www.samajalive.in
Monday, December 15, 2025
17.1 C
Bhubaneswar

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟ୍ବେଣ୍ଟି-୨୦

ଅହମ୍ମଦାବାଦ : ଭାରତୀୟ କ୍ରିକେଟ୍‌ ଦଳ କ୍ରମାଗତ ୮ଟି ଟେଷ୍ଟମ୍ୟାଚ୍‌ ଖେଳିବା ପରେ ଏବେ ଧଳାବଲ୍‌ କ୍ରିକେଟ୍‌ ଖେଳିବାକୁ ଯାଉଛି। ଏହି ୮ଟି ଟେଷ୍ଟରୁ ଭାରତ ୫ଟି ଜିତି ୨ଟି ହାରିଥିବା ବେଳେ ଉଭୟ ସିରିଜ୍‌ ଜିତି ବିରାଟ ସେନାର ମନୋବଳ ଶିଖର ଛୁଇଁଛି। ଏବେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍ ଖେଳିବାକୁ ଯାଉଛି ଭାରତୀୟ ଦଳ। ଏହାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଇଂଲଣ୍ଡ ବିଶ୍ବର ୧ ନଂ ଟ୍ବେଣ୍ଟି-୨୦ ଦଳ। ତେଣୁ ଟେଷ୍ଟ ସିରିଜ୍‌ର ପ୍ରତିଶୋଧ ଟ୍ବେଣ୍ଟି-୨୦ରେ ନେବାକୁ ଇଓନ୍ ମୋର୍ଗାନ୍‌ଙ୍କ ଦଳ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତ ତା’ର ପ୍ରାଧାନ୍ୟ ବଜାୟ ରଖିବା ସହ ୧ନଂ ମାନ୍ୟତା ହାସଲ କରିବାକୁ ଚାହିଁବ। ଭାରତ ଯଦି ଏହି ସିରିଜ୍‌କୁ ୪-୧ କିମ୍ବା ୫-୦ରେ ଜିତିନିଏ; ତେବେ ୧ନଂ ଟ୍ବେଣ୍ଟି-୨୦ ଦଳ ହେବ। ଗତ ୧୫ଟି ଟି-୨୦ ମ୍ୟାଚ୍‌ରୁ ଭାରତ ମାତ୍ର ୨ଟି ହାରିଛି।
ଏହି ସିରିଜ୍‌ରୁ ହିଁ ଉଭୟ ଭାରତ ଓ ଇଂଲଣ୍ଡ ଦଳ ଭାରତରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରସ୍ତୁତି ଆରମ୍ଭ କରିବେ। ଏହି ସିରିଜ୍‌ରୁ ହିଁ ଭାରତ ବିଶ୍ବକପ୍‌ ପାଇଁ ତା’ର ଚୂଡ଼ାନ୍ତ ଏକାଦଶ ନିର୍ଣ୍ଣୟ କରିବ ବୋଲି ଭାରତୀୟ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର କହି ସାରିଲେଣି। ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, କେ.ଏଲ୍‌. ରାହୁଲ ଓ ଯୁଜବେନ୍ଦ୍ର ଚହଲଙ୍କ ପରି ପ୍ରତିଷ୍ଠିତ ଟ୍ବେଣ୍ଟି-୨୦ ଖେଳାଳି ରହିଛନ୍ତି। ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଋଷଭ ପନ୍ତ୍ ଦଳକୁ ଫେରିଥିବା ବେଳେ ସୁସ୍ଥହେବା ପରେ ଭୁବନେଶ୍ବର କୁମାର ଦଳକୁ ଫେରିଛନ୍ତି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ପରେ ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ୍ ଓ ରାହୁଲ ତିୱତିଆ ଦଳରେ ସାମିଲ ହୋଇଛନ୍ତି। ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡର ଆତ୍ମଘାତୀ ରୋଟେସନ୍ ପଲିସି ପରେ ଏହି ସିରିଜ୍‌ରେ କିନ୍ତୁ ଶ୍ରେଷ୍ଠ ଦଳକୁ ଖେଳାଇବ। ଇଂଲଣ୍ଡର ତଳ ଅର୍ଡରରେ ମୋଇନ୍ ଅଲୀ ଓ ସାମ୍ କରନ୍‌ଙ୍କ ପରି ଅଲ୍‌ରାଉଣ୍ଡର ଥିବାରୁ ଜୋସ୍‌ ବଟ୍‌ଲର ଇନିଂସ ଓପନ୍‌ କରିବା ନିଶ୍ଚିତ। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଟ୍ବେଣ୍ଟି୨୦ ଓପ୍‌ନର ହେବା ସତ୍ତ୍ବେ ଜେସନ୍‌ ରୟଙ୍କୁ କୌଣସି ଆଇପିଏଲ୍‌ ଦଳ କିଣିନାହାନ୍ତି। ସ୍ପିନ୍ ବିପକ୍ଷରେ ରୟଙ୍କ ଦୁର୍ବଳତା ଏହାର ମୁଖ୍ୟ କାରଣ ହୋଇଥିବା ​ବେଳେ ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରିବା ଲକ୍ଷ୍ୟରେ​  ରହିବେ। ନିକଟ ଅତୀତରେ ଇଂଲଣ୍ଡର ଶ୍ରେଷ୍ଠ ଟି୨୦ ବ୍ୟାଟ୍‌ସମ୍ୟାନ୍ ଡାୱିଡ୍‌ ମାଲାନ୍ ୩ନଂରେ ବ୍ୟାଟିଂକରିବେ। ଜନି ବେୟାରଷ୍ଟୋ ୪ ଓ ବେନ୍‌ ଷ୍ଟୋକ୍‌ସ ୫ନଂ ସ୍ଥାନରେ ବ୍ୟାଟିଂ କରିବାର ଥିବାରୁ ଇଓନ୍‌ ମୋର୍ଗାନ୍‌ଙ୍କୁ ୬ନଂକୁ ଖସିଯିବାକୁ ପଡ଼ିବ। ଯଦି ଫାଷ୍ଟବୋଲର ଜୋଫ୍ରା ଆର୍ଚର ଫିଟ୍‌ ନ ହୁଅନ୍ତି; ତେବେ ମାର୍କ ଉଡ୍‌ ଖେଳିପାରନ୍ତି। କ୍ରିସ୍ ଜୋର୍ଡାନ୍ ଓ ଆଦିଲ ରସିଦ୍ ଟ୍ବେଣ୍ଟି୨୦ରେ ବିଶେଷଜ୍ଞ ବୋଲର।
ଅଧିନାୟକ ବିରାଟ କୋହଲି କହି ସାରିଲେଣି ଯେ ରୋହିତ ଶର୍ମାଙ୍କ ସହ କେ.ଏଲ୍‌. ରାହୁଲ ଇନିଂସ ଓପନ୍ କରିବେ। ଶ୍ରେୟାସ ଆୟର ୪ନଂ ସ୍ଥାନ ବଜାୟ ରଖିପାରନ୍ତି। ୫ନଂ ଖେଳିବାକୁ ଥିବା ଋଷଭ ପନ୍ତ୍ ୱିକେଟ ରକ୍ଷଣ କରିବେ। ହାର୍ଦିକ ପାଣ୍ଡ୍ୟା ୬ନଂ ସ୍ଥାନରେ ଖେଳିବେ। ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ସ୍ଥାନ ପାଇଁ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ମୁକାବିଲା ହେବ। ବହୁତଦିନ ପରେ ଦଳକୁ ଫେରିଥିବା ଭୁବନେଶ୍ବର କୁମାର ଖେଳିବା ନିଶ୍ଚିତ ଥିବା ବେଳେ ନବଦୀପ ସୈନି ଓ ସାର୍ଦ୍ଦୁଳ ଠାକୁର ଅନ୍ୟ ଦୁଇ ପେସ୍ ବୋଲର ଭାବେ ଖେଳିପାରନ୍ତି। ଯୁଜବେନ୍ଦ୍ର ଚହଲ ଭାରତୀୟ ଟି୨୦ ଦଳର ଅଭିନ୍ନ ଅଙ୍ଗ। ଦର୍ଶକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ବ୍ୟାଟିଂ ସହାୟକ ପିଚ୍ ପ୍ରସ୍ତୁତ ହୋଇଛି। ତଥାପି ପିଚ୍‌ରୁ ସ୍ପିନରଙ୍କୁ ସହାୟତା ମିଳିପାରେ। ଏଠାରେ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ସ୍ପିନର ଭଲ ବୋଲିଂ କରିଥିଲେ। ପୁଣି ଏଥରେ ୭ଟି ମ୍ୟାଚ୍‌ରୁ ପଛରେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍ ଜିତିଥିଲେ। ଏଠାରେ କାକରର ପ୍ରଭାବ ରହିବ। ତେଣୁ ଉଭୟ ଦଳ ପ୍ରଥମେ ଫିଲ୍‌ଡିଂ ନେବାକୁ ଚାହିଁବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories