୬ଟି ରାଜ୍ୟରେ ପ୍ରବଳ ବର୍ଷା : ୫୫ ମୃତ

0

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଜନିତ ଦୁର୍ଘଟଣାରୁ ମହାରାଷ୍ଟ୍ର, ଆସାମ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଗୁଜରାତ ଏବଂ ମଣିପୁରରେ ଅନ୍ୟୁନ୍‍ ୫୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଶତାଧିକ ଆହତ ହୋଇଛନ୍ତି। ସପ୍ତାହେ ଧରି ମହାରାଷ୍ଟ୍ର ଏବଂ ଆସାମରେ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଆଗକୁ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ବିଦର୍ଭର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳ ଏବେ ଜଳାର୍ଣ୍ଣବ ହୋଇ ରହିଛି।
ମହାରାଷ୍ଟ୍ରରେ ବର୍ଷା ଜନିତ ଦୁର୍ଘଟଣାରେ ଜୁନ୍‍ ୧ରୁ ଜୁଲାଇ ୯ ମଧ୍ୟରେ ୬୨ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟ ରାଜସ୍ୱ, ସାହାଯ୍ୟ ଓ ଥଇଥାନ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଜୁଲାଇ ୧ରୁ ୯ ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ହିନ୍ଦମାତା, କୋଲାବା, ମାଟୁଙ୍ଗା, ଦାଦର, ସାନ୍ତାକ୍ରୁଜ୍‍ ଏବଂ ସାୟନର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇରହିଛି। ବର୍ଷା ଜନିତ ସଡ଼କ ଦୁର୍ଘଟଣା, ଗଛ ପଡ଼ିବା ଏବଂ ଗାତରେ ପଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଥାଣେ ଏବଂ ମୁମ୍ବଇରେ ବାଦଲପୁର ଡ୍ୟାମରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଛି।
ଉତ୍ତରାଖଣ୍ଡର ଡେହରାଡୁନ୍‍ ଏବଂ ଉତ୍ତରାଖଣ୍ଡରେ ମାଟି ଅତଡ଼ା ଖସି ୭ଜଣଙ୍କ ମୃତ୍ୟୁ ଘଟିଛି ଓ ୨ଜଣ ଆହତ ହୋଇଛି। ସେହିପରି ମଣିପୁର ତାମେନଗଲୋଙ୍ଗ ଜିଲାରେ ୩ଟି ସ୍ଥାନରେ ଭୂ-ସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ୨ ଜଣ ପିଲା ନିଖୋଜ ଅଛନ୍ତି।
ଆସାମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଜଳରେ ଭାସି ୧୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜିଲାର ପାଖାପାଖି ୨୪,୦୦୦ ଲୋକ ଜଳ ଘେରରେ ରହିଛନ୍ତି।
ଗୁଜରାତ ବାହାରୁଚ ଜିଲାର ଝାଗାଡ଼ିଆ ତାଲୁକରେ ବର୍ଷା ଜନିତ ଦୁର୍ଘଟଣାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।
ପଶ୍ଚିମବଙ୍ଗରେ ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply