ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ଛୁଇଁଛି। ବୌଦ୍ଧ ଜିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଜିଲାରେ ପ୍ରଥମ କରି ଦିନ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି। ବଲାଙ୍ଗୀର ଏବଂ ଦେବଗଡରେ ସେର୍ବାଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଥିବାରୁ ଉଭୟ ସହର ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ️୮ ସହରରେ ତାତି ୪୪ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୨୫ ସହରରେ ଦିନର ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରହିଛି। ୧୩ ସହରରେ ପାରଦ ୪୩ ଡିଗ୍ରୀ ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ମେ ପହିଲାରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବଜ୍ରପାତ ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳରେ ତାତି ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ; କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ଥିବାବେଳେ ଅନେକ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ରହିପାରେ।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୋଳ, ଜଗତସିଂହପୁର, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ସତର୍କ ସୂଚନା (ୟେଲୋ) ଜାରି କରାଯାଇଛି। ଅତି ଜରୁରୀ କାମ ନଥିଲେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ପଦାକୁ ବାହାରିବାକୁ ବାରଣ କରାଯାଇଛି। ଗ୍ରୀଷ୍ମ ଲହରୀକୁ ନେଇ ସତର୍କ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ପୂର୍ବ ଉତ୍ତରପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୦.୯ କିମି ବାୟୁମଣ୍ଡଳ ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତା’ସହିତ ପୂର୍ବ ଉତ୍ତରପ୍ରଦେଶରୁ ଦକ୍ଷିଣ ଆସାମ, ବିହାର ଏବଂ ପଶ୍ଚିମବଙ୍ଗ ପାର୍ଶ୍ବବର୍ତ୍ତୀରେ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚତାରେ ଏକ ନିମ୍ନ ଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ପବନ ବହିପାରେ। ବିଭାଗର ଆକଳନ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ଆଶଙ୍କା ନାହିଁ; କିନ୍ତୁ ପରବର୍ତ୍ତୀ ଦୁଇଦିନ ଯାଏଁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକରୁ ପ୍ରାୟ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାକୁ ଥିବାବେଳେ ଉପକୂଳର ଅଳ୍ପ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ।



