ସ୍ୱାଧୀନତା ସଂଗ୍ରାମରେ ରକ୍ଷାବନ୍ଧନ
ଚଳିତବର୍ଷ ସ୍ୱାଧୀନତା ଦିବସ ଏବଂ ରକ୍ଷାବନ୍ଧନ ଗୋଟିଏ ଦିନରେ ପାଳିତ ହେଉଛି। ଏମିତିରେ ଭବିଷ୍ୟପୁରାଣରେ ରାଜା ବଳିଙ୍କ କାହାଣୀକୁ ନେଇ ରକ୍ଷାବନ୍ଧନର ଉଲ୍ଲେଖ ରହିଛି। ତେଣୁ ହାତରେ ରାଖୀ ବାନ୍ଧିବା ବେଳେ ପୁରୋହିତ ଉଚ୍ଚାରଣ କରୁଛନ୍ତି- ଯେନ ବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାବଳିଃ…। ରକ୍ଷାବନ୍ଧନ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଦେଶର ସ୍ୱାଧୀନତା ଆନ୍ଦୋଳନରେ ଏହି ରକ୍ଷାସୂତ୍ରର ବିଶେଷ ଭୂମିକା ରହିଥିଲା। ଏହା ମଧ୍ୟରୁ ଦୁଇଟି ଘଟଣା-
ବଙ୍ଗଭଙ୍ଗ ଓ ରକ୍ଷାବନ୍ଧନ
ରକ୍ଷା ବନ୍ଧନ ପର୍ବ ଭାଇ-ଭଉଣୀର ଏକ ଭାବାବେଗ ଜଡିତ ଅନୁଭବ ଦେଉଥିବା ବେଳେ ପବିତ୍ରତାର ପ୍ରତୀକ ପାଲଟିଥାଏ ରେଶମୀ ସୂତାର ରାଖୀ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାଗରଣ ପାଇଁ ମଧ୍ୟ ଏହି ପର୍ବର ଆଶ୍ରୟ ନିଆଯାଇଥିଲା। ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବଙ୍ଗଭଙ୍ଗର ବିରୋଧ କରୁଥିବା ସମୟରେ ରକ୍ଷାବନ୍ଧନ ପର୍ବକୁ ବଙ୍ଗବାସୀଙ୍କ ପାରସ୍ପରିକ ଭାଇଚାରା ତଥା ଏକତାର ପ୍ରତୀକ ଭାବେ ଦର୍ଶାଇ ଏହାର ରାଜନୈତିକ ବ୍ୟବହାର ଆରମ୍ଭ କରିଥିଲେ। ୧୯୦୫ରେ ତାଙ୍କର ପ୍ରସିଦ୍ଧ କବିତା ‘ମାତୃଭୂମି ବନ୍ଦନା’ ପ୍ରକାଶିତ ହୋଇଥିଲା ଯେଉଁଥିରେ ସେ ଲେଖିଥିଲେ- ‘ହେ ପ୍ରଭୁ! ମୋ ବଙ୍ଗଦେଶର ଧରିତ୍ରୀ, ନଦୀ, ବାୟୁ, ପୁଷ୍ପ- ସବୁ ପବିତ୍ର ରହୁ। ହେ ପ୍ରଭୁ, ମୋ ବଙ୍ଗଦେଶର ପ୍ରତ୍ୟେକ ଭାଇ-ଭଉଣୀଙ୍କ ହୃଦୟ ଅନ୍ତଃସ୍ଥଳ, ଅବିଚ୍ଛିନ୍ନ, ଅବିଭକ୍ତ ଏବଂ ଏକ ହୋଇ ରହୁ।
୧୯୦୫ରେ ଲର୍ଡ କର୍ଜନ ବଙ୍ଗଭଙ୍ଗ କରି ବନ୍ଦେମାତରମ୍ ଆନ୍ଦୋଳନରୁ ଜାତ ଏକ ଛୋଟ ଅଗ୍ନିିକଣାକୁ ବିଦ୍ରୋହର ବହ୍ନିରେ ପରିଣତ କରିଦେଇଥିଲେ। ସେହିବର୍ଷ ଅକ୍ଟୋବର ୧୬ତାରିଖରେ ବଙ୍ଗଭଙ୍ଗ ଘୋଷଣା ଦିନ ରକ୍ଷାବନ୍ଧନ ଯୋଜନା ସାକାର ହୋଇଥିଲା ଏବଂ ଲୋକେ ଗଙ୍ଗାସ୍ନାନ କରିବା ପରେ ଏହା କହି ଆନ୍ଦୋଳନରେ ରାସ୍ତା ଉପରକୁ ଓହ୍ଲାଇଥିଲେ-
