ଦୁବାଇ : ଭାରତର ବରିଷ୍ଠ ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଉଭୟ ଆଇସିସି ଟେଷ୍ଟ ବୋଲର ଓ ଅଲ୍ରାଉଣ୍ଡର ମାନ୍ୟତାରେ ୨ୟ ସ୍ଥାନ ବଜାୟ ରଖିଛନ୍ତି। ବୁଧବାର ପ୍ରକାଶ ପାଇଥିବା ସଦ୍ୟତମ ମାନ୍ୟତା ତାଲିକାରେ ରବୀନ୍ଦ୍ର ଜାଡ଼େଜା ଟେଷ୍ଟ ଅଲ୍ରାଉଣ୍ଡର ଭାବେ ୩ୟ ସ୍ଥାନ ବଜାୟ ରଖିଛନ୍ତି। ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ମଧ୍ୟ ଟେଷ୍ଟ ବ୍ୟାଟିଂ ତାଲିକାରେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ବଜାୟ ରଖିଛନ୍ତି।
ଅଷ୍ଟ୍ରେଲିଆର ଯୁବ ରନ୍ ମେସିନ୍ ମାର୍ନସ ଲାବୁସେନ୍ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ସର୍ବାଧିକ ୯୧୫ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଛନ୍ତି ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ (୯୦୦ ପଏଣ୍ଟ)। ତେବେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ଙ୍କୁ ୩ୟ ସ୍ଥାନରୁ ହଟାଇ ୩ୟ ସ୍ଥାନରେ ପହଞ୍ଚିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନ। ୱିଲିୟମ୍ସନଙ୍କର ୮୭୯ ପଏଣ୍ଟ ଥିବା ବେଳେ ୪ର୍ଥ ସ୍ଥାନକୁ ଖସି ଆସିଥିବା ସ୍ମିଥ୍ ୮୭୭ ପଏଣ୍ଟରେ ଅଛନ୍ତି। ଏମାନଙ୍କ ପଛକୁ ୫ମରୁ ୧୦ମ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର, ବିରାଟ କୋହଲି, ଶ୍ରୀଲଙ୍କାର ଦିମୁଥ୍ କରୁଣାରତ୍ନେ, ପାକିସ୍ତାନର ବାବର ଆଜମ୍ ଓ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍। ଟେଷ୍ଟ ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ବିନ ଏକମାତ୍ର ଭାରତୀୟ ଭାବେ ଶୀର୍ଷ-୧୦ରେ ରହିଛନ୍ତି। ୮୮୩ ରେଟିଂ ପଏଣ୍ଟ ସହ ଅଶ୍ବିନ ୨ୟ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ତାଲିକାର ଶୀର୍ଷରେ ରହିଛନ୍ତି। ପାକିସ୍ତାନର ବାମହାତି ପେସର ସାହିନ୍ ଶାହା ଆଫ୍ରିଦି ୩ୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଛନ୍ତି ନ୍ୟୁଜିଲାଣ୍ଡର ଟିମ୍ ସାଉଦି ଓ ଇଂଲଣ୍ଡର ଜେମ୍ସ ଆଣ୍ଡରସନ। ପଦାର୍ପଣ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ଫାଷ୍ଟବୋଲର ସ୍କଟ୍ ବୋଲାଣ୍ଡ ୭୪ତମ ସ୍ଥାନରେ ରହି ଟେଷ୍ଟ ବୋଲର ମାନ୍ୟତାରେ ପ୍ରବେଶ କରିଛନ୍ତି। ଟେଷ୍ଟ ଅଲ୍ରାଉଣ୍ଡର ତାଲିକାରେ ୱେଷ୍ଟଇଣ୍ଡିଜ୍ର ଜେସନ୍ ହୋଲ୍ଡର ୩୮୨ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ୩୬୦ ପଏଣ୍ଟ ସହ ଅଶ୍ବିନ୍ ୨ୟ ଏବଂ ୩୪୬ ପଏଣ୍ଟ ସହ ଜାଡ଼େଜା ୩ୟ ସ୍ଥାନରେ ରହିଛନ୍ତି। ବାଂଲାଦେଶର ସାକିବ୍ ଅଲ୍ ହାସନ୍ ୪ର୍ଥ ସ୍ଥାନରେ ଅଛନ୍ତି। ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୫ମ ସ୍ଥାନକୁ ଉଠିଥିବା ବେଳେ ଷ୍ଟୋକ୍ସ ୬ଷ୍ଠ ସ୍ଥାନରେ ରହିଛନ୍ତି। ୧୨୪ ପଏଣ୍ଟ ସହ ଭାରତ ଟେଷ୍ଟ ଦଳ ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୨ୟ, ନ୍ୟୁଜିଲାଣ୍ଡ ୩ୟ, ଇଂଲଣ୍ଡ ୪ର୍ଥ ଓ ପାକିସ୍ତାନ ୫ମ ସ୍ଥାନରେ ରହିଛନ୍ତି।
ଆଇସିସି ଟେଷ୍ଟ ମାନ୍ୟତା : ବୋଲର ଓ ଅଲ୍ରାଉଣ୍ଡର ମାନ୍ୟତାର ୨ୟ ସ୍ଥାନ ବଜାୟ ରଖିଲେ ଅଶ୍ବିନ
Popular Categories



