ଆଜି ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ

0

ମଙ୍ଗଳବାର ସ୍ଥାନୀୟ ଲିଡ୍‍ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ସିରିଜ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି। ଏହି ପରିପ୍ରେକ୍ଷୀରେ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜ ହାତେଇବାକୁ ଉଭୟ ଭାରତ ଓ ଇଂଲଣ୍ଡ ଲକ୍ଷ୍ୟ ରଖିଛନ୍ତି।
ନଟିଂହାମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାମହାତି ଚାଇନାମ୍ୟାନ ବୋଲର କୁଳଦୀପ ଯାଦବଙ୍କ ଘାତକ ବୋଲିଂ (୨୫ ରନରେ ୬ ୱିକେଟ) ଓ ରୋହିତ ଶର୍ମାଙ୍କ ଅପରାଜିତ ଶତକକୁ ଆଧାର କରି ଭାରତ ଅନାୟାସରେ ବିଜୟୀ ହୋଇଥିଲା। ତେବେ ଦ୍ୱିତୀୟ ଦିନିକିଆରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଇଂଲଣ୍ଡ ବ୍ୟାଟସମ୍ୟାନ ଦୁଇ ଭାରତୀୟ ସ୍ପିନରଙ୍କ ଉଚିତ ମୁକାବିଲା କରିବା ସହ ଭାରତ ସମ୍ମୁଖରେ ୩୨୩ ରନ୍‍ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜୋ ରୁଟ୍‍ଙ୍କ ଶତକ, ଇଓନ ମୋର୍ଗାନ, ଡେଭିଡ ୱିଲିଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଦୁଇ ଓପନ ଜାସନ ରୟ ଓ ଜନି ବେୟାରଷ୍ଟୋଙ୍କ ଉନ୍ନତ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ଅପରପକ୍ଷରେ ଏହି ଲକ୍ଷ୍ୟକୁ ହାସଲ କରିବାରେ ଭାରତୀୟ ଦଳ ବିଫଳ ହେବାଫଳରେ ଇଂଲଣ୍ଡ ମ୍ୟାଚ ଜିତି ପୁଣି ସିରିଜକୁ ପ୍ରତ୍ୟାବର୍ତ୍ତନ କରିପାରିଛି। ଭାରତର କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରିନପାରିବା ଫଳରେ ଭାରତକୁ ପରାଜୟ ବରଣ କରିବାକୁ ପଡିଥିଲା। ଏହି ମ୍ୟାଚରେ କୁଳଦୀପ ଯଦିଓ ୩ଟି ୱିକେଟ ଅକ୍ତିଆର କରିଥିଲେ ସୁଦ୍ଧା ପ୍ରଥମ ମ୍ୟାଚ ଭଳି ତାଙ୍କ ବୋଲିଂରେ ଚମକ ଦେଖିବାକୁ ମିଳିନଥିଲା। ୟୁଜ୍‍ବେନ୍ଦ୍ର ଚହଲ ମଧ୍ୟ ପ୍ରଭାବ ବିସ୍ତାର କରିବାରେ ବିଫଳ ହୋଇଥିଲେ। ଏହି ଦୁଇ ସ୍ପିନର ୨୦ ଓଭରରେ ମୋଟ ୧୧୧ ରନ ଦେଇ ମାତ୍ର ୪ଟି ୱିକେଟ ହାତେଇ ପାରିଥିଲେ। ଫାଷ୍ଟ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ନିରାଶାଜନକ ଥିଲା। ଉମେଶ ଯାଦବ, ସିଦ୍ଧାର୍ଥ କାଉଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ମୋଟ ୨୮ ଓଭର ବୋଲିଂ କରି ୧୯୨ ରନ ବିନିମୟରେ କେବଳ ୨ଟି ୱିକେଟ ଅକ୍ତିଆର କରିଥିଲେ। ତେଣୁ ଏହି ମ୍ୟାଚରେ ଭାରତୀୟ ବୋଲିଂ ସମ୍ପୂର୍ଣ୍ଣଭାବେ ପ୍ରଭାବହୀନ ପ୍ରମାଣିତ ହୋଇଥିଲା। ଇଂଲଣ୍ଡ ବ୍ୟାଟିଂ କରୁଥିବାବେଳେ ପିଚ୍‍ରୁ ଭାରତୀୟ ବୋଲରଙ୍କୁ ସେଭଳି ସହାୟତା ମିଳିନଥିବାବେଳେ ଭାରତର ବ୍ୟାଟିଂ ବେଳେ ଇଂଲଣ୍ଡ ବୋଲର କିନ୍ତୁ ପିଚ୍‍ରୁ ଫାଇଦା ଉଠାଇବାରେ ସଫଳ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରାଙ୍କ ଅନୁପସ୍ଥିତି ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ପୁନଶ୍ଚ ଦଳର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‍କୁ ନେଇ ଅଧିନାୟକ ବିରାଟ କୋହଲି ଚିନ୍ତାବ୍ୟକ୍ତ କରିଛନ୍ତି। କୋହଲିଙ୍କ ସମେତ ଲୋକେଶ ରାହୁଲ, ସୁରେଶ ରୈନା ଓ ମହେନ୍ଦ୍ର ସିଂହ ଧୋନି ପରିସ୍ଥିତିର ଆବଶ୍ୟକତା ନେଇ ବ୍ୟାଟିଂ କରିପାରିନଥିଲେ। କେବଳ କ୍ରିଜରେ ତିଷ୍ଠି ରହିବା ଅପେକ୍ଷା ଆକ୍ରମଣାତ୍ମକ ବ୍ୟାଟିଂ ଉପରେ କୋହଲି ଗୁରୁତ୍ୱାରୋପ କରିଛନ୍ତି। ଲୋକେଶ ରାହୁଲଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ କିମ୍ବା ଶ୍ରେୟସ ଆୟାରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଲର୍ଡସରେ ଧିମା ବ୍ୟାଟିଂ କରିଥିବାରୁ ଭାରତୀୟ କ୍ରିକେଟପ୍ରେମୀ ଧୋନିଙ୍କୁ କଡା ସମାଲୋଚନା କରିଛନ୍ତି। ରୋହିତ ଶର୍ମା, ଶିଖର ଧାୱନ ଓ ବିରାଟ କୋହଲିଙ୍କ ଭଳି ଆଗଧାଡିର ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଉପରେ ହିଁ ଭାରତୀୟ ଦଳର ବିଜୟ ନିର୍ଭର କରୁଛି ବୋଲି ଇଂଲଣ୍ଡ ଶିବିରରେ ଏକ ଧାରଣା ସୃଷ୍ଟି ହୋଇଛି। ଇଂଲଣ୍ଡ ବ୍ୟାଟସମ୍ୟାନ ଜୋ ରୁଟ୍‍ ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ ପ୍ରଦାନ କରିଛି। ତୃତୀୟ ମ୍ୟାଚରେ ଇଂଲଣ୍ଡ ଦଳରେ ସେଭଳି ପରିବର୍ତ୍ତନର କୌଣସି ସୂଚନା ମିଳିନାହିଁ।

ମ୍ୟାଚ ଆରମ୍ଭ: ସନ୍ଧ୍ୟା ୫ଟା, ଚ୍ୟାନେଲ:ଟେନ୍‍-୩।

Leave A Reply