‘ସପ୍ତକୋଟି ଲୋକେର୍ କରୁଣ କ୍ରନ୍ଦନ, ଶୁନେ ନା ଶୁନିଲ କର୍ଜନ ଦୁର୍ଜନ
ତାଇ ନିତେ ପ୍ରତିଶୋଧ ମନେର ମତନ କରିଲ, ଆମି ସ୍ୱଜନେ ରାଖୀ ବନ୍ଧନ।’
ଆଜାଦଙ୍କ ରାଖୀ ଭଉଣୀ
ବିପ୍ଳବୀ ଚନ୍ଦ୍ରଶେଖର ଆଜାଦଙ୍କ ସହିତ ମଧ୍ୟ ରାଖୀର ଏକ ଅଭୁଲା କାହାଣୀ ଜଡିତ ରହିଛି। ବ୍ରିଟିଶ ପୁଲିସ୍ ଆଖିରେ ଧୂଳିଦେଇ ସେ ଘୂରି ବୁଲୁଥିବା ବେଳେ ଏକ ଝଡରାତିରେ ଆଶ୍ରୟ ନେବା ପାଇଁ ଯେଉଁ ଘରେ ପହଞ୍ଚିଲେ ସେଠାରେ କେବଳ ଜଣେ ବିଧବା ବୃଦ୍ଧା ଏବଂ ତାଙ୍କ ଝିଅ ରହୁଥିଲେ। ପ୍ରଥମେ ବଳିଷ୍ଠ ଚେହେରାର ଆଜାଦଙ୍କୁ ଡକାୟତ ଭାବି ବୃଦ୍ଧା ଆଶ୍ରୟ ଦେବାକୁ ମନା କରିଦେଲେ। ପରେ ଆଜାଦ ନିଜ ପରିଚୟ ଦେବାରୁ କ୍ଷମା ମାଗି ସସମ୍ମାନେ ତାଙ୍କୁ ଘର ଭିତରକୁ ପାଛୋଟି ନେଇଥିଲେ ସେ। କଥାବାର୍ତ୍ତାରେ ଆଜାଦ ଜାଣିଥିଲେ ଯେ ଅଭାବ ଯୋଗୁ ବୃଦ୍ଧା ଝିଅର ବାହାଘର କରିପାରୁନାହାନ୍ତି। ତେଣୁ ସେ କହିଥିଲେ, ତାଙ୍କ ମୁଣ୍ଡ ଲାଗି ବ୍ରିଟିଶ ସରକାର ପାଞ୍ଚହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ବୃଦ୍ଧା ବ୍ରିଟିଶ ପୁଲିସ୍ ହାତରେ ତାଙ୍କୁ ଧରାଇ ସେହି ଟଙ୍କା ଆଣି ଝିଅ ବାହାଘର କରିପାରିବେ। ଏକଥା ଶୁଣିବା ପରେ ଛଳଛଳ ଆଖିରେ ବୃଦ୍ଧା କହିଥିଲେ- ‘ଭାଇ! ତମେ ଦେଶର ସ୍ୱାଧୀନତା ପାଇଁ ନିଜକୁ ସମର୍ପି ଦେଇଛ। ଦେଶର କେତେକେତେ ଝିଅ-ବୋହୂଙ୍କ ସମ୍ମାନ ତମ ହାତରେ ରହିଛି। ମୁଁ ଏତେ ସ୍ୱାର୍ଥପର କି ବିଶ୍ୱାସଘାତକ ନୁହେଁ ଯେ ନିଜ ଝିଅ ପାଇଁ ଦେଶର ହଜାରହଜାର ଝିଅବୋହୂଙ୍କୁ ମରଣ ମୁହଁକୁ ଠେଲିଦେବି। ଏପରି ପାପ ମୁଁ କେବେ କରିପାରିବି ନାହିଁ।’ ଏହାପରେ ବୃଦ୍ଧା ଆଜାଦଙ୍କ ହାତରେ ଏକ ରକ୍ଷାସୂତ୍ର ବାନ୍ଧି ତାଙ୍କଠାରୁ ଦେଶସେବାର ପ୍ରତିଶ୍ରୁତି ନେଇଥିଲେ। ସକାଳୁ ସେ ଆଖି ଖୋଲିବା ବେଳକୁ ଆଜାଦ ନଥିଲେ, କିନ୍ତୁ ତକିଆ ତଳେ ପାଞ୍ଚହଜାର ଟଙ୍କା ଏବଂ ଚିଠିଟିଏ ଥୁଆ ହୋଇଥିଲା। ସେଥିରେ ଲେଖାଥିଲା- ଶ୍ରେଦ୍ଧୟା ଭଉଣୀ ପାଇଁ ଏକ ଛୋଟ ଉପହାର।
Comments are closed.