ଗୁରୁଡ଼ିଝାଟିଆ: ବିଲୁପ୍ତପ୍ରାୟ ଇଣ୍ଡିଆନ ସ୍କିମର(ପାଣିଚିରି)ଙ୍କ କୋଳାହଳରେ ଉଛୁଳି ପଡୁଛି ମହାନଦୀ ବାଲୁକାଶଯ୍ୟା। ପ୍ରାୟ ୩ଶହ ପାଣିଚିରି ଆସ୍ଥାନ ଜମାଇଛନ୍ତି କଖଡି ନିକଟସ୍ଥ ମହାନଦୀ ମଧ୍ୟସ୍ଥ ବାଲୁକା ଶଯ୍ୟାରେ। ଫେବୃଆରୀ ମାସରୁ ଅଣ୍ଡା ଦେବା ପାଇଁ ପାଣିଚିରି ସୁଦୂର ଦକ୍ଷିଣ ଏସିଆରୁ ଆସିଥାନ୍ତି। ମେ’ ମାସ ପର୍ଯ୍ୟନ୍ତ ରହିବା ପରେ ଛୁଆ ଫୁଟାଇ ଜୁନ ପ୍ରଥମ ସପ୍ତାହରେ ପୁଣି ଫେରିଯାଆନ୍ତି। ବର୍ତ୍ତମାନ ପାଣିଚିରି ଦେଇଥିବା ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହେଲାଣି। ପାଣିଚିରି ଶାବକମାନଙ୍କ ଚିଁଚିଁ ଶବ୍ଦରେ ବୋବାଇବାରେ ଲାଗିଛନ୍ତି। ଚଳିତବର୍ଷ ମହାନଦୀର ଜଳସ୍ତର ସଠିକ୍ ରହିଥିବା ବେଳେ ବାତ୍ୟାର ପ୍ରଭାବ ଦେଖାଦେଇନଥିବାରୁ ଅଣ୍ଡାରୁ ଛୁଆ ଫୁଟିଯାଇଛନ୍ତି। ଅଣ୍ଡା ଦେବାର ୨୫ରୁ ୩୦ ଦିନ ଭିିତରେ ଫୁଟାଇଥାନ୍ତି ଅଣ୍ଡାରୁ ଛୁଆ। ବାଲୁକା ଶର୍ଯ୍ୟାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ଗାତ କରି ଅଣ୍ଡା ଦେଇଥାନ୍ତି। କାତିବିହୀନ ଜହ୍ଲା ମାଛ ସେମାନଙ୍କ ପ୍ରିୟଖାଦ୍ୟ ହୋଇଥିବା ବେଳେ ଦିନରେ ଶୋଇ ପାଣିଚିରି ରାତିରେ ହିଁ ବିଚରଣ କରିଥାନ୍ତି। ନଦୀକୂଳରେ ସେମାନେ ବିଚରଣ କରୁଥିବା ବେଳେ ସେମାନଙ୍କ ସୌନ୍ଦର୍ଯ୍ୟ ବେଶ ମନୋରମ ଅଟେ। ସେମାନଙ୍କ ରଙ୍ଗ ମଧ୍ୟ ବିଚିତ୍ରବର୍ଣ୍ଣା। ଶରୀର କଳା ହୋଇଥିବା ବେଳେ ମଝିରେ ମଝିରେ କଳା ରହିଥାଏ। ଥଣ୍ଟ ଓ ଗୋଡ଼ ନାଲି ଅଟେ। ଓଡ଼ିଶାରେ କେବଳ ମହାନଦୀର କଖଡି ନିକଟସ୍ଥ ବାଲୁକାଶଯ୍ୟାରେ ଅଣ୍ଡା ଦେବା ସହିତ ଛୁଆ ଦେଇଥାନ୍ତି। ସମଗ୍ର ପୃଥିବୀରେ ପାଣିଚିରି ସଂଖ୍ୟା ୫ ହଜାରରୁ ୬ହଜାର ହୋଇଥିବା ବେଳେ ମିଆଁମାର, ଥାଇଲ୍ୟାଣ୍ଡ, ପାକିସ୍ତାନ ଆଦି ଦେଶମାନଙ୍କରେ ଦେଖାଯାଇଥାନ୍ତି। ଏସିଆ ମହାଦେଶରେ ପାଣିଚିରି ସଂଖ୍ୟା ୧୬୬୬ ଅଟେ। ଭାରତରେ କାଶ୍ମୀର, ମଧ୍ୟପ୍ରଦେଶ, ଓଡ଼ିଶାର ମୁଣ୍ଡଳୀ ଓ ଆଠଗଡ଼ ବନଖଣ୍ଡର କଖଡିରେ ଦେଖାଦେଇଥାନ୍ତି। ହେଲେ ଅଣ୍ଡା ଓ ଛୁଆ କେବଳ ମହାନଦୀ ମଧ୍ୟସ୍ଥ କଖଡି ନିକଟରେ ଦେଇଥାନ୍ତି। ଏହାର ସୁରକ୍ଷା ଓ ବଂଶବିସ୍ତାର ପାଇଁ ଭାରତବର୍ଷରେ ମଧ୍ୟପ୍ରଦେଶର ଚମ୍ବଲ ନଦୀକୂଳରେ ସଂରକ୍ଷିତ ବ୍ୟବସ୍ଥା କରାଯାଇଛି। କିନ୍ତୁ ଓଡ଼ିଶାରେ ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ।
ଏହି ବିଲୁପ୍ତପ୍ରାୟ ପାଣିଚିର ସଂରକ୍ଷଣ, ସୁରକ୍ଷା ପାଇଁ ଗତ ୨ବର୍ଷ ତଳେ ତତ୍କାଳୀନ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା ବ୍ୟାପକ ଜନସଚେତନତା ସୃଷ୍ଟି କରିଥିଲେ। ସ୍ଥାନୀୟ ମତ୍ସ୍ୟଜୀବିମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରି ଦେଖାଶୁଣା ଦାୟିତ୍ୱ ମଧ୍ୟ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଓ ନଦୀକୂଳ ପଞ୍ଚାୟତ ସମୂହ ବିଦ୍ୟାର୍ଥୀମାନଙ୍କୁ ନେଇ ଜନସଚେତନତା ମଧ୍ୟ ସୃଷ୍ଟି କରିଥିଲେ। ଏହାଦ୍ୱାରା କୌଣସି ଜନସାଧାରଣ ନଦୀପଠାକୁ ଯାଇ ପାଣିଚିରିମାନଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁନଥିଲେ। ଏପରିକି ଅଣ୍ଡାଦାନଠାରୁ ଛୁଆଦେବା ପର୍ଯ୍ୟନ୍ତ ଜଳସ୍ତର ଯେପରି ବୃଦ୍ଧି ନହେବ ସେଥିପାଇଁ ଜନସେଚନ ବିଭାଗର ଯନ୍ତ୍ରୀଙ୍କୁ ସୁଶ୍ରୀ ଲେଙ୍କା ପତ୍ର ମାଧ୍ୟମରେ ଅବଗତ କରାଉଥିଲେ। ଏବେ ଚିତ୍ର ବଦଳିଯାଇଛି। ବିଲୁପ୍ତପ୍ରାୟ ପାଣିଚିରିଙ୍କ ସୁରକ୍ଷା ପ୍ରତି ବନବିଭାଗର ବଡପଣ୍ଡାମାନେ ଆଖିବୁଜି ଦେଇଛନ୍ତି। ବନ୍ୟପ୍ରାଣୀ, ପକ୍ଷୀ ଓ ବନସଂପଦର ଅଭିବୃଦ୍ଧି ପାଇଁ ବିଭାଗ କୋଟିକୋଟି ଟଙ୍କା ବ୍ୟୟବରାଦ କରିବା ସହିତ ଖର୍ଚ୍ଚ ମଧ୍ୟ କରୁଛି। ଗଣ୍ଡାଗଣ୍ଡା ପ୍ରଶାସନିକ ଅଧିକାରୀମାନେ ନିୟୋଜିତ ହେବା ସହ ଶୀତତାପ ନିୟନ୍ତ୍ରଣ କୋଠରୀରେ ପଶି କାଗଜ କଲମରେ ବିକାଶର ଚିତ୍ର ଦେଖାଉଛନ୍ତି। ହେଲେ ବାସ୍ତବକ୍ଷେତ୍ରରେ ଚିତ୍ର ଅଲଗା। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ବହୁବାର ଖବର ପ୍ରକାଶ ପରେ ମଧ୍ୟ ସେମାନଙ୍କ ନିଦ ଭାଙ୍ଗୁନାହିଁ। ଆଠଗଡ଼ ବନଖଣ୍ଡ ଅଧିକାରୀ ଏଥିପ୍ରତି ମଧ୍ୟ ସଜାଗ ଥିବା ଭଳି ଜଣାପଡୁନାହିଁ। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ପାଣିଚିରମାନଙ୍କ ଭାଗ୍ୟ ସ୍ଥାନୀୟ କଖଡି ମତ୍ସଜୀବୀମାନେ ପାଣିଚିରିର ଅଣ୍ଡାଦେବା ଠାରେ ଛୁଆ ଫୁଟାଇବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିଛନ୍ତି। ସେମାନଙ୍କ ଆଗ୍ରହ ଓ ଉତ୍ସାହ ପାଇଁ ସୁରକ୍ଷିତ ଭାବରେ ପାଣିଚିରି ଅଣ୍ଡାଦେଇ ଛୁଆ ଫୁଟାଇ ଫେରିପାରୁଛନ୍ତି।



