www.samajalive.in
Monday, December 15, 2025
16.1 C
Bhubaneswar

ହକି ପାଇଁ ଓଡ଼ିଶାର ଲଢ଼େଇ ଉଦ୍ୟମକୁ ସବୁ ମହଲରେ ପ୍ରଶଂସା

ଭୁବନେଶ୍ୱର : ଫୁଟବଲ ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ହୋଇଥିବାବେଳେ କ୍ରିକେଟ୍‍ ଭାରତରେ ସର୍ବାଧିକ ଲୋକପ୍ରିୟ। ଧନାଢ୍ୟ କ୍ରୀଡ଼ାର ମାନ୍ୟତା ପାଇଥିବା କ୍ରିକେଟ୍‍କୁ ନେଇ ବାଦ ବିବାଦ ସୃଷ୍ଟି ହେଉଥିଲେ ମଧ୍ୟ ଲୋକପ୍ରିୟତା କମି ନାହିଁ। କ୍ରିକେଟ ଲୋକପ୍ରିୟ ଭାରତରେ ହକିକୁ ପ୍ରଚାର ଓ ପ୍ରସାର କରିବାରେ ଓଡ଼ିଶାର ଉଦ୍ୟମକୁ ନେଇ ବେଶ ଚର୍ଚ୍ଚା। ପ୍ରଥମ ରାଜ୍ୟ ଭାବେ ହକିରେ ଓଡ଼ିଶା ସରକାର ପ୍ରାୟୋଜକ ହେବା ଓ ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ସବୁ ମହଲରେ ପ୍ରଶଂସା କରାଯାଇଛି।
ସ୍ୱାଧୀନ ଭାରତକୁ ଅଲିମ୍ପିକ୍‍ରେ ୫ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି କାଂସ୍ୟ ପଦକ ଦେଇଥିବା ଭାରତୀୟ ହକି ଏବେ ମଧ୍ୟ ଅଣଦେଖା। ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି ହେଉ କି ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏଭଳି ଏକ ତଥ୍ୟକୁ ଲୋକଲୋଚନାକୁ ଆଣିବା ସହ ହକିକୁ ଜାତୀୟ କ୍ରୀଡ଼ା ଭାବେ ବିଧିବଦ୍ଧ ମାନ୍ୟତା ଦେବା ଲାଗି ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ପ୍ରଦାନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ନେଇ ତୁରନ୍ତ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଏଭଳି ପଦକ୍ଷେପ ନେଇ କ୍ରୀଡ଼ାବିତ୍‍ଙ୍କଠାରୁ ଆରମ୍ଭ କରି ସମାଜର ସବୁ ବର୍ଗଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ମୁଖ୍ୟମନ୍ତ୍ରୀ।
ଭାରତୀୟ ହକି ଦଳ ପାଇଁ ଓଡ଼ିଶାର ଅବଦାନ କମ୍‍ ନୁହେଁ। ଏକାଧିକ ଅଲିମ୍ପିଆନ ଏହି ରାଜ୍ୟରୁ ସୃଷ୍ଟି ହୋଇଛନ୍ତି। ଅଲିମ୍ପିଆନ୍‍ ଦିଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ଲାଜରୁସ୍‍ ବାର୍ଲା, ମାଇକେଲ କିଣ୍ଡୋ, ୱିଲିୟମ ଖାଲକୋ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ନୀଲମ ସଞ୍ଜୀବ ଖେସ, ସୁଭଦ୍ରା ପ୍ରଧାନ, ଜ୍ୟୋତି ସୁନିତା କୁଲୁ, ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦୀପ୍‍ଗ୍ରେସ ଏକ୍କାଙ୍କ ଭଳି ପୁରୁଷ ଓ ମହିଳା ଖେଳାଳି ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ସୁନ୍ଦରଗଡ଼ ଦେଶର ହକି ଅନ୍ତୁଡ଼ିଶାଳ। ଆଦିବାସୀଙ୍କ ଜୀବନଧାରା ପାଲଟିଛି ହକି। ରାଜ୍ୟରେ ହକି ଖେଳକୁ ଆଗକୁ ନେବା ନେଇ ରାଜ୍ୟ ସରକାର ୨୦୧୩ରେ ଅଣ୍ଟା ଭିଡ଼ିଥିଲେ। କଳିଙ୍ଗ ଷ୍ଟାଡ଼ିୟମରେ ନୂତନ ଭାବେ ହକି କମ୍ପେ୍ଲକ୍ସ ନିର୍ମାଣ ପରେ ଜର୍ମାନ ବ୍ଲୁ ଟର୍ଫ ବିଛାଯାଇଥିଲା। ରାଜଧାନୀରେ ହକି ଗ୍ରାଉଣ୍ଡ ପ୍ରତିଷ୍ଠା ପରେ ଓଡ଼ିଶା ହକି ଦେଶରେ ଅଧିକ ଚର୍ଚ୍ଚାକୁ ଆସିଥିଲା। ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଚମ୍ପିଆନ୍ସ ଟ୍ରଫି ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ଦକ୍ଷତା ପ୍ରତିପାଦିତ କରିଥିଲା। ପରେପରେ ହକି ଇଣ୍ଡିଆ ଲିଗ୍‍ ମ୍ୟାଚ୍‍ ମଧ୍ୟ ଆୟୋଜିତ ହୋଇଥିଲା। ୨୦୧୫ରେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍‍ରେ ପ୍ରତିନିଧିତ୍ୱ ଲାଗି କଳିଙ୍ଗ ଲାନ୍ସର୍ସ ଦଳ ଗଠନ କରିବା ସବୁଠାରୁ ବଡ଼ ଉପଲବ୍ଧ ଥିଲା। ୨୦୧୭ରେ କଳିଙ୍ଗ ଲାନ୍ସର୍ସ ହକି ଇଣ୍ଡିଆ ଲିଗ୍‍ ଚମ୍ପିଆନ ହେବା ଓଡ଼ିଶା ହକିକୁ ଆଗକୁ ବଢିବାରେ ଖୋରାକ ଯୋଗାଇଥିଲା। ଏକ ସମୟରେ ଅନ୍ତର୍ଜାତୀୟ ହକି ମହାସଂଘ ଦ୍ୱାରା ପରିଚଳିତ ବିଶ୍ୱ ହକି ଲିଗ୍‍ ଫାଇନାଲ ଓ ବିଶ୍ୱକପ୍‍ ହକି ଭଳି ପ୍ରତିଯୋଗିତା ଆୟୋଜନ ନେଇ ଅନ୍ୟ ରାଜ୍ୟମାନେ ପଛଘୁଞ୍ଚା ଦେଉଥିଲେ ମଧ୍ୟ ଓଡ଼ିଶା ଆୟୋଜନ ପାଇଁ ଆଗେଇ ଆସିଥିଲା। ବିଶ୍ୱ ହକି ଲିଗ୍‍କୁ ସଫଳ ପରିଚାଳନା କରି ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କ ସମେତ ଅନ୍ତର୍ଜାତୀୟ ହକି ମହାସଂଘର ପ୍ରଶଂସାର ପାତ୍ର ହୋଇଛି। ଏବେ ନଭେମ୍ବରରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‍ ହକିକୁ ଶ୍ରେଷ୍ଠ ଆୟୋଜନରେ ପରିଣତ କରିବାକୁ ପ୍ରସ୍ତୁତି ଚାଲିଛି। କେବଳ ଖେଳାଳି ସୃଷ୍ଟି ଓ ପ୍ରତିଯୋଗିତା ଆୟୋଜନରେ ଓଡ଼ିଶା ସୀମିତ ନାହିଁ। ଗତ ଫେବୃଆରୀରେ ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୫ ବର୍ଷ ଲାଗି ପ୍ରାୟୋଜକ ହୋଇଛି। ହକି ପାଇଁ ଓଡ଼ିଶାର ଏଭଳି ଲଢେଇ କେବଳ ଦେଶରେ ଆଦର୍ଶ ନୁହେଁ ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିପାରିଛି। ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ପ୍ରଦାନ କରାଗଲେ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ସଫଳତା ହେବା ସହିତ ହକି ପାଇଁ ଅବଦାନ ଥିବା ଖେଳାଳିଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିବ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories