ସେଞ୍ଚୁରିଅନ୍ : ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍କୁ ଜିତିବା ଲାଗି ଘରୋଇ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ କଷ୍ଟସାଧ୍ୟ ୩୦୫ ରନ୍ର ପିଛାକରୁଛି। ପ୍ରଥମ ଇନିଂସରେ ୧୩୦ ରନ୍ ଆଗରେ ରହିଥିବା ଭାରତ ୨ୟ ଇନିଂସରେ ଆଶାନୁରୂପ ବ୍ୟାଟିଂ କରି ପାରିନଥିଲେ ମଧ୍ୟ ଅଦ୍ୟାବଧି ଏହା ଭଲ ସ୍ଥିତିରେ ରହିଛି। କାଗିସୋ ରାବାଡା ଓ ମାର୍କୋ ୟାନ୍ସେନ୍ ୪ଟି ଲେଖାଏଁ ୱିକେଟ ନେବାରୁ ବୁଧବାର ୪ର୍ଥ ଦିନରେ ଭାରତ ୨ୟ ଇନିଂସରେ ୧୭୪ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍ ବିଜୟଲକ୍ଷ୍ୟର ପିଛା କରିବାକୁ ପଡ଼ିଛି। ୪ର୍ଥ ଦିନର ଖେଳ ସମାପ୍ତି ବେଳକୁ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୯୪ ରନ୍କରି ୪ଟି ୱିକେଟ ହରାଇଛି। ଅଧିନାୟକ ଡିନ୍ ଏଲ୍ଗାର ଅର୍ଦ୍ଧଶତକ ହାସଲକରି କ୍ରିଜ୍ରେ ଅଛନ୍ତି। ଗୁରୁବାର ୫ମ ତଥା ଅନ୍ତିମ ଦିନରେ ମ୍ୟାଚ୍ ଜିତିବା ପାଇଁ ଭାରତ ୬ଟି ୱିକେଟ ଆବଶ୍ୟକ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୧ ରନ୍ ଆବଶ୍ୟକ କରୁଛି। ଗୁରୁବାର ଯଦି ବର୍ଷା ନହୁଏ; ମ୍ୟାଚ୍ର ଫଇସଲା ହେବା ନିଶ୍ଚିତ।
୩୦୫ ରନ୍ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭକରି ୨ୟ ଓଭରରେ ୱିକେଟ ହରାଇଥିଲା। ଐଡେନ୍ ମାର୍କରାମ ୧ ରନ୍କରି ମହମ୍ମଦ ସାମିଙ୍କ ବଲ୍ରେ ପ୍ଲେଏଡ୍ ଅନ୍ ହୋଇଥିଲେ। ପରେ କିଗାନ୍ ପିଟରସନ୍ ୩ଟି ଚୌକା ସହ ୧୭ ରନ୍କରି ମହମ୍ମଦ ସିରାଜ୍ଙ୍କ ଆଉଟ୍ ସ୍ବିଙ୍ଗରକୁ ୱିକେଟ ରକ୍ଷକଙ୍କ ହାତକୁ ମାରିଥିଲେ। ପରେ ଅଧିନାୟକ ଡିନ୍ ଏଲ୍ଗାର ଓ ରାସି ଭାନ୍ ଡର୍ ଡ୍ୟୁସେନ୍ ଲଢ଼ୁଆ ବ୍ୟାଟିଂକରି ୩ୟ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ତେବେ ୪ର୍ଥ ଦିନର ଶେଷ ଅଧଘଣ୍ଟାରେ ଯଶପ୍ରୀତ ବୁମ୍ରା ୨ଟି ମାରାତ୍ମକ ବଲ୍ରେ ୨ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟ୍କା