ସମାଜ ପୋର୍ଟାଲ ଡେସ୍କ: ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ବେଆଇନ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଓ କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଓ ସ୍ଥିତି ନେଇ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତଭାବେ ସମୀକ୍ଷା କରାଯାଇଛି।
ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ବେଆଇନ ଭାବେ ମହଜୁଦ କରି ରଖୁଛନ୍ତି କିମ୍ବା କଳାବଜାରୀ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



