୁ ସାମ୍‌ସନ ୩ୟ ୱିକେଟ୍‌ ପାଇଁ ୪୯ ବଲ୍‌ରୁ ୭୧ ରନ୍‌ ଯୋଡ଼ିଥିଲେ। ସଞ୍ଜୁ ଆକ୍ରମଣ କରି ମାତ୍ର ୨୬ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୦ ରନ୍‌ କରିଥିଲେ। ୧୬ଶ ଓଭରରେ ଆଉଟ୍‌ ହୋଇଥିବା ଋତୁରାଜ ଗାଏକ୍‌ୱାଡ୍‌ ୪୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୮ ରନ୍‌ କରିଥିଲେ। ୧୫ ଓଭରରେ ଭାରତ ୧୨୯ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୩ ଓଭରରୁ ମାତ୍ର ୧୪ ରନ୍‌ ହୋଇଥିଲା। ହେଲେ ରିଙ୍କୁ ସିଂହ ଓ ଶିବମ୍ ଦୁବେ ଆକ୍ରମଣ କରିବାରୁ ଭାରତ ଶେଷ ୨ ଓଭରରୁ ୪୨ ରନ୍‌ ନେଇ ପାରିଥିଲା। ଜୀବନର ୨ୟ ଆନ୍ତର୍ଜାତିକ ମ୍ୟାଚ୍‌ରେ ରିଙ୍କୁ ସିଂହ ୨୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୮ ରନ୍‌ କରିଥିଲେ। ଶିବମ୍ ଦୁବେ ୧୬ ବଲ୍‌ରୁ ୨ଟି ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ। ବ୍ୟାରି ମ୍ୟାକ୍‌କାର୍ଥି ୨ଟି ୱିକେଟ ନେଇଥିଲେ।

Comments are closed.