ଭାରତ ଟି-୨୦ ବିଶ୍ବକପ୍‌ର ସେମି ଖେଳିବା ସମ୍ଭାବନା ୩୦% : କପିଳ

ନୂଆଦିଲ୍ଲୀ : ୧୯୮୩ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ଅଧିନାୟକ କପିଳ ଦେବ କହିଛନ୍ତି ଯେ ଭାବେ ଏବେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସେମିଫାଇନାଲ ଖେଳିବାର ସମ୍ଭାବନା ୩୦ ପ୍ରତିଶତ। ଅଷ୍ଟ୍ରେଲିଆରେ ଏବେ ଚାଲିଥିବା ଟି୨୦ ବିଶ୍ବକପ୍‌ର ଗ୍ରୁପ୍‌-୨ରେ ଥିବା ଭାରତ ୨୩ରେ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। କପିଳ କହିଛନ୍ତି, ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଏକ ଦଳ ଗୋଟିଏ ମ୍ୟାଚ୍‌ ଜିତିବା ପରେ ୨ୟ ମ୍ୟାଚ୍‌ରେ ପରାସ୍ତ ହୋଇପାରେ। ତେଣୁ ଏକ ଦଳ ବିଶ୍ବକପ୍‌ ଜିତିବ ବୋଲି କହିବା ବହୁତ କଷ୍ଟକର। ସବୁଠାରୁ ବଡ଼ କଥା ହେଉଛି ଏକ ଦଳ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଶେଷ ୪ଟି ଦଳଙ୍କ ମଧ୍ୟରେ ସ୍ଥାନପାଇବା। ଏହାପରେ ହିଁ ଏକ ଦଳ ବିଶ୍ବକପ୍‌ ଜିତିବା, ନ ଜିତିବା କଥା ଚିନ୍ତା କରା ଯାଇପାରେ। ମୋ ପାଇଁ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନା ୩୦ ପ୍ରତିଶତ। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସାକରି କପିଳ କହିଛନ୍ତି, କେବଳ ବିଶ୍ବକପ୍‌ ନୁହେଁ; ସମସ୍ତ ମ୍ୟାଚ୍‌ରେ ଦଳକୁ ଜିତାଇବା ଲାଗି ଜଣେ ଅଲ୍‌ରାଉଣ୍ଡରଙ୍କର ବହୁତ ବଡ଼ ଭୂମିକା ଥାଏ। ହାର୍ଦିକ ପାଣ୍ଡ୍ୟାଙ୍କ ପରି ଅଲ୍‌ରାଉଣ୍ଡର ଭାରତ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହୋଇଛନ୍ତି। ସମସ୍ତ ଦଳ ପାଇଁ ଅଲ୍‌ରାଉଣ୍ଡରଙ୍କ ବିଶେଷ ଭୂମିକା ଥାଏ। ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳରେ ଥିବାରୁ ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ୬ଷ୍ଠ ବୋଲରଙ୍କୁ ବୋଲିଂ ଦେବାର ସୁବିଧା ରହିଛି। ହାର୍ଦିକ ଜଣେ ଭଲ ବୋଲର, ବ୍ୟାଟର ଓ ଫିଲ୍‌ଡର। ରବୀନ୍ଦ୍ର ଜାଡ଼େଜା ମଧ୍ୟ ଭାରତୀୟ ଦଳର ଜଣେ ଚମତ୍କାର ଅଲ୍‌ରାଉଣ୍ଡର। ହେଲେ ଆହତ ହୋଇ ସେ ଏହି ବିଶ୍ବକପ୍‌ ଖେଳୁନାହାନ୍ତି। ଆମ ସମୟରେ ମଧ୍ୟ ଭାରତୀୟ ଦଳରେ ବେଶ୍‌ କିଛି ଅଲ୍‌ରାଉଣ୍ଡର ଥିଲେ। ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ସେମିଫାଇନାଲ ଖେଳିବାର ସମ୍ଭାବନା ୩୦ ପ୍ରତିଶତ ବୋଲି କପିଳ କହିଥିଲେ ହେଁ ସେ ସ୍ବୀକାର କରିଛନ୍ତି ଯେ ଦଳରେ ବହୁତ ଭଲ ବ୍ୟାଟ୍‌ସମ୍ୟାନ୍ ଅଛନ୍ତି। ସେ କହିଛନ୍ତି, ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ଜଣେ ପ୍ରଭାବଶାଳୀ ବ୍ୟାଟ୍‌ସମ୍ୟାନ। ଗତ କିଛି ମାସ ହେଲେ ସୂର୍ଯ୍ୟକୁମାର ଭଲ ବ୍ୟାଟିଂ କରୁଛନ୍ତି ଏବଂ ସମସ୍ତେ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି। ତାଙ୍କ ବିନା ଭାରତୀୟ ବ୍ୟାଟିଂ ଲାଇନ୍‌ କଥା ଆମେ ଚିନ୍ତା କରିପାରିବୁ ନାହିଁ। ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍‌. ରାହୁଲଙ୍କ ସହ ସୂର୍ଯ୍ୟକୁମାରଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଥିବାରୁ ବିଶ୍ବକପ୍‌ରେ ଭାରତୀୟ ବ୍ୟାଟିଂ ଶକ୍ତିଶାଳୀ ଅଛି।

kalyan agarbati

Comments are closed.