ଦଶନ୍ଧିର ଶ୍ରେଷ୍ଠ ଆଇସିସି ଏକାଦଶ; ଧୋନି ଦିନିକିଆ, ଟି୨୦; କୋହଲି ଟେଷ୍ଟ ଅଧିନାୟକ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ଏକାଦଶ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ୨ ଜଣ ଭାରତୀୟ ବିରାଟ କୋହଲି ଓ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ଦଳରେ ଇଂଲଣ୍ଡର ସର୍ବାଧିକ ୪ଜଣ ଖେଳାଳିଙ୍କୁ ସ୍ଥାନ ମିିଳିଛି। ଅଷ୍ଟ୍ରେଲିଆ ଓ ଭାରତର ଦୁଇଜଣ ଲେଖାଏଁ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଛି।
ଟେଷ୍ଟ ଖେଳୁଥିବା ଦେଶ ମଧ୍ୟରୁ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶର କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ଦଳରେ ଓପନର ଭାବେ ଡେଭିଡ୍ ୱାର୍ଣ୍ଣର ଓ ଆଲଷ୍ଟାୟାର କୁକ୍ ରହିଥିବା ବେଳେ ୩ନଂରେ କେନ୍ ୱିଲିୟମସନ, ୪ନଂରେ ବିରାଟ କୋହଲି, ଷ୍ଟିଭ୍ ସ୍ମିଥ୍ଙ୍କୁ ୫ମ, କୁମାର ସାଙ୍ଗାକାରାଙ୍କୁ ୬ଷ୍ଠ ଓ ବେନ୍ ଷ୍ଟୋକ୍ସଙ୍କୁ ୭ମ ସ୍ଥାନରେ ବ୍ୟାଟିଂ ମିଳିଛି। ସ୍ପିନ ବୋଲିଂ ବିଭାଗରେ କେବଳ ଅଶ୍ବିନ ରହିଥିବା ବେଳେ ୩ଜଣ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍ ଓ ଡେଲ୍ ଷ୍ଟେନ୍ଙ୍କୁ ସ୍ଥାନ ମିିଳିଛି। ବିରାଟଙ୍କ ନେତୃତ୍ବରେ ଭାରତ ୨୮ଟି ଟେଷ୍ଟ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ସେହିପରି ଦଶନ୍ଧିର ଆଇସିସି ଶ୍ରେଷ୍ଠ ଦିନିକିଆ ଓ ଟ୍ବେଣ୍ଟି୨୦ ଏକାଦଶରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ରହିଥିବାବେଳେ ଓପନର ଭାବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି। ଫାଷ୍ଟ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ କେବଳ ଟ୍ବେଣ୍ଟି୨୦ରେ ସ୍ଥାନ ମିଳିଥିବା ବେଳେ ଦିନିକିଆରେ କୌଣସି ଭାରତୀୟ ବୋଲରଙ୍କୁ ସ୍ଥାନ ମିଳିନାହିଁ।
ଦଶନ୍ଧିର େଶ୍ରଷ୍ଠ ଟେଷ୍ଟ ଏକାଦଶ: ଆଲ୍ଷ୍ଟାୟାର କୁକ୍, ଡେଭିଡ୍ ୱାର୍ଣ୍ଣର, କେନ୍ ୱିଲିୟମସନ, ବିରାଟ କୋହଲି (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, କୁମାର ସାଙ୍ଗାକାରା (ୱିକେଟ ରକ୍ଷକ), ବେନ୍ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ବିନ, ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍ ଓ ଡେଲ୍ ଷ୍ଟେନ୍।
ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏକାଦଶ: ରୋହିତ ଶର୍ମା, ଡେଭିଡ୍ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି’ଭିଲିଅର୍ସ, ସାକିବ୍ ଉଲ୍ ହାସନ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ବେନ୍ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ୍ ତାହିର ଓ ଲାସିଥ୍ ମାଲିଙ୍ଗା।
ଦଶନ୍ଧିର ଶ୍ରେଷ୍ଠ ଟି୨୦ ଏକାଦଶ: ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ୍ ଫିଞ୍ଚ୍, ବିରାଟ କୋହଲି, ଏବି ଡି’ଭିଲିଅର୍ସ, ଗ୍ଲେନ ମ୍ୟାକ୍ସୱେଲ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), କୈରନ ପୋଲାର୍ଡ, ରସିଦ୍ ଖାନ, ଯଶପ୍ରୀତ୍ ବୁମ୍ରା ଓ ଲାସିଥ୍ ମାଲିଙ୍ଗା।
ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି ଓ ଅଶ୍ବିନ, ରୋହିତ, ଧୋନି
ଭାରତୀୟ ଅଧିନାୟକ ବିରାଟ କୋହଲି ଓ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇସିସି ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେନ୍ ୱିଲିୟମସନ (ନ୍ୟୁଜିଲାଣ୍ଡ), ଜୋ ରୁଟ୍ (ଇଂଲଣ୍ଡ),ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ) ଏବି ଡି’ଭିଲିଅର୍ସ (ଦକ୍ଷିଣ ଆଫ୍ରିକା) ଶ୍ରୀଲଙ୍କାର କୁମାର ସାଙ୍ଗାକାରା ପ୍ରମୁଖ ଆଇସିସି ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ରହିଛନ୍ତି। ସେହିପରି ଆଇସିସି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ଦୌଡ଼ରେ ୩ ଭାରତୀୟ ଖେଳାଳି ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ଓ କୁମାର ସାଙ୍ଗାକାରା, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଏବି ଡି’ଭିଲିଅର୍ସ ରହିଛନ୍ତି। ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର ଦୌଡ଼ରେ ବିରାଟ କୋହଲିଙ୍କ ସମେତ କେନ୍ ୱିଲିୟମସନ,ଜୋ ରୁଟ୍, ଷ୍ଟିଭ୍ ସ୍ମିଥ୍, ଜେମ୍ସ ଆଣ୍ଡରସନ, ଶ୍ରୀଲଙ୍କାର ରଙ୍ଗନା ହେରାଥ୍, ପାକିସ୍ତାନର ୟାସିର ଶାହା ରହିଛନ୍ତି। ଚୂଡାନ୍ତ ଘୋଷଣା ସୋମବାର ଅନୁଷ୍ଠିତ ହେବ। ସେହିପରି ପୁରୁଷ ବିଭାଗରେ ସ୍କଟ୍ଲାଣ୍ଡର କେଲ୍ କୋଏଜର ଓ ମହିଳା ବିଭାଗରେ ଅଲ୍ରାଉଣ୍ଡର କାଥାୟାନ୍ ବ୍ରାଇସ୍ଙ୍କୁ ଆଇସିସି ଦଶନ୍ଧିର ଶ୍ରେଷ୍ଠ ସହଯୋଗୀ ଦେଶର ଖେଳାଳି ପୁରସ୍କାର ମିଳିଛି।
Comments are closed.