ମହାମାରୀ ପରେ ବଢ଼ିଛି ପ୍ରତ୍ୟକ୍ଷ ଟିକସ ଆଦାୟ
ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଶୁଭଙ୍କର: ଅଧ୍ୟକ୍ଷ ଜେ.ବି. ମହାପାତ୍ର

ଭୁବନେଶ୍ବର: ଜାତୀୟ ସ୍ତରରେ ପ୍ରତ୍ୟକ୍ଷ ଟିକସ ଆଦାୟ ଅଭିବୃଦ୍ଧି ଘଟିଛି। ସେହିପରି ଓଡ଼ିଶାେର ବି ଟିକସ ଆଦାୟ ବୃଦ୍ଧି ପାଇଛି। ଦୁଇ ବର୍ଷ ପରେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଅଦାୟ ବୃଦ୍ଧି ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶୁଭଙ୍କର ବୋଲି କହିଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ଅଧ୍ୟକ୍ଷ ଜେ.ବି. ମହାପାତ୍ର। ଆୟକର ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀେର ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି ବିଗତ ବର୍ଷଗୁଡ଼ିକରେ କରଦାତାଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦିଆଯିବା ଫଳରେ ଟିକସ ସଂଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଆୟକର ଦାତା ଯେପରି କମ ହଇରାଣ ହୋଇ ଟିକସ୍ ପ୍ରଦାନ କରିବେ ସେଥିପାଇଁ ଏଥିରେ ସରଳୀକରଣ କରାଯାଇଛି। ଟିକସ ସଂଗ୍ରହ ମୋଟ ଘରୋଇ ଉତ୍ପାଦର ୧୨ ପ୍ରତିଶତକୁ ବୃଦ୍ଧି ପାଇଛି।
୨୦୨୧-୨୨ ଆର୍ଥିକ ବର୍ଷରେ ୧୪,୦୯,୬୪୦.୮୩ କୋଟି ଟଙ୍କାର ନଗଦ ପ୍ରତ୍ୟକ୍ଷ କର ସଂଗ୍ରହ କରାଯାଇଛି। ଯାହା ପୂର୍ବ ଆର୍ଥିକ ବର୍ଷ ୨୦୨୦-୨୧ର ୯,୪୫,୯୩୪.୩୪ କୋଟି ଟଙ୍କାର ତୁଳନାରେ ୪୯.୦୨ % ଅଭିବୃଦ୍ଧି ବୋଲି ସେ କହିଛନ୍ତି। ସେହିପରି ୨୦୨୧-୨୨ରେ ନଗଦ ପ୍ରତ୍ୟକ୍ଷ କର ୨୦୧୯-୨୦ ଆର୍ଥିକ ବର୍ଷର ସଂଗୃହୀତ ହୋଇଥିବା ୧୦,୫୦,୬୮୦.୫୬ କୋଟି ଟଙ୍କା ତୁଳନାରେ ୩୪.୧୬ % ଅଭିବୃଦ୍ଧି। ୨୦୧୮-୧୯ ବର୍ଷର ୧୧,୩୭,୭୧୮.୪୮ କୋଟି ଟଙ୍କାର ଟିକସ ତୁଳନାରେ ୨୩.୯୦ % ଅଭିବୃଦ୍ଧି ଘଟିଛି।
୨୦୨୧-୨୨ ଆର୍ଥିକ ବର୍ଷରେ ଫେରସ୍ତ ଦିଆଯିବା ପୂର୍ବରୁ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ ୧୬,୩୪,୪୫୪.୯୫ କୋଟି ଟଙ୍କା ହୋଇଥିଲା। ଯାହା ପୂର୍ବ ବର୍ଷ ତୁଳନାରେ ୩୨.୭୫ % ଅଭିବୃଦ୍ଧି ହୋଇଥିବା ଜଣାପଡିଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ୨,୨୪,୮୧୪.୧୨ କୋଟି ଟଙ୍କା ୨.୪୩କୋଟି ଆୟକରଦାତାଙ୍କୁ ଫେରସ୍ତ ଦିଆଯାଇଛି। ଗତ ଆର୍ଥିକ ବର୍ଷରେ ସେହିପରି ୨.୩୭ କୋଟି ଆୟକରଦାତାଙ୍କୁ ଫେରସ୍ତ ଦିଆଯାଇଥିଲା। ଯାହା ଗତ ଦୁଇ ବର୍ଷ ତୁଳନାରେ ଦ୍ରୁତ ପ୍ରକ୍ରିୟାକରଣ ଯୋଗୁଁ ଅଧିକ ସଂଖ୍ୟାରେ ଆୟକରଦାତାଙ୍କୁ ଫେରସ୍ତ ଦିଆଯିବା ସମ୍ଭବ ହୋଇପାରିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଆୟକର ବିଭାଗ ପାଇଁ ନିର୍ଦ୍ଧାରିତ ହୋଇଥିବା ଟିକସ ସଂଗ୍ରହ ଲକ୍ଷ୍ୟକୁ ଟପି ଯାଇଛି। ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ନିର୍ଦ୍ଧାରିତ ୧୪ ହଜାର କୋଟି ଟଙ୍କାର ବଜେଟ ସଂଗ୍ରହ ଲକ୍ଷ୍ୟ ଅତିକ୍ରମ କରି ୧୫,୪୮୧ କୋଟି ଟଙ୍କା ସଂଗ୍ରହ କରିଛି। ଯାହା ଲକ୍ଷ୍ୟର ୧୧୦.୫୭ ପ୍ରତିଶତ ବୋଲି ସିବିଡିଟିର ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ରେ ଟିକସ ସଂଗ୍ରହ ୨୦୨୦-୨୧ ଆର୍ଥିକ ବର୍ଷର ଟିକସ ସଂଗ୍ରହ ତୁଳନାରେ ୫୨.୫୦ ପ୍ରତିଶତ ଅଧିକ ଥିଲା। ସେହିପରି ୨୦୨୦-୨୧ରେ ବଜେଟ ସଂଗ୍ରହ ୨୦୧୯-୨୦ ତୁଳନାେର ୧୫.୪୧ ପ୍ରତିଶତ ଅଧିକ ଥିଲା। ରାଜ୍ୟରେ ୨୦୨୧-୨୨ରେ ମୋଟ ୧୮,୦୫୫ କୋଟି ଟଙ୍କା ଟିକସ ସଂଗ୍ରହ ହୋଇଥିଲା। ୨,୫୭୪ କୋଟି ଟଙ୍କା ଫେରସ୍ତ ପରେ ନଗଦ ଟିକସ ୧୫,୪୮୧ କୋଟି ଟଙ୍କା ହୋଇଥିଲା। ଆର୍ଥିକ ବର୍ଷ ୨୦୨୧-୨୨ରେ ଟିଡିଏସ୍ ସଂଗ୍ରହ ୬,୫୯୪ କୋଟି ଟଙ୍କା ହୋଇଅଛି ଯାହାକି ୨୦୨୦-୨୧ ତୁଳନାରେ ୩୬.୦୯ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭.୧୪ ପ୍ରତିଶତ ଅଧିକ। ୨୦୧୯-୨୦ରେ ୯.୯୨ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଥିଲା ବେଳେ ୨୦୨୦-୨୧ରେ ୧୦.୪୪ ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୨୧-୨୨ରେ ଏହା ୧୨.୯୫ ଲକ୍ଷରେ ପହଞ୍ଚିଛି। ଏହା କେବଳ ସରଳୀକରଣ ଯୋଗୁଁ ସମ୍ଭବ ହୋଇଛି। ଓଡ଼ିଶାରେ ପ୍ରତ୍ୟକ୍ଷ କର ସଂଗ୍ରହ ମୁଖ୍ୟତଃ ଖଣି କ୍ଷେତ୍ରରୁ ହୋଇଛି, ଯାହା ମୋଟ ରାଜସ୍ବର ୫୩ ପ୍ରତିଶତ।
୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ନିର୍ଦ୍ଧାରଣ ବର୍ଷ ୨୦୨୧-୨୨ ପାଇଁ ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲରେ ୭.୧୪ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଭରା ଯାଇଥିଲା ଯାହା ପୂର୍ବ ବର୍ଷର ଧାର୍ଯ୍ୟ ସମୟ ତୁଳନାରେ ୨.୪% ବୃଦ୍ଧି ପାଇଥିଲା। ଆୟକର ରିଟର୍ଣ୍ଣକୁ ପ୍ରୋସେସିଂ କରିବାରେ ହାରାହାରି ସମୟ ୨୬ ଦିନକୁ ହ୍ରାସ ପାଇଛି। ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, କୃତ୍ରିମ ବୁଦ୍ଧିମତ୍ତା(ଏଆଇ), ତଥ୍ୟ ବିଶ୍ଳେଷଣ, ଆୟକର ଦାତା ଆବେଦନକାରୀ ଫର୍ମ-୨୬ ଏଏସକୁ ପୁନଃପରିବର୍ତ୍ତନ କରାଯିବା ଯୋଗୁଁ କରଦାତା ପାଇଁ ଠିକ ଆୟକର ରିଟର୍ଣ୍ଣ ପୂରଣ ସହଜ ହୋଇଛି। ଆୟକର ସେବା କେନ୍ଦ୍ରଗୁଡିକର ସଂଖ୍ୟା ଓ ଦକ୍ଷତାକୁ ବୃଦ୍ଧି କରାଯାଇଛି। କରଦାତାଙ୍କ ପାଇଁ ଏକ ଅଣ-ପ୍ରତିକୂଳ ପରିବେଶ ସୃଷ୍ଟି କରୁଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଫେସଲେସ ବ୍ୟବସ୍ଥାର ଆରମ୍ଭ କରାଯାଇଛି। କରଦାତାଙ୍କୁ ଆୟକର ବିଭାଗ ପ୍ରତି ଉତ୍ତର ଦେବା ପାଇଁ ସହଜ କରାଇବା ଏବଂ ତ୍ବରିତ୍ ଆକଳନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଏଭଳି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ବରିଷ୍ଠ ଅଧିକାରୀ ପର୍ଣ୍ଣିତ ସିଂହ ସଚ୍ଚଦେବ ଓ ସୁରଭି ଆହ୍ଲୁୱାଲିଆ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.