ଇନ୍ଦ୍ରଧନୁ ଭଳି ପତାକା ପଛର ରହସ୍ୟ !
ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ ପରେ ସମଲିଙ୍ଗୀ ସମ୍ପ୍ରଦାୟ ଉତ୍ସବମୁଖର ହୋଇଉଠିଛନ୍ତି। ସେମାନଙ୍କ ହାତରେ ରହିଛି ଇନ୍ଦ୍ରଧନୁ ସଦୃଶ ପତାକା। ଶରୀରରେ ମଧ୍ୟ ସମାନ ପ୍ରକାର ଚିତ୍ର ଶୋଭାପାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଏଭଳି ପ୍ରତୀକାତ୍ମକ ପତାକା ବ୍ୟବହାର ପଛର ରହସ୍ୟ କ’ଣ? କାହିଁକି ଏଭଳି ପତାକା ପ୍ରସ୍ତୁତ ହୋଇଥିଲା?
ସୂଚନାନୁଯାୟୀ, ସାନ୍ ଫ୍ରାନ୍ସିସ୍କୋର ଜଣେ କଳାକାର ଗିଲବର୍ଟ ବାକର ୧୯୭୮ରେ ଏହି ପତାକା ପ୍ରସ୍ତୁତ କରିଥିଲେ। ସେ ଥିଲେ ଜଣେ ସୈନ୍ୟବାହିନୀ କର୍ମଚାରୀ ତଥା ସମଲିଙ୍ଗୀଙ୍କ ପାଇଁ ଲଢ଼ୁଥିବା ସାମାଜିକ କର୍ମୀ। ୧୯୭୪ରେ ସେ ଆମେରିକୀୟ ରାଜନୀତିଜ୍ଞ ତଥା ସମଧର୍ମୀ ସାମାଜିକ କର୍ମୀ ହାର୍ଭେ ମିଲ୍କଙ୍କ ସହିତ ପରିଚିତ ହେବା ପରେ ମିଲ୍କ ବାକରଙ୍କୁ ସେମାନଙ୍କ ବାର୍ତ୍ତା ପ୍ରଚାର ପାଇଁ ପ୍ରତୀକ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ। ଆମେରିକୀୟ ପତାକା ଦ୍ୱାରା ପ୍ରଭାବିତ ହୋଇ ବାକର ଏହି ପ୍ରତୀକାତ୍ମକ ପତାକା ପ୍ରସ୍ତୁତ କରିଥିଲେ। ଇନ୍ଦ୍ରଧନୁରେ ସବୁ ରଙ୍ଗ ସମ୍ମିଳିତ ହେବା ଭଳି ପତାକାରେ ସବୁ ଧର୍ମ, ସମ୍ପ୍ରଦାୟ, ବର୍ଣ୍ଣ, ଜାତୀୟତା, ଲିଙ୍ଗ ଓ ବୟସର ମିଳନ ହୋଇଥିବା ସେ ଦର୍ଶାଇବାକୁ ଚାହିଁଥିଲେ। ଏଥିରେ ରହିଥିବା ପ୍ରତ୍ୟେକ ରଙ୍ଗ ସ୍ୱତନ୍ତ୍ର ବାର୍ତ୍ତା ବହନ କରୁଥିବା କହନ୍ତି ବାକର।
ଗୋଲାପି ରଙ୍ଗ ଯୌନ ଉଦ୍ଦୀପନା, ନାରଙ୍ଗୀ କ୍ଷତ ପୂରଣ, ହଳଦୀଆ ସୂର୍ୟ୍ୟ କିରଣ, ସବୁଜ ପ୍ରକୃତିର ପ୍ରତୀକ ବହନ କଲାଭଳି ଅନ୍ୟ ରଙ୍ଗଗୁଡ଼ିକ ସଂହତି, ଶାନ୍ତି, କଳା ଓ ସର୍ବୋପରି ବାଇଗଣି ରଙ୍ଗ ଉତ୍ସାହର ପ୍ରତୀକ ହୋଇଛି। ୧୯୭୮ ଜୁନ୍ ୨୫ରେ ଅନୁଷ୍ଠିତ ସାନ୍ ଫ୍ରାନ୍ସିସ୍କୋ ସମଲିଙ୍ଗୀ ସ୍ୱାଧୀନତା ପରେଡ୍ରେ ପ୍ରଥମ ଥର ପାଇଁ ଏହି ପତାକା ପ୍ରଦର୍ଶିତ ହୋଇଥିଲା। ସମୟକ୍ରମେ ଏଥିରେ କିଛିଟା ପରିବର୍ତ୍ତନ ଆସିଛି। ଏଥିରେ କିଛି ଅଧିକ ରଙ୍ଗ ସଂଯୁକ୍ତ ହୋଇଛି ବା ବାଦ ପଡ଼ିଛି। ୧୯୭୮ ନଭେମ୍ବର ୨୭ରେ ମିଲ୍କଙ୍କୁ ହତ୍ୟା କରାଯିବା ପରେ ଏହି ସମ୍ପ୍ରଦାୟ ବଳିଷ୍ଠ ହେବା ସହ ପତାକାର ପ୍ରସାର ହୋଇଥିଲା।