www.samajalive.in
Saturday, December 6, 2025
15.1 C
Bhubaneswar

ଆହୁରି ୩ଦିନ କଲବଲ କରିବ ତାତି

ଭୁବନେଶ୍ୱର : ରାଜ୍ୟକୁ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରୁ ଉଷ୍ଣ ବାୟୁ ପ୍ରବାହ କରୁଛି। ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ। ଫଳରେ ଉତ୍ତାପ ବୃଦ୍ଧି ପାଉଛି। ଉଷ୍ଣ ଶୁଷ୍କ ବାୟୁ ପ୍ରବାହ ଦ୍ବାରା ବର୍ତ୍ତମାନ ସାରା ରାଜ୍ୟ ଉତ୍ତପ୍ତ ପିଣ୍ଡରେ ପରିଣତ ହେଉଛି। ସପ୍ତାହେ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଗକୁ ଆହୁରି ତିନିଦିନ ଏମିତି ଭୀଷଣ ରୌଦ୍ରତାପ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅପରପକ୍ଷରେ ଶନିବାର ପରି ରବିବାର ମଧ୍ୟ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ରାଜ୍ୟର ସବୁଠୁ ଅଧିକ ସର୍ବାଧିକ ତାପମାତ୍ରା ୪୪.୨ଡିଗ୍ରୀ ରେକର୍ଡ ହୋଇଛି। ଦୁଇଦିନ ହେଲା ଅନୁଗୋଳରେ ଭୀଷଣ ତାତି ଅନୁଭୂତ ହେଉଥିବାରୁ ସହରବାସୀ ତ୍ରାହିତ୍ରାହି ଡାକିଲେଣି। ରାଜ୍ୟର ୨୭ ସହରରେ ପାରଦ ୪୦ଡିଗ୍ରୀ ଡେଇଁଥିବା ବେଳେ ୧୨ସ୍ଥାନରେ ୪୩ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରହିଛି ଦିନ ତାପମାତ୍ରା। କେବଳ ଅନୁଗୋଳ ନୁହେଁ; ବୌଦ୍ଧ ଏବଂ ବାରିପଦାରେ ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିବାରୁ ଉଭୟ ସହର ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସିଝିଛି। ‌ ଦ୍ଵୈତନଗରୀ ଭୁବନେଶ୍ବର-କଟକ ମଧ୍ୟ ଏଥିରୁ ବର୍ତ୍ତିନାହିଁ। ‌ଦ୍ଵୈତନଗରୀରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ଶନିବାର ଭୁବନେଶ୍ବର ପାରଦ ୪୪.୬ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆଜି ତାହା ୪୩.୨ ଡିଗ୍ରୀକୁ ଖସିଛି। ରବିବାର ରାଜଧାନୀ ତାପମାତ୍ରା ୧ଡିଗ୍ରୀରୁ ଊର୍ଦ୍ଧ୍ବ କମିଛି, ହେଲେ କଟକରେ ତାପମାତ୍ରା ବଢିଛି। ଶନିବାର କଟକ ସହରରେ ପାରଦ ୪୩.୪ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରବିବାର ୪୩.୭ଡିଗ୍ରୀକୁ ବୃଦ୍ଧି ପାଇଛି। ଏଠାରେ ଦିନ ତାପମାତ୍ରା ବଢିଥିବାରୁ ଗ୍ରୀଷ୍ମପ୍ରବାହ ପ୍ରକୋପ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଅପରାହ୍ଣରେ ଭଦ୍ରକ, ଜଗତସିଂହପୁର, ଗୋପାଳପୁର, ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା ଏବଂ ରାଉରକେଲା ସହରରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଏସବୁ ଅଞ୍ଚଳରେ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ତତଲା ଝାଞ୍ଜିପବନ ବହୁଥିବାରୁ ମୁହଁଦେହ ପୋଡି ପକାଉଛି। ପାଣିପାଗ ବିଭାଗର ଆକଳନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ଅନେକ ସ୍ଥାନରେ ଆହୁରି ୨ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ, ତେଣୁ ଆଗାମୀ ୩ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ କେତେକ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଆଉ କିଛି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ନୂଆପଡା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା ଏବଂ ଯାଜପୁର ଜିଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ କାର୍ଯ୍ୟ ନଥିଲେ ପଦାକୁ ବାହାରିବାକୁ ବାରଣ କରିଛି ପାଣିପାଗ ବିଭାଗ। ରୋଗୀ, ଶିଶୁ ଏବଂ ବୟସ୍କଙ୍କ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଶ୍ରମିକମାନେ ଟାଣ ଖରାରେ କାମ ନକରିବାକୁ କୁହାଯାଇଛି। ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories