ଜେଲ୍ରେ ରାମ ରହିମଙ୍କର ୧୫ କିଲୋ ଓଜନ କମିଲାଣି, ରୋଜଗାର କରିଛନ୍ତି ୧୮ହଜାର
ରୋହତକ : ହରିଆଣାର ସୁନାରିଆ ଜେଲରେ ୨ ବର୍ଷ ବନ୍ଦୀ ଥିବା ଡେରା ମୁଖ୍ୟ ରାମ ରହିମଙ୍କର ଓଜନ ୧୫ କିଲୋ ହ୍ରାସ ପାଇଲାଣି। ଏହା ସହିତ ଦୁଇବର୍ଷରେ ରହିମ ୧୮ ହଜାର ଟଙ୍କା ରୋଜଗାର କରିଛନ୍ତି। ରାମ ରହିମ୍ ଜେଲ ପରିସରରେ ପରିବା ଚାଷ କରି ଏହି ଟଙ୍କା ରୋଜଗାର କରିଛନ୍ତି। ମାତ୍ର ଏହି ରୋଜଗାର ପାଇଁ ସେ ବହୁ ପରିଶ୍ରମ କରିଥିବାରୁ ତାଙ୍କର ଓଜନ ୧୫ କିଲୋ ହ୍ରାସ ପାଇଛି।
ବାବାଙ୍କ ନାମରେ ଜଣାଶୁଣା ରାମ ରହିମ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୦୧୭ରୁ ଜେଲରେ ବନ୍ଦୀ ଅଛନ୍ତି। ସୂଚନାଯୋଗ୍ୟ ନିଜର ମୁଖ୍ୟାଳୟରେ ୫୦ତମ ଜନ୍ମଦିନ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରିବାର ୧୦ ଦିନ ପରେ ଗୁରମିତ ରାମ ରହିମ ୨୦୧୭ ଅଗଷ୍ଟ ୨୫ରେ ଗିରଫ ହୋଇଥିଲେ। ରାମ ରହିମଙ୍କୁ ପଞ୍ଚକୁଲା ସିବିଆଇର ଏକ ଅଦାଲତ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛି। ଜେଲ ଦଣ୍ଡ ମିଳିବା ପରେ ସୁନାରିଆ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରି ଦିଆଯାଇଛି। ଜେଲ୍ର ସୁରକ୍ଷାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଜେଲର ସାଧାରଣ କଏଦୀଙ୍କ ଠାରୁ ରାମ ରହିମଙ୍କୁ ଅଲଗା ରଖାଯାଇଛି। ରାମ ରହିମଙ୍କ ଉପରେ ଜେଲ କର୍ମଚାରୀମାନେ ୨୪ ଘଣ୍ଟା ନଜର ରଖିଛନ୍ତି। ଜେଲର ଜଣେ ଅଧିକାରୀ କହିଛନ୍ତି, ରାମ ରହିମ ଜେଲକୁ ଆସିବା ପରେ ଗଣମାଧ୍ୟମ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା; କାରଣ ଗଣମାଧ୍ୟମର ପ୍ରତିନିଧିମାନେ ବାବାଙ୍କ ବିଷୟରେ ଖବର ନେବା ପାଇଁ ବହୁ ସମୟ ଜେଲକୁ ଆସୁଥିଲେ।
Comments are closed.