ଭାରତ ବିପକ୍ଷରେ ଇଂଲଣ୍ଡ ଦିନିକିଆ ସିରିଜ୍‍ ଜିତିଲା

0

ଲିଡ୍‍ସ: ଭାରତ ବିପକ୍ଷରେ ଦିନିକିଆ ସିରିଜ୍‍କୁ ୨-୧ରେ ଜିତିନେଇଛି ଘରୋଇ ଇଂଲଣ୍ଡ। ମଙ୍ଗଳବାର ଖେଳା ଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‍ରେ ଭାରତକୁ ୮ ୱିକେଟରେ ଇଂଲଣ୍ଡ ପରାସ୍ତ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଜୋ ରୁଟ୍‍ ଓ ଅଧିନାୟକ ଇଓନ୍‍ ମୋର୍ଗାନ୍‍ଙ୍କ ମଧ୍ୟରେ ମାରାଥନ୍‍ ଭାଗିଦାରୀ ବଳରେ ଇଂଲଣ୍ଡର ଏହି ସହଜ ବିଜୟ ସମ୍ଭବ ହୋଇଛି। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମେ ବ୍ୟାଟିଂକରି ୮ ୱିକେଟ ହରାଇ ୨୫୬ ରନ୍‍ କରିଥିଲା। ଲେଗ୍‍ସ୍ପିନର ଆଦିଲ ରସିଦ୍‍ଙ୍କ ସହ ପେସ୍‍ ବୋଲର ଡେଭିଡ୍‍ ୱିଲି ୩ଟି ଲେଖାଏଁ ୱିକେଟ ନେଇ ଭାରତ ଉପରେ ଅଙ୍କୁଶ ଲଗାଇଥିଲେ। ପରେ ରୁଟ୍‍ଙ୍କ ଅପରାଜିତ ଶତକ ଓ ମୋର୍ଗାନ୍‍ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୪୪.୩ ଓଭରରେ ୨ ୱିକେଟ ହରାଇ ଇଂଲଣ୍ଡ ବିଜୟୀ ହୋଇଥିଲା। ଭାରତ ପ୍ରଥମ ମ୍ୟାଚ୍‍ରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ କ୍ରମାଗତ ୨ଟି ମ୍ୟାଚ୍‍ ଜିତି ସିରିଜ୍‍ ଜିତିପାରିଛି। ଏହାସହ ଆଇସିସି ଦିନିକିଆ ମାନ୍ୟତାରେ ଇଂଲଣ୍ଡ ୧ନଂ ସ୍ଥାନ ବଜାୟ ରଖିଛି। ପୁଣି ଭାରତଠାରୁ ଟ୍ୱେଣ୍ଟି୨୦ ସିରିଜ୍‍ ପରାଜୟର ପ୍ରତିଶୋଧ ଇଂଲଣ୍ଡ ନେଇପାରିଛି। ଅଗଷ୍ଟ ୧ରୁ ଉଭୟ ଦଳଙ୍କ ମଧ୍ୟରେ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ଖେଳାଯିବ।
ଇଂଲଣ୍ଡ ଦୃଢ଼ତାର ସହ ୨୫୭ ରନ୍‍ର ପିଛା ଆରମ୍ଭ କରିଥିଲା। ବିଶେଷକରି ଓପ୍‍ନର ଜନି ବେୟାରଷ୍ଟୋ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଫଳରେ ପ୍ରଥମ ୪ ଓଭରରେ ଇଂଲଣ୍ଡ ୩୮ ରନ୍‍ କରିଥିଲା। ଜନି ବେୟାରଷ୍ଟୋ ଚମତ୍କାର ଷ୍ଟ୍ରୋକ୍‍ସବୁ ଖେଳି ମାତ୍ର ୧୩ଟି ବଲ୍‍ରୁ ୭ଟି ଚୌକା ସହ ୩୦ ରନ୍‍କରି ଆଉଟ ହୋଇଥିଲେ। ଆହତ ଜେସନ୍‍ ରୟଙ୍କ ସ୍ଥାନରେ ଖେଳିଥିବା ଓପ୍‍ନର ଜେମ୍‍ସ ଭିନ୍‍ସ ୨୭ ବଲ୍‍ରୁ ୫ଟି ଚୌକା ସହ ୨୭ ରନ୍‍କରି ଆଉଟ ହୋଇଥିଲେ। ୭୪ ରନ୍‍ରେ ୨ଟି ୱିକେଟ ପଡ଼ିଯିବା ପରେ ୨ୟ ମ୍ୟାଚ୍‍ରେ ଶତକ ମାରିଥିବା ଜୋ ରୁଟ୍‍ କ୍ରିଜ୍‍କୁ ଆସିବା ମାତ୍ରେ ଚମତ୍କାର ବ୍ୟାଟିଂ କରିଥିଲେ। ଅଧିନାୟକ ଇଓନ୍‍ ମୋର୍ଗାନ୍‍ ମଧ୍ୟ ଲଢ଼ୁଆ ବ୍ୟାଟିଂକରି ସ୍କୋର୍‍କୁ ବଢ଼ାଇ ଚାଲିଥିଲେ। ଭାରତର ଶେଷ ଆଶା ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ବିଫଳ ହୋଇଥିଲେ। ଅବିଭାଜିତ ୩ୟ ୱିକେଟ ପାଇଁ ରୁଟ୍‍ ଓ ମୋର୍ଗାନ୍‍ ୧୮ ରନ୍‍ ଯୋଗକରି ଦଳକୁ ଜିତାଇଥିଲେ। ୧୩ଶ ଦିନିକିଆ ଶତକ ହାସଲ କରିଥିବା ରୁଟ୍‍ ୧୨୦ ବଲ୍‍ରୁ ୧୦ଟି ଚୌକା ସହ ୧୦୦ ରନ୍‍କରି ଅପରାଜିତ ଥିଲେ। ମୋର୍ଗାନ୍‍ ୧୦୮ ବଲ୍‍ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୮୮ ରନ୍‍କରି ଅପରାଜିତ ଥିଲେ।ଟସ୍‍ ଜିତି ଇଂଲଣ୍ଡ ଫିଲ୍‍ଡିଂ ନେବା ଅନେକଙ୍କୁ ଚକିତ କରିଥିଲା। ତେବେ ଇଂଲଣ୍ଡର ପେସ୍‍ ବୋଲର ମୂଳରୁ ଚମତ୍କାର ବୋଲିଂକରି ଅଧିନାୟକ ଇଓନ୍‍ ମୋର୍ଗାନ୍‍ଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ। ନୂଆବଲ୍‍ ସ୍ୱିଙ୍ଗ୍‍ କରିଥିଲା ଏବଂ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ଆରମ୍ଭରୁ ଖେଳିବାରେ ଅସୁବିଧା ଅନୁଭବ କରିଥିଲେ। ବାରମ୍ବାର ବିଟ୍‍ ହେବା ପରେ ଓପ୍‍ନର ରୋହିତ ଶର୍ମା ୧୮ ବଲ୍‍ରୁ ମାତ୍ର ୨ ରନ୍‍କରି ଆଉଟ ହୋଇ ଯାଇଥିଲେ। ଫଳରେ ପ୍ରଥମ ୯ ଓଭରରେ ମାତ୍ର ୨୫ ରନ୍‍ ହୋଇଥିଲା। ପରେ ଅଧିନାୟକ ବିରାଟ କୋହଲି ଓ ଓପ୍‍ନର ଶିଖର ଧାୱନ ସେଟ୍‍ ହୋଇ ଯାଇଥିଲେ ଏବଂ କିଛି ଦର୍ଶନୀୟ ସଟ୍‍ ମାରିଥିଲେ। ୨ୟ ୱିକେଟ ପାଇଁ କୋହଲି ଓ ଧାୱନ ୧୨ ଓଭରରେ ୭୧ ରନ୍‍ ଯୋଗ କରିଥିଲେ। ଧାୱନ୍‍ ପୁଣିଥରେ ସେଟ୍‍ ହେବା ପରେ ୱିକେଟ ଫିଙ୍ଗିଥିଲେ। ଏହି ବାମହାତି ୪୯ ବଲ୍‍ରୁ ୭ଟି ଚୌକା ସହ ୪୪ ରନ୍‍ କରିଥିଲେ। ଅନ୍ୟପଟେ ବିରାଟ କୋହଲି ଚମ୍ପିଆନ୍‍ଙ୍କ ପରି ବ୍ୟାଟିଂ କରୁଥିଲେ। କେ.ଏଲ୍‍. ରାହୁଲଙ୍କ ସ୍ଥାନରେ ଖେଳୁଥିବା ଦିନେଶ କାର୍ତ୍ତିକ କ୍ରିଜ୍‍କୁ ଆସିବା ମାତ୍ରେ ଚମତ୍କାର ବ୍ୟାଟିଂ କରିଥିଲେ। ଫଳରେ ୩ୟ ୱିକେଟ ପାଇଁ କୋହଲି ଓ କାର୍ତ୍ତିକ ୪୨ ବଲ୍‍ରୁ ୪୧ ରନ୍‍ ଯୋଡ଼ିଥିଲେ। ଏହି ସମୟରେ ୨ ୱିକେଟରେ ୧୨୫ ରନ୍‍ କରିଥିବା ଭାରତ ୩ ଶହ ରନ୍‍ରେ ପହଞ୍ଚିବ ବୋଲି ଆଶା କରା ଯାଉଥିଲା। ତେବେ ଇଂଲଣ୍ଡର ଲେଗ୍‍ସ୍ପିନର ଆଦିଲ ରସିଦ୍‍ କ୍ରମାଗତ ୩ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। କାର୍ତ୍ତିକ ୨୨ ବଲ୍‍ରୁ ୩ଟି ଚୌକା ସହ ୨୧ ରନ୍‍କରି ଆଉଟ ହୋଇଥିଲେ। ବିରାଟ କୋହଲି ୭୨ ବଲ୍‍ରୁ ୮ଟି ଚୌକା ସହ ୭୧ ରନ୍‍କରି ଆଦିଲ ରସିଦ୍‍ଙ୍କ ବଲ୍‍ରେ ବୋଲ୍‍ଡ ହୋଇ ଯାଇଥିଲେ। ସୁରେଶ ରୈନା ମାତ୍ର ୧ ରନ୍‍କରି ରସିଦ୍‍ଙ୍କ ୩ୟ ଶିକାର ହୋଇଥିଲେ। ୩୧ ଓଭରରେ ୧୫୮ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ମହେନ୍ଦ୍ର ସିଂହ ଧୋନି ଓ ହାର୍ଦିକ ପାଣ୍ଡ୍ୟା ୩୬ ରନ୍‍ ଯୋଡ଼ିଥିଲେ। ପାଣ୍ଡ୍ୟା ୨୧ ବଲ୍‍ରୁ ୨୧ ରନ୍‍ କରିଥିଲେ। ଧୋନି ଧିମା ବ୍ୟାଟିଂକରି ୬୬ ବଲ୍‍ରୁ ୪ଟି ଚୌକା ସହ ୪୨ ରନ୍‍ କରିଥିଲେ। ଭୁବନେଶ୍ୱର କୁମାର ୩୫ ବଲ୍‍ରୁ ଗୋଟିଏ ଚୌକା ସହ ୨୧ ରନ୍‍ କରିଥିଲେ। ତେବେ ଶେଷଆଡ଼କୁ ସାର୍ଦ୍ଦୁଳ ଠାକୁରଙ୍କ ସାହସିକ ପ୍ରୟାସ ଯୋଗୁଁ ଭାରତ ଅଢ଼େଇ ଶହ ରନ୍‍ ପାର କରି ପାରିଥିଲା। ସାର୍ଦ୍ଦୁଳ ୧୩ ବଲ୍‍ରୁ ୨ଟି ଛକା ସହ ୨୨ ରନ୍‍କରି ଅପରାଜିତ ଥିଲେ। ଆଦିଲ ରସିଦ୍‍ ଓ ଡେଭିଡ୍‍ ୱିଲି ୩ଟି ଲେଖାଏଁ ୱିକେଟ ପାଇଥିଲେ।

kalyan agarbati
Leave A Reply