କଟକ : ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ମେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅବକାଶ ପରେ ଆସନ୍ତା ଜୁନ୍ ୧୮ ତାରିଖରେ କୋର୍ଟ ଖୋଲିବ; କିନ୍ତୁ ଅବକାଶ ପୂର୍ବରୁ ମେ ୧୮ ତାରିଖ ଦିନ ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଛୁଟି ୧୯ ତାରିଖରୁ ଆରମ୍ଭ ହେବ। ପ୍ରାୟ ଏକ ମାସର ଏହି ଛୁଟି ଭିତରେ ମେ ୨୩, ୩୦, ଜୁନ୍ ୬ ଓ ୧୨ ତାରିଖରେ ପୂର୍ବାହ୍ନ ୧୧ଟାରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟସରେ ସୂଚନା ଦିଆଯାଇଛି। ମେ ୨୩ରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ ଓ ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀ ଅବକାଶକାଳନୀ ଖଣ୍ଡପୀଠରେ ବସି ମାମଲାଗୁଡ଼ିକର ଶୁଣାଣି କରିବେ। ସେହିଭଳି ମେ ୩୦ରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ, ଜଷ୍ଟିସ ଏସ୍.କେ.ସାହୁ, ଜଷ୍ଟିସ କେ.ଆର୍.ମହାପାତ୍ର, ଜୁନ୍ ୬ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ଏସ୍.କେ.ସାହୁ, ଜୁନ୍ ୧୨ରେ ଜଷ୍ଟିସ ଏସ୍.ସି.ପରିଜା ଓ ଡର ଜଷ୍ଟିସ ଏ.କେ.ରଥ ଅବକାଶକାଳୀନ ଖଣ୍ଡପୀଠରେ ବସି ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ। ଗ୍ରୀଷ୍ମ ଅବକାଶ ସମୟରେ ମେ ୨୭, ଜୁନ୍ ୩, ୯, ୧୦, ୧୪, ୧୫ ଓ ୧୬ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। କାର୍ଯ୍ୟ ଦିବସଗୁଡ଼ିକରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାୟର କରାଯାଇପାରିବ। ପୂର୍ବରୁ ବିଚାରାଧୀନ ମାମଲା ଗୁଡିକ ବରିଷ୍ଠ ଅବକାଶକାଳୀନ ବିଚାରପତିଙ୍କ ବିନା ଅନୁମତିରେ ଶୁଣାଣି ଲାଗି ତାଲିକାଭୁକ୍ତ ହୋଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଗ୍ରୀଷ୍ମ ଅବକାଶ ସମୟରେ ଏଥର ଅବକାଶକାଳୀନ ଖଣ୍ଡପୀଠ ସହିତ ସ୍ୱତନ୍ତ୍ର ଖଣ୍ଡପୀଠ ବସି ବିଚାରାଧୀନ ଜେଲ କ୍ରିମିନାଲ ଅପିଲ ଓ କ୍ରିମିନାଲ ଅପିଲଗୁଡ଼ିକର ଶୁଣାଣି କରିବେ। ଜେଲରେ ୫ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆବେଦନକାରୀଙ୍କ ଅପିଲ ଗୁଡିକ ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି କରାଯିବ। ମେ ୨୩ରେ ଜଷ୍ଟିସ ଏସ୍.କେ ସାହୁ ଓ ଜଷ୍ଟିସ କେ.ଆର୍ ମହାପାତ୍ର, ମେ ୨୫ରେ ଜଷ୍ଟିସ ଏସ୍.କେ ସାହୁ, ଡକ୍ଟର ଜଷ୍ଟିସ ଡି.ପି ଚୌଧୁରୀ, ଜୁନ୍ ୪ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ଏସ୍.କେ ସାହୁ ସ୍ୱତନ୍ତ୍ର ଖଣ୍ଡପୀଠରେ ବସି ମାମଲାଗୁଡ଼ିକର ଶୁଣାଣି କରିବେ।
Popular Categories



