ବୌଦ୍ଧ : ଜିଲ୍ଲାରେ ବୃଦ୍ଧି ପାଉଛି ତାପମାତ୍ରା । ଏହାଦ୍ବାରା ବନାଗ୍ନି ଓ ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟଜନ୍ତୁଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ବିଶେଷକରି ମାର୍ଚ୍ଚ ମାସ ଠାରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନାଗ୍ନି ଯୋଗୁଁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ବନ୍ୟଜନ୍ତୁ ଗୁରୁତର ପ୍ରଭାବିତ ହୋଇଥାନ୍ତି । ଏଭଳି ସମୟରେ ବେଶ୍ ସକ୍ରିୟ ହୋଇଉଠିଛନ୍ତି ପଶୁ ଶିକାରୀ । ବନ୍ୟଜନ୍ତୁଙ୍କ ଶିକାର ପାଇଁ ଶିକାରୀମାନେ ଛକି ବସିଛନ୍ତି । ବର୍ତ୍ତମାନ ଏହିପରି ଜଣେ ଶିକାରୀଙ୍କଠାରୁ ଏକ କ୍ବିଣ୍ଟାଲ ଜଙ୍ଗଲୀ ବାର୍ହା ମାଂସ ଜବତ କରାଯାଇଥିବାବେଳେ ଶିକାର ରୋକିବାକୁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବନ ବିଭାଗ ।
ବୌଦ୍ଧ ବନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଓ୍ବାଟର ବଡ଼ି ବା ଜଳାଶୟ ନିର୍ମାଣ କରାଯାଇଛି । ଏଥିସହ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରାଯାଇ ବନାଗ୍ନି ରୋକିବା ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତଥାପି ବନ୍ୟପ୍ରାଣୀଙ୍କ ଶିକାର ପାଇଁ ଶିକାରୀମାନେ ସକ୍ରିୟ ହୋଇ ଉଠିଥିବା ଯୋଗୁଁ ବନ ବିଭାଗ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ସେପଟେ ଦୁଇ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ଡୁଇସିଙ୍ଗ ଅଞ୍ଚଳରୁ ଏକ ବିଶାଳକାୟ ଜଙ୍ଗଲୀ ବାରହାକୁ ଦୁଇ ଖଣ୍ଡ କାଟି ଦୁଇଟି ବାଇକରେ ଚାରିଜଣ ଯୁବକ ଏକ ଭୋଜି ପାଇଁ ଚାରିଛକ ଆଡ଼କୁ ନେଉଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ଦାୟିତ୍ବରେ ଥିବା ପାଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲେ ।
ଏହାପରେ ଯୁବକମାନେ ବାରହା ମାଂସକୁ ଫିଙ୍ଗି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ସମୟରେ ବନ କର୍ମଚାରୀମାନେ ଜଣେ ଯୁବକକୁ କାବୁ କରିନେଇଥିଲେ । ପୁରୁଣା କଟକ ଅଞ୍ଚଳର ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ବର୍ତ୍ତମାନ ଭୋଜିଭାତ ସମୟ ଥିବାରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ସମୟରେ ଏଭଳି ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ଏନେଇ ଉଭୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।



