ମୌସୁମି ଦେଲା ଧୋକା ; ଅସମ୍ଭାଳ ତାତି

0

ଭୁବନେଶ୍ୱର  : ରଜ ସରିଗଲା; କିନ୍ତୁ ବର୍ଷାର ନା ଗନ୍ଧ ନାହିଁ। ଏବେ ବୈଶାଖ ମାସ ପରି ରଡ଼ ଖରାରେ ଅସହ୍ୟ ହେଉଛି ଜନଜୀବନ। ମୌସୁମି ଅଟକି ଯାଇଛି। ଫଳରେ ରାଜ୍ୟ ତମାମ୍‍ ଅସହ୍ୟ ଖରା ଓ ଗୁଳୁଗୁଳି।
ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମି ଧାର୍ଯ୍ୟଦିନର ଦୁଇଦିନ ପୂର୍ବରୁ ଓଡ଼ିଶା ଛୁଇଁଥିଲା। ଅର୍ଥାତ୍‍ ଜୁନ୍‍ ୮ ତାରିଖରେ ମୌସୁମିର ଆଦ୍ୟ ବୃଷ୍ଟିପାତକୁ ଦେଖି ଚାଷୀକୂଳ ଆନନ୍ଦିତ ହୋଇଥିଲା। ଅନେକ ଆଗୁଆ ବୁଣାବୁଣି କରିଥିଲେ; କିନ୍ତୁ ସପ୍ତାହେ ହେଲା ମୌସୁମି ନିଖୋଜ। ସତେଯେମିତି ଚାଷୀକୂଳକୁ ଧୋକା ଦେଇଛି ମୌସୁମୀ। ବର୍ଷା ଅଭାବରୁ ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ କୌଣସି ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ୪ଟି ଜିଲା ଓ ଉପକୂଳବର୍ତ୍ତୀ ୪ଟି ଜିଲା ପାଇଁ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା (ହିଟ୍‍ୱେଭ୍‍) ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିରେ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୋଳ, ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗୀର ରହିଛି। ୧୮ ତାରିଖ ପର୍ଯ୍ୟନ୍ତ ଏହି ୮ଟି ଜିଲାରେ ହିଟ୍‍ୱେଭ୍‍ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‍ଆର୍‍ ବିଶ୍ୱାସ କହିଛନ୍ତି। ଏବେ ଉଭୟ ଦିନ ଓ ରାତିରେ ଅସହ୍ୟ ତାତି ଅନୁଭୂତ ହେଉଛି।
ଶନିବାର ରାଜ୍ୟର ୮ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି। ବାରିପଦାରେ ସର୍ବାଧିକ ୪୧.୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ସେହିପରି ଚାନ୍ଦବାଲିରେ ୪୦.୩, କଟକରେ ୪୦.୦, ଭୁବନେଶ୍ୱରରେ ୪୦.୨, ଅନୁଗୋଳରେ ୪୦.୯, ତାଳଚେରରେ ୪୦.୮, ଭବାନୀପାଟଣାରେ ୪୦.୫, ବଲାଙ୍ଗୀରରେ ୪୦.୩ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ସୋନପୁରରେ ପାରଦ ୩୯ ଡିଗ୍ରୀ ଉପରେ ରହିଛି।
ବର୍ଷା ନ ହେବାରୁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏପଟେ ପୂରା ଦେଶରେ ମୌସୁମି ପ୍ରବାହରେ ପରିବର୍ତ୍ତନ କୃଷି ଓ ଜଳସଙ୍କଟକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କ୍ଲାଇମେଟ୍‍ ଟ୍ରେଣ୍ଡସ୍‍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଚଳିତ ବର୍ଷ ମେ ୧୭ ସୁଦ୍ଧା ଦେଶର ବଡ଼ ବଡ଼ ଜଳଭଣ୍ଡାରରେ ସାଧାରଣଠାରୁ ୧୦ ପ୍ରତିଶତରୁ କମ୍‍ ଜଳ ରହିଛି। ଗତ ଛଅ ବର୍ଷ ମଧ୍ୟରେ ଦେଶରେ ମୌସୁମି ବର୍ଷା ହ୍ରାସ ପାଇଛି। ଲଗାତାର ତୃତୀୟ ବର୍ଷ ପାଇଁ ପ୍ରାକ୍‍ ମୌସୁମି ବର୍ଷା ଦେଶରେ ୧୧ ପ୍ରତିଶତ ହ୍ରାସ ପାଇଛି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତର-ପଶ୍ଚିମ ଭାରତରେ ବାରମ୍ବାର ମରୁଡ଼ି ଦେଖାଯାଉଛି ବୋଲି ୨୦୧୩ର ବିଶ୍ୱବ୍ୟାଙ୍କ ଅଧ୍ୟୟନରୁ ଜଣାପଡ଼ିଛି। ବର୍ଷା ହ୍ରାସ ଆନ୍ତଃରାଜ୍ୟ ଜଳ ବିବାଦର ଅନ୍ୟତମ ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ହଠାତ୍‍ ତାପମାତ୍ରା ବୃଦ୍ଧି ମୌସୁମିକୁ ଦୁର୍ବଳ କରିଥିବା ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏଭଳି ଅବସ୍ଥା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବା ଆଶଙ୍କା କରାଯାଉଛି। ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ, ତେବେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।
ପାଣିପାଗ ଅନିୟମିତତାକୁ ନେଇ ବିଭିନ୍ନ ମହଲରେ ଚିନ୍ତାପ୍ରକାଶ ପାଇଛି। ଗ୍ରୀଷ୍ମର ତାତିକୁ ନେଇ ଚାଷୀମାନେ ପ୍ରମାଦ ଗଣିଲେଣି। ବର୍ଷାକୁ ଚାହିଁ ଚାହିଁ ଚାଷୀମାନେ ନିରାଶ ଅନୁଭବ କଲେଣି। ପାଣିପାଗ ବିଭାଗ କି ସୂଚନା ଦେଲା ଯେ ଧାନ ବୁଣି ଏବେ ଆକାଶକୁ ଚାର୍ହିଁ ବସିଛୁ ବୋଲି କେତେକ ଚାଷୀ କହୁଛନ୍ତି।

Leave A Reply