ଦେଇଥିଲେ। ଡ୍ୟୁସେନ୍ ୧୧ ରନ୍ କରିଥିବା ବେଳେ ବୁମ୍ରାଙ୍କ ଇନ୍ସ୍ବିଙ୍ଗରକୁ ବୁଝିନପାରି ଏହାକୁ ଛାଡ଼ିଦେଇ ବୋଲ୍ଡ ହୋଇଥିଲେ। ଦିନର ଅନ୍ତିମ ଓଭରରେ ଏକ ମାରାତ୍ମକ ୟର୍କରରେ ନାଇଟ୍ ୱାଚ୍ମ୍ୟାନ୍ କେଶବ ମହାରାଜ ୧୧ ରନ୍କରି ବୋଲ୍ଡ ହୋଇଥିଲେ। ବାମହାତି ଡିନ୍ ଏଲ୍ଗାର ୧୨୨ ବଲ୍ରୁ ୭ଟି ଚୌକା ସହ ୫୨ ରନ୍କରି ଅପରାଜିତ ରହିଛନ୍ତି।
ଭାରତର ପ୍ରଥମ ଇନିଂସ ସ୍କୋର୍ ୩୨୭ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୯୭ ରନ୍କରି ଅଲ୍ଆଉଟ ହୋଇଥିଲା। ପ୍ରଥମ ଇନିଂସରେ ୧୩୦ ରନ୍ ଆଗରେ ଥିବା ଭାରତ ୩ୟ ଦିନ ଶେଷରେ ୨ୟ ଇନିଂସରେ ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍ ହରାଇ ୧୬ ରନ୍ କରିଥିଲା। ୪ର୍ଥ ଦିନ ଆରମ୍ଭରୁ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ନାଇଟ୍ ୱାଚ୍ମ୍ୟାନ୍ ସାର୍ଦ୍ଦୁଳ ଠାକୁର ୧୦ ରନ୍କରି ଆଉଟ ହୋଇଥିଲେ। ପ୍ରଥମ ଇନିଂସେର ଶତକ ହାସଲ କରିଥିବା କେ.ଏଲ୍. ରାହୁଲ ୨୩ ରନ୍କରି ଆଉଟ ହୋଇଥିଲେ। କ୍ରମାଗତ ୨ୟ ଇନିଂସରେ ଅଧିନାୟକ ବିରାଟ କୋହଲି ଅଫ୍ଷ୍ଟମ୍ପ୍ର ବହୁତ ବାହାରର ବଲ୍କୁ ମାରିବାକୁ ଯାଇ ୱିକେଟ ରକ୍ଷକଙ୍କୁ କ୍ୟାଚ୍ ଦେଇଥିଲେ। କୋହଲି ୧୮ ରନ୍ କରିଥିଲେ। ଚେତେଶ୍ବର ପୂଜାରା ଖରାପ ବ୍ୟାଟିଂ ଫର୍ମ ଜାରିରଖି ୧୬ ରନ୍ କରିଥିଲେ। ଅଜିଙ୍କ୍ୟ ରାହାଣେ ଦର୍ଶନୀୟ ଷ୍ଟ୍ରୋକ୍ସବୁ ଖେଳିଥିଲେ ହେଁ ବାଉନ୍ସର ବଲ୍କୁ ମାରି କ୍ୟାଚ୍ ଦେଇଥିଲେ। ରାହାଣେ ୨୩ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ବିନ ୧୪ ରନ୍ କରିଥିଲେ। ଋଷଭ ପନ୍ତ୍ ସ୍ବାଭାବିକ ଭାବେ ଆକ୍ରମଣାତ୍ମକ ବ୍ୟାଟିଂକରି ୩୪ ବଲ୍ରୁ ୬ଟି ଚୌକା ସହ ସର୍ବାଧିକ ୩୪ ରନ୍ କରିଥିଲେ। ୨୮ ରନ୍ରେ ଭାରତ ଶେଷ ୪ଟି ୱିକେଟ ହରାଇଥିଲା। କାଗିସୋ ରାବାଡା ଓ ମାର୍କୋ ୟାନ୍ସେନ୍ ୪ଟି ଲେଖାଏଁ ଏବଂ ଲୁଙ୍ଗି ଏନ୍ଗିଡି ୨ଟି ୱିକେଟ ନେଇଥିଲେ।
ପ୍ରଥମ ଟେଷ୍ଟ : ବିଜୟ ଲକ୍ଷ୍ୟ ୩୦୫ ; ଦକ୍ଷିଣ ଆଫ୍ରିକା ୪/୯୪
Popular Categories



