ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା : ସୂର୍ଯ୍ୟକୁମାର ୨ୟ ସ୍ଥାନରେ ସ୍ଥିର

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଆଇସିସି ପୁରୁଷ ଟ୍ବେଣ୍ଟି୨୦ ମାନ୍ୟତାରେ ଭାରତୀୟ ବ୍ୟାଟ୍‌ସମ୍ୟାନ ସୂର୍ୟ୍ୟକୁମାର ଯାଦବ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ପାକିସ୍ତାନ ଓପନର ମହମ୍ମଦ ରିଜ୍‌ୱାନ ୮୬୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ସୂର୍ୟ୍ୟକୁମାର ୮୩୮ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏବେ ଟ୍ବେଣ୍ଟି୨୦ର ଦୁଇ ଶ୍ରେଷ୍ଠ ବ୍ୟାଟ୍‌ସ୍ୟମ୍ୟାନ ରିଜ୍‌ୱାନ ଓ ସୂର୍ୟ୍ୟକୁମାର ୨୩ରେ ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ। ସେହିପରି ବ୍ୟାଟିଂ ମାନ୍ୟତାରେ ଭାରତୀୟ ଓପନର ଲୋକେଶ ରାହୁଲ ୧୩ତମ, ବିରାଟ କୋହଲି ୧୫ତମ ଓ ଅଧିନାୟକ ରୋହିତ ଶର୍ମା ୧୬ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ ୩ୟ ସ୍ଥାନକୁ ଖସି ଆସିଥିବାବେଳେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ ଆଇଡାନ ମାର୍କରାମ ୪ର୍ଥ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନ ଡିଭନ କନୱେ ଓ ଗ୍ଲେନ ଫିଲିପ୍ସ ମିିଳିତ ଭାବେ ୧୦ତମ ସ୍ଥାନରେ ରହିଛନ୍ତି। ଫିଲିପ୍ସ ଓ କନୱେ ପାକିସ୍ତାନ ଓ ବାଂଲାଦେଶ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପାଇଁ ମାନ୍ୟତାରେ ଅଗ୍ରଗତି କରିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ୧୭୩ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ବାଂଲାଦେଶ ଅଧିନାୟକ ସାକିବ୍‌ ଉଲ୍‌ ହାସନ ଆଫଗାନିସ୍ତାନର ମହମ୍ମଦ ନବିଙ୍କୁ ପଛରେ ପକାଇ ଟ୍ବେଣ୍ଟି୨୦ ଅଲରାଉଣ୍ଡର ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜେଲଉଡ୍‌ ୭୦୫ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନ ସ୍ପିନର ରସିଦ୍‌ ଖାନ ୨ୟ, ଶ୍ରୀଲଙ୍କାର ୱାହିନ୍ଦୁ ହାସରଙ୍ଗା ୩ୟ ,ଦକ୍ଷିଣ ଆଫ୍ରିକାର ତାବରିଜ୍‌ ସାମ୍‌ସି ୪ର୍ଥ ଓ ଭାରତର ଭୁବନେଶ୍ବର କୁମାର ୧୨ତମ, ରବିଚନ୍ଦ୍ରନ ଅଶ୍ବିନ ୨୨ ଓ ଅକ୍ଷର ପଟେଲ ୨୩ତମ ସ୍ଥାନରେ ରହିଛନ୍ତି।

Comments are closed.