nua o banner

କରୋନା ପାଇଁ ହାଇଟେକ ପଦ୍ଧତିରେ ପୂଜାପାଠ : ଭିଡ଼ିଓ କଲ୍‌ରେ ପୂଜା, ଫୋନ୍-ପେ ଓ ଗୁଗଲ-ପେ ରେ ଦାନ ଦକ୍ଷିଣା

BJD Bijuli 480×75 Mob

ବ୍ରଜରାଜନଗର : ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ଯୋଗୁଁ ଧାର୍ମିକସ୍ଥଳ ଗୁଡ଼ିକ ଉପରେ କଟକଣା ଲାଗୁ କରାଯାଇଛି। ଧର୍ମପୀଠ ଗୁଡ଼ିକରେ ଦୈନିକ ରୀତିନୀତି ସହକାରେ ଧାର୍ମିକ କାର୍ଯ୍ୟ ଜାରି ରହିଥିଲେ ହେଁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସରକାର ଶ୍ରାବଣ ମାସରେ ଶୈବ ପୀଠ ଗୁଡ଼ିକରେ ଜଳ ଲାଗି କରିବା ଉପରେ କଟକଣା ଜାରି କରିଛନ୍ତି। ସେହିପରି କରୋନା ପ୍ରଭାବରେ ଧାର୍ମାନୁଷ୍ଠାନ ଗୁଡ଼ିକରେ ପର୍ବ ପର୍ବାଣି, ଉତ୍ସବ, ପୂଜା ପାଠ, ହବନ ଯଜ୍ଞ, ଧାର୍ମିକ କାର୍ଯ୍ୟକ୍ରମ ଆଦି ଉପରେ ଅଙ୍କୁଶ ଲାଗିଛି। ହେଲେ ଏଭଳି ପରିସ୍ଥିତିରେ ବର୍ତମାନ ପୂଜା ପାଠର ଢାଂଚାରେ ବିରାଟ ପରିବର୍ତନ ଆସିଛି। ରୁଦ୍ରାଭିଷେକ, ହବନ, ଗୃହ ଶାନ୍ତି ଦୋଷ, ନାମକରଣ ତଥା ଅନ୍ୟାନ୍ୟ ସମସ୍ତ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ଆଦି ଅନଲାଇନ ସଂସ୍ଥା ତରଫରୁ ହାଇଟେକ ପଦ୍ଧତିରେ କରାଯାଉଛି। ତେବେ ଏଥି ପାଇଁ ଶ୍ରଦ୍ଧାଳୁ ଏବଂ ଯଜମାନ ଗୁଗଲ-ପେ, ପେଟିଏମ କିମ୍ବା ନେଟ ବ୍ୟାଙ୍କି ମାଧ୍ୟମରେ ଦାନ ଦକ୍ଷିଣା ପ୍ରଦାନ କରୁଛନ୍ତି।

କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଲୋକେ ନିଜ ତଥା ନିଜ ପରିବାରର ସୁରକ୍ଷା ପ୍ରତି ବିଶେଷ ସଚେତନ ହୋଇ ଅକାରଣରେ କୌଣସି ସ୍ଥାନକୁ ଯାଉ ନାହାନ୍ତିଁ କିମ୍ବା ଭିଡ଼ ଜମାଉ ନାହାନ୍ତିଁ। ବର୍ତମାନର ସ୍ଥିତି ଏପରି ହୋଇଛି ଯେ, ଘରକୁ କୌଣସି ଆଗନ୍ତୁକ କିମ୍ବା ଅତି ପରିଚିତ ଲୋକଙ୍କୁ ବି ଘରେ ପୁରାଇବାକୁ ଭୟ କରୁଛନ୍ତି। ତେବେ ଏହା ଭିତରେ ଯଦି ଘରେ କୌଣସି ମାଙ୍ଗଳିକ କାର୍ୟ୍ୟ କିମ୍ବା ହବନ ପୂଜନ ଇତ୍ୟାଦି କରିବାକୁ ହେଲେ ଲୋକେ ପୂଜା କର୍ମକାଣ୍ଡ ପାଇଁ ପଣ୍ଡିତଙ୍କୁ ଘରକୁ ଡ଼ାକିବାକୁ ରାଜି ହେଉ ନାହାନ୍ତିଁ। ତେବେ ଏହାର ବିକଳ୍ପ ବ୍ୟବସ୍ଥାର ଫାଇଦା ନେବା ପେଇଁ କିଛି ସଂସ୍ଥା ଅନଲାଇନ ମାଧ୍ୟମରେ ଏଭଳି ପୂଜା କର୍ମ ପାଇଁ ଅଫର୍‍ ଦେବା ଆରମ୍ଭ କରିଛନ୍ତି। ଗ୍ରହ ରିଷ୍ଟ ଶାନ୍ତି, ଗୃହ କ୍ଲେଶ ଦୋଷ ନିବାରଣ, ନବଗ୍ରହ ପୂଜା, ଜଳା ଭିଷେକ ଆଦି ଅନଲାଇନ ମାଧ୍ୟମରେ ପୂଜା କରିବାକୁ ଏଭଳି ସଂସ୍ଥାମାନଙ୍କ ତରଫରୁ ଫୋନ ଯୋଗେ ପ୍ରସ୍ତାବ ଦିଆଯାଉଛି।

