www.samajalive.in
Monday, December 15, 2025
27.1 C
Bhubaneswar

ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଡେସ୍କ: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏ ସମ୍ପର୍କରେ ବିଭିନ୍ନ ଉପଦେଶାବଳୀ ଦିଆଯାଇଛି। ସଂପ୍ରତି ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ, ଏଥିପାଇଁ ସମସ୍ତ ଜନସାଧାରଣ ଅତି ଉତ୍ତପ୍ତ ସମୟ ମଧ୍ୟରେ, ସାଧାରଣତଃ ଦିନ ୧୦ଟା ବା ୧୧ଟାରୁ ଦିନ ୩ଟା ମଧ୍ୟରେ ଯେ କୌଣସି ବ୍ୟକ୍ତିଗତ କାମ ହେଉ, କୌଣସି ଠିକାଦାରଙ୍କ କାମ ହେଉ ବା କୌଣସି ବାହାର କାମକୁ ଯିବାକୁ ନିବୃତ୍ତ ରହିବାର ଆବଶ୍ୟକତା ରହିଛି। ଯଦି ଅନିବାର୍ଯ୍ୟ କାରଣ ବଶତଃ ବାହାରକୁ କାମରେ ଯିବାକୁ ପଡୁଛି, ତେବେ ପାଖରେ ଛତା, ଯୋତା ବା ଚପଲ ବ୍ୟବହାର କରିବା, ସାଙ୍ଗରେ ପାଣି ବୋତଲ ଧରିବା, ତଉଲିଆ ବା ଓଦା ଗାମୁଛା ପକାଇ ଯିବାକୁ ସେ ଅନୁରୋଧ କରିଛନ୍ତି।

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଜି ସେ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍ଫରେସିଂ ଜରିଆରେ ବୈଠକ କରି ଡାକବାଜି ଯନ୍ତ୍ର ଜରିଆରେ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପ୍ରଚାରକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


ସମସ୍ତ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ରୌଦ୍ରତାପ ପ୍ରଭାବିତ ସ୍ଥିତିରେ ବା ଯଦି ଏଭଳି ଅସ୍ୱାଭାବିକ ତାପମାତ୍ରାରେ ପ୍ରଭାବିତ ଯଦି କେହି ସନ୍ଦିଗ୍ଧ ବ୍ୟକ୍ତି ଡାକ୍ତରଖାନାକୁ ଆସନ୍ତି, ତେବେ ତାଙ୍କର କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ସବିଶେଷ ନିର୍ଦ୍ଦେଶ ଆଗରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଛି। ଗତ କିଛି ଦିନରେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରାଯାଇଛି। ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖାଯାଇଛି। ଯଦି କୌଣସି କ୍ଷେତ୍ରରେ ଏପରି କୌଣସି ଅସୁସ୍ଥତା ଜନିତ ସନ୍ଦିଗ୍ନ ବ୍ୟକ୍ତି ନିକଟସ୍ଥ ଡାକ୍ତରଖାନାରେ ପହଁଚନ୍ତି, ତେବେ ଡାକ୍ତରଖାନାରେ ତୁରନ୍ତ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି।

ଏହି ଗ୍ରୀଷ୍ମ ପ୍ରବାହ ଜନିତ ଉତ୍ତାପ ଆହୁରି କିଛି ଦିନ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଣୁ ଆମେ ସମସ୍ତେ ସତର୍କତା ଅବଲମ୍ବନ କରିବା, ଅଯଥାରେ ଖରାରେ ବେଶୀ ସମୟ ବୁଲାବୁଲି କରିବା ନାହିଁ, ଯୁବକମାନେ ମୋଟର ସାଇକେଲ ବା ଗାଡ଼ିରେ ବୁଲାବୁଲି କରୁଥିଲେ ସାଙ୍ଗରେ ହେଲମେଟ୍, ପାଣି ରଖିବେ, ଓଦା ତଉଲିଆ ରଖିବେ ଓ ବ୍ୟବହାର କରିବେ। ଶ୍ରମିକମାନଙ୍କୁ ଅତ୍ୟଧିକ ଖରାରେ କାମ କରିବାକୁ ବାଧ୍ୟ ନକରିବା, ଶ୍ରମିକମାନେ ମଧ୍ୟ ସିଧାସଳଖ ଖରାରେ ଦିନ ୧୧ଟାରୁ ୩ଟା ମଧ୍ୟରେ, ଯେତେବେଳେ ସବୁଠୁ ଅଧିକ ତାପମାତ୍ରା ଥାଏ, ସେ ସମୟରେ କାମ ନ କରିବାକୁ ସେ ଅନୁରୋଧ କରିଛନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟସ୍ଥଳରେ ଯେଉଁଠି କ୍ୟାମ୍ପ ରହିଛି, ସେଠାରେ ଠିକାଦାରମାନେ ଥଣ୍ଡାପାଣି ଏବଂ ଓଆରଏସର ବ୍ୟବସ୍ଥା କରିବେ।

ଶିଳ୍ପାଞ୍ଚଳରେ ଯେଉଁମାନେ ଟ୍ରକ୍ରେ ଯିବା ଆସିବା କରୁଛନ୍ତି, ଖଣି ଖାଦାନରେ ଯେଉଁମାନେ କାମ କରୁଛନ୍ତି, ସେମାନେ ୧୧ ରୁ ୩ ଟା ମଧ୍ୟରେ ମଧ୍ୟ ସେମାନଙ୍କର କାର୍ଯ୍ୟ କଳାପକୁ କମ୍ କରିବା ବା ବନ୍ଦ ରଖିବା, ଅଧିକ ଖରାରେ ଯେପରି କାମ ନକରିବେ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ । ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସାଙ୍ଗରେ ପାଣି ବୋତଲ ନେବା, ତଉଲିଆ ନେବାକୁ ପରାମର୍ଶ ଦେବା ସହ ବସ୍ ଚାଳକ ବା ବସ୍ ମାଲିକମାନେ ବସରେ ପର୍ଯ୍ୟାପ୍ତ ପରିମାଣର ଆଇସ୍ କ୍ୟୁବ୍ ବା ଥଣ୍ଡା ପାନୀୟ ଜଳ ରଖିବା, ଓଆର୍ଏସ୍ ପ୍ୟାକେଟ ରଖିବା ଓ ଆବଶ୍ୟକ ସମୟରେ ଓଆର୍ଏସ୍ ପାଣି ପିଇବା ପାଇଁ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଉଛି, ସେ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଏଥିପ୍ରତି ସମସ୍ତ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories