ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଥିବାବେଳେ ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ଲାଗି ଇମ୍ରାନ୍ ଖାନ ସରକାର ଋଣ କରୁଛନ୍ତି। ତେବେ ଏଥର ଋଣ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲାମାବାଦର ସବୁଠୁ ବଡ଼ ପାର୍କକୁ ବନ୍ଧକ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ପାର୍କର ନାମ ହେଉଛି ଏଫ-୯ ପାର୍କ। ମଦାର-ଆଇ-ମିଲତ ଫତିମା ଜିନାଙ୍କ ନାମରେ ଏହାର ନାମକରଣ ହୋଇଛି। ୭୫୯ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି। ୫୦ ହଜାର କୋଟି ଟଙ୍କାର ଋଣ ପାଇଁ ଇମ୍ରାନ ଏହାକୁ ବନ୍ଧକ ରଖିବେ। ଡନ୍ ଖବରକାଗଜ ରିପୋର୍ଟ ଅନୁସାରେ, ମଙ୍ଗଳବାର ଏ ସମ୍ପର୍କରେ ଆୟୋଜିତ ହେବାକୁ ଥିବା ସଂଘୀୟ କ୍ୟାବିନେଟରେ ଇମ୍ରାନ ପ୍ରସ୍ତାବ ରଖିବେ।
ଋଣ ପାଇଁ ବନ୍ଧକ ରଖାଯିବା ଲାଗି କ୍ୟାପିଟାଲ ଡେଭେଲପମେଣ୍ଟ ଅଥରିଟିଙ୍କ ପକ୍ଷରୁ ଏକ ନୋ ଅବଜେକ୍ସନ ସାର୍ଟିଫିକେଟ (ଏନଓସି) ଜାରି କରାଯାଇଛି। ଏହା ପାକିସ୍ତାନ ପାଇଁ ନୂଆ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକ କୋଠା, ଅନୁଷ୍ଠାନ ଏବଂ ରାସ୍ତାକୁ ପାକିସ୍ତାନ ସରକାର ବନ୍ଧକ ରଖି ଋଣ କରିଛନ୍ତି।



