www.samajalive.in
Monday, December 15, 2025
27.1 C
Bhubaneswar

ଭାରତ- ଜୋର୍ଡାନ୍‌ ମଧ୍ୟରେ ୧୨ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଜୋର୍ଡାନ୍‌ ରାଜା ଅବ୍‌ଦୁଲ୍ଲା ଦ୍ୱିତୀୟ ଅଲ୍‌ ହୁସେନ୍‌ ଚଳିତ ସପ୍ତାହରେ ଭାରତ ଗସ୍ତ କରି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ପୃଷ୍ଠଭୂମିରେ ଉଭୟ ରାଷ୍ଟ୍ର ମଧ୍ୟରେ ୧୨ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରତିରକ୍ଷା ସହଯୋଗିତା ଓ ଶିଳ୍ପ, ଆତଙ୍କବାଦ ଦମନ ଅଭିଯାନ, ସାମରିକ ପ୍ରଶିକ୍ଷଣ ଓ ଭେଷଜ ସେବା, ସାଇବର ନିରାପତ୍ତା ଏବଂ ଶାନ୍ତିପ୍ରତିଷ୍ଠା ଭଳି କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଏଥିରେ ଅନ୍ତର୍ଭୁକ୍ତ। ସେହିଭଳି ଦ୍ୱିପାକ୍ଷିକ ସମାନତା ଏବଂ ଲାଭ ଭିତ୍ତିରେ ଭାରତ ଓ ଜୋର୍ଡାନ୍‌ର ଆଇନ ଅନୁଯାୟୀ ଚିକିତ୍ସା ବିଜ୍ଞାନ, ଭେଷଜ ଶିକ୍ଷା ଓ ଗବେଷଣା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗିତା ନେଇ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିବା ଜଣାପଡିଛି। ଜୋର୍ଡାନର ବୟନଶିଳ୍ପ, ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ, କୀଟନାଶକ କମ୍ପାନୀ, ଆଇଟି ଓ ଅର୍ଥନୈତିକ କମ୍ପାନୀଗୁଡିକରେ ପ୍ରାୟ ୧୦,୦୦୦ ଭାରତୀୟ ନିଯୁକ୍ତ ଅଛନ୍ତି। ଆଗାମୀ ଦିନରେ ଅଧିକ ଭାରତୀୟଙ୍କୁ ଜୋର୍ଡାନରେ ନିଯୁକ୍ତି ସୁଯୋଗ ପ୍ରଦାନକୁ ଦୃଷ୍ଟିରେ ରଖି ଅନ୍ୟ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଦ୍ୱିପାକ୍ଷିକ ଆଲୋଚନା ବେଳେ ପାଲେଷ୍ଟାଇନ୍‌ ପ୍ରସଙ୍ଗ ଉପରେ ଦୁଇ ନେତା ସେମାନଙ୍କ ସମର୍ଥନ ଏବଂ ପ୍ରତିଶ୍ରୁତିବଦ୍ଧତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ବୋଲି ବୈଦେଶିକ ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ବିଭାଗ ସଚିବ ଟି. ଏସ୍‌. ତିରୁମୂର୍ତ୍ତି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। କିଛି ଦିନ ପୂର୍ବେ ମୋଦି ଅମାନ ଦେଇ ପାଲେଷ୍ଟାଇନ୍‌ ଗସ୍ତ କରିବା ଘଟଣାକୁ ଅବ୍‌ଦୁଲ୍ଲା ଦ୍ୱିତୀୟ ଭୂୟସୀ ପ୍ରଶଂସା କରିଥିବା ସେ ପ୍ରକାଶ କରିଛନ୍ତି। ଫେବୃଆରୀରେ ପଶ୍ଚିମ ଏସିଆକୁ ମୋଦି ଗସ୍ତ କରିଥିଲେ, ଯାହା ଏହି କ୍ଷେତ୍ରକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ଥିଲା। ଏହି ଅବସରରେ ସେ ଜୋର୍ଡାନର ଆତିଥ୍ୟ ଗ୍ରହଣ କରିଥିଲେ। ପରେ ସେ ପାଲେଷ୍ଟାଇନ୍‌ ଅଭିମୁଖେ ଯାତ୍ରା କରିଥିଲେ। ସେହିଭଳି ୨୦୧୭ ଡିସେମ୍ବରରେ ଜାତିସଂଘ ସାଧାରଣ ପରିଷଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କରିବା ଘଟଣାକୁ ମଧ୍ୟ ଭାରତ ବିରୋଧ କରିଥିଲା। ଏହି ପ୍ରସ୍ତାବ ବିରୋଧରେ ଭାରତ ଭୋଟ କରିଥିଲା। ଅବ୍‌ଦୁଲ୍ଲା ଦ୍ୱିତୀୟ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ପଶ୍ଚିମ ଏସିଆରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଦର୍ଶାଇଥିଲେ।
ଅବଦୁଲ୍ଲାଙ୍କ ଏହି ଭାରତ ଗସ୍ତ କାଳରେ ଉଭୟ ଦେଶର ଅର୍ଥନୈତିକ ସମ୍ବନ୍ଧ ଉପରେ ମଧ୍ୟ ଦୃଷ୍ଟିପାତ କରାଯାଇଥିଲା। ଆଫ୍ରିକାକୁ ସମସ୍ତ ସମ୍ଭାବ୍ୟ ସହଯୋଗ କରିବା ନେଇ ଏହି ରାଷ୍ଟ୍ର ଦ୍ୱୟ ସହମତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବିକାଶ କାର୍ଯ୍ୟ ନିମନ୍ତେ ଭାରତୀୟ ସହଯୋଗ ପରିମାଣ ୧୦ ବିଲିୟନ୍‌ ଆମେରିକୀୟ ଡଲାର ରହିଥିବା ମୋଦି ଦର୍ଶାଇଛନ୍ତି।
ଏହା ପୂର୍ବରୁ ରାଜା ଅବ୍‌ଦୁଲ୍ଲା ଦ୍ୱିତୀୟ ଦେଶର ବହୁ ପ୍ରମୁଖ କମ୍ପାନୀର ସିଇଓଙ୍କୁ ସାକ୍ଷାତ କରିବା ସହିତ ଭାରତ-ଜୋର୍ଡାନ୍‌ ବ୍ୟବସାୟିକ ଫୋରମ୍‌ରେ ଯୋଗ ଦେଇଥିଲେ। ଏଥିସହ ଗୁରୁବାର ଏଠାରେ ଅନୁଷ୍ଠିତ ଇସ୍‌ଲାମ ଐତିହ୍ୟର ପ୍ରଚାର ଓ ପ୍ରସାର ଉପରେ ଆଧାରିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଉଦ୍‌ବୋଧନ ଦେଇଥିଲେ।
ମୋଦିଙ୍କ ଉପସ୍ଥିତିରେ ଆତଙ୍କବାଦ ପ୍ରସଙ୍ଗରେ ସେ କହିଥିଲେ, ବର୍ତ୍ତମାନ ଦେଖାଦେଇଥିବା ବିଶ୍ୱସ୍ତରର ଯୁଦ୍ଧ କୌଣସି ଧର୍ମ ବା ଲୋକଙ୍କ ମଧ୍ୟ ନୁହେଁ; ବରଂ ଏହା ଚରମପନ୍ଥୀ ଏବଂ ହିଂସା ଓ ଘୃଣାକୁ ନାପସନ୍ଦ କରୁଥିବା ନରମପନ୍ଥୀଙ୍କ ମଧ୍ୟରେ ଏକ ଲଢେଇ। ଏଣୁ ଘୃଣାର ପ୍ରସାର ନିମନ୍ତେ ଏୟାର୍‌ୱେଭ୍‌ ଏବଂ ଇଣ୍ଟରନେଟ୍‌ ବ୍ୟବସ୍ଥାର ବ୍ୟବହାର ବନ୍ଦ କରିବା ଉଚିତ। ରାଜା ଅବ୍‌ଦୁଲ୍ଲା ତିନିଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ୨୦୦୬ରେ ସେ ପ୍ରଥମଥର ଲାଗି ରାଣୀ କ୍ୱିନ୍‌ ରାନିଆଙ୍କ ସହିତ ଭାରତ ଗସ୍ତ କରିଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories