www.samajalive.in
Tuesday, December 9, 2025
26.1 C
Bhubaneswar

ସମ୍ବଲପୁର ମୁଖ୍ୟ ଡାକଘରକୁ ହେରିଟେଜ କୋଠା ମାନ୍ୟତା

ସମ୍ବଲପୁର: ୧୯୦୦ ମସିହାରେ ନିର୍ମିତ ସମ୍ବଲପୁର ମୁଖ୍ୟ ଡାକଘରକୁ ପ୍ରାଚୀନ କୀର୍ତ୍ତି ବା ହେରିଟେଜ କୋଠା ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଡାକବିଭାଗର ହେରିଟେଜ ଓ ମ୍ୟୁଜିୟମ ପରିଚାଳନା ସଂସ୍ଥା ତରଫରୁ ଚଳିତ ଡିସେମ୍ବର ୭ ତାରିଖରେ ଏହି ଘୋଷଣା କରାଯାଇଛି। ଓଡ଼ିଶାର ସମ୍ବଲପୁର ସହିତ ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପୂର୍ବ ଓ ­­ତାମିଲନାଡ଼ୁର ସମୁଦାୟ ୧୦ଟି ପୁରାତନ ଡାକଘରକୁ ହେରିଟେଜ କୋଠା ଘୋଷଣା କରାଯାଇଛି।

ସମ୍ବଲପୁର ଡାକଘରକୁ ହେରିଟେଜ ଭବନ ଘୋଷଣା କରିବାକୁ ଓଡ଼ିଶା ଡାକବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଥିଲା।`କେଇଜଣ ବିଭାଗୀୟ ଅଧିକାରୀ ଏ ଦିଗରେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ। ଇନଟାକ, ସମ୍ବଲପୁର ଚାପ୍ଟରର ଦୀପକ କୁମାର ପଣ୍ଡା ସମ୍ବଲପୁର ଡାକଘର ବାବଦରେ ତଥ୍ୟ ଯୋଗାଇ ଦେବା ସହ ସମ୍ବଲପୁରର ପୁରୁଣା ଡାକଘରକୁ ଏକ ସ୍ମାରକୀ ରୂପେ ନିଆଯାଇ ଏଠାରେ ଏକ ଡାକ ସଂଗ୍ରହାଳୟ ବା ପୋଷ୍ଟାଲ ମ୍ୟୁଜିୟମ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଲୋକସଭା ସଦସ୍ୟ ସୁରେଶ ପୂଜାରୀ ମଧ୍ୟ ଏନେଇ ମନ୍ତ୍ରଣାଳୟକୁ ପତ୍ର ଲେଖିଥିଲେ। ଏହି ତଥ୍ୟ ଆଧାରରେ ସମ୍ବଲପୁର ଡାକଘରକୁ ପ୍ରାଚୀନ କୀର୍ତ୍ତି ବା ହେରିଟେଜ କୋଠା ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମନ୍ତ୍ରଣାଳୟର ଏହି ଘୋଷଣା ପରେ ଆଗାମୀ ପୀଢ଼ି ଡାକ ବ୍ୟବସ୍ଥାର ମହତ୍ୱ ଓ ଏହାର କାର୍ଯ୍ୟ ପ୍ରଣାଳୀ ଏବଂ କ୍ରମବିକାଶ ବାବଦରେ ଅବଗତ ହୋଇପାରିବେ। ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠା କରାଗଲେ ପୁରୁଣା ଚିଠିପତ୍ର, ଡାକଟିକଟ, ଡାକ ଉପକରଣ, ଡାକ ବ୍ୟବସ୍ଥା ସମ୍ପର୍କିତ ପୁରାତନ ଫଟୋଚିତ୍ର ଏବଂ ବିବିଧ ସୂଚନାକୁ ସ୍ଥାନିତ କରାଯାଇପାରିବ।

- Advertisement -

କଲିକତା-ମୁମ୍ବାଇ ମାର୍ଗରେ ଥିବା ସମ୍ବଲପୁର ଡାକ ଯୋଗାଯୋଗ ଦିଗରେ ବହୁ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଭାବରେ ବିବେଚିତ ହୋଇଆସିଛି। ସୂଚନାଯୋଗ୍ୟ ଯେ, ୧୮୦୪ ମସିହାରେ ବ୍ରିଟିଶ ମାନେ ସମ୍ବଲପୁର ଅାସିବା ପରେ ଏହି ମାର୍ଗ ଦେଇ ଡାକ ନେବା ଆଣିବା ବ୍ୟବସ୍ଥା ଅଧିକ ସକ୍ରିୟ ହୋଇଥିଲା। ବମ୍ବେ, ନାଗପୁର, ଜବଲପୁର, ସମ୍ବଲପୁର, ଖଡ଼ଗପୁର ଏବଂ କୋଲକାତା ଡାକମାର୍ଗ ଥିଲା ବ୍ରିଟିଶଙ୍କ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ସମ୍ବଲପୁର ଏବଂ ଜବଲପୁର ମଧ୍ୟରେ ପାଳିକରି ଘୋଡ଼ା ଯୋଗେ ଡାକ ନେବା ଆଣିବା କରାଯାଉଥିବା ବେଳେ ସମ୍ବଲପୁର-ଖଡ଼ଗପୁର ମଧ୍ୟରେ ଡାକ ଦୌଡ଼ାଳୀମାନେ ଚିଠିପତ୍ର ନେବାଆଣିବା କରୁଥିଲେ। ୧୭୯୩ ମସିହାରୁ ସମ୍ବଲପୁର ଦେଇ ନିୟମିତ ଡାକ ପରିବହନ ବ୍ୟବସ୍ଥା ହୋଇଥିବାବେଳେ ୧୮୧୮ରୁ ଏଠାରେ ଉପ-ଡାକପାଳ ଓ ଅଳ୍ପ କେଇବର୍ଷ ପରେ ଡାକପାଳ ଅବସ୍ଥାପିତ ହୋଇଥିଲେ। ପୂର୍ବରୁ ଟେଲିଗ୍ରାଫ ଉଦ୍ଭାବିତ ହେବାପରେ ପରେ ୧୮୫୪ ବେଳକୁ ସମ୍ବଲପୁରରୁ ଝାନ୍‌ସୀ ଆଦି ସ୍ଥାନକୁ ଟେଲିଗ୍ରାଫ ସଂଯୋଗ ଆରମ୍ଭ ହୋଇଥିଲା। ସମ୍ବଲପୁରର ଯେଉଁ ଡାକଘରକୁ ପ୍ରାଚୀନ କୀର୍ତ୍ତି ଘୋଷଣା କରାଯାଇଛି ତାହା ୧୯୦୦ ମସିହାରେ ନିର୍ମିତ ହୋଇଥିଲା।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories