ବର୍ଷାଋତୁରେ ନିଆଁ ବର୍ଷା

0

ଭୁବନେଶ୍ୱର : ଶୁଖିଲା ପାଗରେ ରଜ ସରିଲା। ଶୀତଳଷଷ୍ଠୀରେ ବି ଭୂଇଁ ଓଦା ହେଲାନି। ଆଷାଢ଼ରେ ମୁଣ୍ଡଫଟା ଖରା। ଚାରିଆଡ଼େ ନିଅାଁ ବର୍ଷୁଛି। ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଖରାକୁ ଦେଖି ରାଜ୍ୟ ସରକାର ସ୍କୁଲଗୁଡ଼ିକ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି; କିନ୍ତୁ ବର୍ଷାଋତୁରେ ପାଣିପାଗ ବିଭାଗ କହୁଛି ତାତି ଆହୁରି ୪ ଦିନ ରହିବ। କାରଣ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଖରା ୨୫ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ। ରାଜଧାନୀ ଭୁବନେଶ୍ୱରରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ (ହିଟ୍‍ୱେଭ୍‍) ଜାରି ରହିଛି। ସାଧାରଣ ତାପମାତ୍ରାଠାରୁ ଏଠାରେ ୮ ଡିଗ୍ରୀ ଅଧିକ ତାପମାତ୍ରା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରିଛି।
୨୦୧୫ରେ ମସିହାରେ ଏଠାରେ ସର୍ବାଧିକ ୪୪ ଡିଗ୍ରୀ ଓ ୨୦୧୨ରେ ୪୬ ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳିଥିଲା। ଆଜି ରାଜ୍ୟର ୧୫ଟି ସହରର ପାରଦ ୪୦ ଡିଗ୍ରୀ ଡେଇଁଥିବାବେଳେ ଭୁବନେଶ୍ୱର ସବୁଠୁ ଆଗରେ ରହିଛି। ଭୁବନେଶ୍ୱର ଓ ବାରିପଦାରେ ସୋମବାର ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରହିଛି। ବାଲେଶ୍ୱରରେ ୪୧.୨, ଚାନ୍ଦବାଲିରେ ୪୧.୭, କଟକରେ ୪୦.୬, ପାରାଦ୍ୱୀପରେ ୪୦.୧ ରହିଛି। ବୈଶାଖ ଓ ଜ୍ୟେଷ୍ଠରେ ବି ୪୦ ଡିଗ୍ରୀ ତଳେ ଥିବା ଉପକୂଳରେ ଆଜି ପାଞ୍ଚଟି ସ୍ଥାନରେ ତାପମାତ୍ରା ୪୦ ଉପରେ ରହିଛି।
ସେହିପରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ସ୍ଥାନରେ ତାପମାତ୍ରାରେ ୪୦ ଡେଇଁଛି। ଅନୁଗୋଳରେ ୪୧.୯, ବାରିପଦାରେ ୪୨.୨, ଝାରସୁଗୁଡ଼ାରେ ୪୦.୧, ସମ୍ବଲପୁରରେ ୪୦.୨, ହୀରାକୁଦରେ ୪୦.୧, ତାଳଚେରରେ ୪୨.୦, ବଲାଙ୍ଗୀରରେ ୪୦.୮, ଟିଟିଲାଗଡ଼ରେ ୪୧.୫, ସୋନପୁର ୪୦.୨ ଓ ଢେଙ୍କାନାଳରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ପଶ୍ଚିମା ପବନରେ ପରିବର୍ତ୍ତନ ନ ଘଟିବା ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳୀୟ ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିôବା ଘୂର୍ଣ୍ଣିବଳୟ ଯୋଗୁଁ ଚଳିତ ମାସ ଶେଷ ଆଡ଼କୁ ଯଦି ଲଘୁଚାପର ରୂପ ନେଇ ପୁଣି ଥରେ ମୌସୁମି ବାୟୁକୁ ସକ୍ରିୟ କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଗୁରୁବାର ପର୍ଯ୍ୟନ୍ତ ରାଜ୍ୟରେ ଏପରି ହିଟ୍‍ୱେଭ୍‍ ଜାରି ରହିବ। ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ଉପକୂଳରେ ପବନର ବେଗ ଅଧିକ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

kalyan agarbati
Leave A Reply