ଯଜମାନ ରାଜି ହେଲେ ତାଙ୍କ ମନମୁତାବକ ସ୍ଲଟର ବ୍ୟବସ୍ଥା କରାଯିବା ପରେ ନିର୍ଦ୍ଦାରତି ଦିନରେ ପଣ୍ଡିତ ଭିଡ଼ିଓ କଲରେ ପୂଜାର୍ଚ୍ଚନା କରିଥାନ୍ତି। ଏଥି ପାଇଁ ସଂସ୍ଥା ତରଫରୁ ଯଜମାନକୁ ଏକ ଲିଙ୍କ ପଠାଯାଇଥାଏ। ଭିଡ଼ିଓ କନଫ୍ରେନସିଂ ଜରିଆରେ ଗୋଟିଏ ପଟେ ପଣ୍ଡିତ ମନ୍ଦିରରେ ମନ୍ତ୍ରୋଚାରଣ କରୁଥିବା ବେଳେ ଅନ୍ୟପଟେ ଯଜମାନ ନିଜ ଘରର ପୂଜାସ୍ଥାନରେ ପୂଜନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ତେବେ ଏଥି ପାଇଁ ଯଜମାନ ଡ଼ିଜିଟାଲ ବ୍ୟାଙ୍କିଂ ସୁବିଧା ଯଥା ଗୁଗଲ ଫେ, ପେଟିଏମ ଇତ୍ୟାଦି ସାହାଯ୍ୟରେ ଦାନ ଦକ୍ଷିଣା ପ୍ରଦାନ କରିଥାନ୍ତି। ଅନଲାଇନ ସଂସ୍ଥା ଗୁଡ଼ିକ ତରଫରୁ ଭିନ୍ନ ଭିନ୍ନ ପୂଜା ପାଇଁ ଭିନ୍ନ ଭିନ୍ନ ଦାନ ଦକ୍ଷିଣାର ତାଲିକା ନିର୍ଦ୍ଧାରଣ କରାଯାଇଛି। ଯାହା ୫୦୦୦ରୁ ୧୦,୦୦୦ ପର୍ୟ୍ୟନ୍ତ ରହିଛି। ହେଲେ ଏଡ଼ଭାନ୍ସ ବୁକିଂ କଲେ ସଂସ୍ଥା ଗୁଡ଼ିକ ଡ଼ିସକାଉଁଂଟର ପ୍ରଲୋଭନ ଦେଖାଉଥିବା ଲୋକେ କହୁଛନ୍ତି।

ସେପଟେ ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବାରୁ ଦେଶର ବିଭିନ୍ନ ମନ୍ଦିର ଗୁଡ଼ିକରୁ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଫଳରେ ଶ୍ରଦ୍ଧାଳୁ ଘରେ ବସି ମୋବାଇଲା କିମ୍ବା କଂପ୍ୟୁଟରରେ ଲାଇଭ ଆରତୀ ତଥା ପୂଜାର ଦର୍ଶନ କରି ପାରୁଛନ୍ତି। ବିଗତ ଦିନରେ ରାଜ୍ୟରେ ଘଟିଥିବା ଅନେକ ସାଇବର ଠକେଇ ଯୋଗୁଁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ  ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଲୋକେ ଯେତିକି ଡ଼ିଜିଟାଲ ହେଉଛନ୍ତି ସାଇବର ଅପରାଧୀ ମଧ୍ୟ ସମ ପରିମାଣରେ ଚାଲାକ ଓ ସକ୍ରିୟ ମଧ୍ୟ ହେଉଛନ୍ତି। ସବୁଠାରୁ ଗୁରୁତର କଥା ଯେ, ଅସଲି ଅନଲାଇନ ପୂଜା, ଜୌତିଷ ସଂସ୍ଥା, ମନ୍ଦିରର ୱେବସାଇଟକୁ ଅତି ଚରୁତରା ସହିତ ସାଇବର ଠକମାନେ ନକଳ କରି ଧର୍ମ ଆଳରେ ଲୋକଙ୍କ ପାସବୁକରୁ ଟଙ୍କା ଚୋରି କରିବାରେ ସଫଳ ହେଉଥିବା ଅନେକେ ଥର ନଜିର ରହିଛି। ତେବେ ଏଥି ପ୍ରତି ଯଥେଷ୍ଠ ସଚେତନ ଓ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧୀଜୀବୀ ମତ ପ୍ରକାଶ କରିଛନ୍ତି।

Comments are closed.