୧୧ ଦିନରେ ହାର୍ଦିକଙ୍କ ଅନଶନ, କମିଗଲେଣି ୨୦ କିଲୋ

0

ଅହମଦାବାଦ : ପାଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଓ କୃଷି ଋଣ ଛାଡ଼ ଦାବିରେ ଗୁଜରାଟ ପାଟିଦାର ନେତା ହାର୍ଦିକ ପଟେଲ ଆରମ୍ଭ କରିଥିବା ଅନଶନ ମଙ୍ଗଳବାର ୧୧ ଦିନରେ ପହଞ୍ଚିଛି। ସେ ଏହି ୧୧ ଦିନ ମଧ୍ୟରେ ପ୍ରାୟ ୨୦ କିଲୋ ଓଜନ ହରାଇ ସାରିଲେଣି ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ମଙ୍ଗଳବାର ତାଙ୍କୁ ଓଜନ କରିବା ପରେ ଡାକ୍ତର କହିଥିଲେ ଯେ ଅନଶନ ଆରମ୍ଭ ଦିନ ହାର୍ଦିକଙ୍କ ଓଜନ ୭୮ କିଲୋ ଥିଲା। ଏବେ ହାର୍ଦିକଙ୍କ ଓଜନ କମି ୫୮ କିଲୋରେ ପହଞ୍ଚିଛି।
ସରକାରଙ୍କ ନିର୍ଦେଶକ କ୍ରମେ ସୋଲା ବେସାମରିକ ହସ୍ପିଟାଲର ଏକ ଡାକ୍ତରୀ ଦଳ ଅନଶନସ୍ଥଳରେ ଆମ୍ବୁଲାନ୍ସ ସହ ଉପସ୍ଥିତ ଅଛନ୍ତି। ତେବେ ହାର୍ଦିକ ନିଜ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ମନା କରିଦେଇଛନ୍ତି। ଯେପର୍ଯ୍ୟନ୍ତ ତାଙ୍କ ପାଖକୁ ଆସୁଥିବା ଲୋକଙ୍କୁ ପୁଲିସ୍‍ ହଇରାଣ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ନାହିଁ ବୋଲି କହିଛନ୍ତି।
ଉଲ୍ଲେଖ ଯେ କୃଷି ଋଣ ଛାଡ଼ ଏବଂ ପାଟିଦାରଙ୍କ ପାଇଁ ସଂରକ୍ଷଣ ଦାବିରେ ସେ ଅଗଷ୍ଟ ୨୫ ତାରିଖରୁ ଅନଶନରେ ବସିଛନ୍ତି। ହାର୍ଦିକଙ୍କ ଦାବିକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି। ୧୧ ଦିନ ଧରି ହାର୍ଦିକ ଧାରଣାରେ ବସିଥିଲେ ବି ସରକାର ଏଥିରେ ହସ୍ତକ୍ଷେପ କରୁ ନ ଥିବାରୁ କଂଗ୍ରେସ ଗୁଜରାଟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛି।

Leave A Reply