ସମାଜଲାଇଭ ଡେସ୍କ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ଗୁଜବ ଉପରେ ଜବନିକା ପଡ଼ିଛି। ଶେଷରେ ଜେଲ ଅଡିଆଲା ଜେଲ କର୍ତ୍ତୃପକ୍ଷ ମଙ୍ଗଳବାର ଇମ୍ରାନଙ୍କ ଭଉଣୀ ଉଜମା ଖାନୁମଙ୍କୁ ତାଙ୍କ ସହିତ ଭେଟିବାକୁ ଅନୁମତି ଦେଇଛନ୍ତି। ଏହା ପରେ ଉଜମା ନିଜ ଭାଇ ଇମ୍ରାନଙ୍କୁ ଜେଲ ଭିତରେ ଭେଟିଛନ୍ତି। ତେବେ ଏହି ସାକ୍ଷାତ ସମୟରେ ଇମ୍ରାନ ନିଜ ଭଉଣୀଙ୍କୁ କ’ଣ କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପାକିସ୍ତାନୀ ଗଣମାଧ୍ୟ ଡନ୍ ସୂଚନା ଅନୁସାରେ, ଉଜମା ଯେତେବେଳେ ଜେଲ ଭିତରକୁ ପ୍ରବେଶ କଲେ, ସେତେବେଳେ ପିଟିଆଇ ସମର୍ଥକମାନେ ବାହାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଜମା ଜେଲରୁ ଫେରିବା ପରେ ପିଟିଆଇ ୟୁଏସଏ ପକ୍ଷରୁ ତାଙ୍କ ବିବୃତିକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଇମ୍ରାନଙ୍କ ସ୍ବାସ୍ଥ୍ୟ ସୁସ୍ଥ ରହିଛି ବୋଲି ଏଥିରେ କୁହାଯାଇଛି। ତେବେ ସାକ୍ଷାତ ସମୟରେ ଇମ୍ରାନ ଭଉଣୀଙ୍କୁ କହିଛନ୍ତି ଯେ, ଜେଲ ଭିତରେ ତାଙ୍କୁ ବହୁ ମାନସିକ ନିର୍ଯାତନା ଦିଆଯାଉଛି ଏବଂ ଅସିମ ମୁନିର ଏସବୁ ପାଇଁ ଦାୟୀ।
ଉଜମା କହିଛନ୍ତି ଯେ, ଇମ୍ରାନଙ୍କୁ ଦିନସାରା ଗୋଟିଏ ଘରେ ବନ୍ଦୀ କରି ରଖାଯାଉଛି। ଅତି ସ୍ବଳ୍ପ ସମୟ ପାଇଁ ବାହାରକୁ ଅଣାଯାଉଛି। କାହା ସହିତ କଥାବାର୍ତ୍ତା କରିବାର ସୁଯୋଗ ଦିଆଯାଉ ନାହିଁ। ସେ ଇମ୍ରାନଙ୍କ ସହିତ ପ୍ରାୟ ୩୦ ମିନିଟ କଥା ହୋଇଥିବା କହିଛନ୍ତି।



