ହରଭଙ୍ଗା: ୧୧ଟା ବେଳକୁ ରାସ୍ତା ଖାଁ ଖାଁ, ତାତି ଛୁଇଁଲାଣି ୪୦ ଡିଗ୍ରୀ

ଜଙ୍ଗଲ ପୋଡି ତାପମାତ୍ରା ବୃଦ୍ଧିର କାରଣ

ହରଭଙ୍ଗା: ଗତ ୬/୭ଦିନ ମଧ୍ୟରେ ଖରାର ପ୍ରକୋପ ହଠାତ୍‌‌ ବୃଦ୍ଧି ଯୋଗୁଁ ବର୍ତମାନ ହରଭଙ୍ଗା ବ୍ଲକ ଅଞ୍ଚଳରେ ଡହ ଡହ ତାତିରେ ଜନଜୀବନ ସନ୍ତୁଳି ହେଲାଣି। ଗତ ତିନିଦିନ ମଧ୍ୟରେ ତାପମାତ୍ରା ପାଖାପାଖି ୪୦ଡିଗ୍ରୀ ଛୁଇଁଲାଣି। ଦିନକୁ ଦିନ ପାରଦ ଊର୍ଦ୍ଧ୍ବଗାମୀ ଯୋଗୁଁ ସଂପ୍ରତି ବ୍ଲକ ଅଞ୍ଚଳରେ ଅଗ୍ନିବର୍ଷା ଭଳି ତାତି ଆରମ୍ଭ ହୋଇଯାଇଛି। ଏଭଳି ଖରାଦେଖି ଲୋକେ ଛାନିଆ ହୋଇଗଲେଣି। ସକାଳ ୮ଟା ପରେ ପରେ ଖରାର ପ୍ରଚଣ୍ଡ ପ୍ରକୋପ ଯୋଗୁଁ ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଏଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବ୍ଲକର ଜନଗହଳିପୂର୍ଣ୍ଣ ସ୍ଥାନ ଚାରିଛକ, ପୁରୁଣାକଟକ, ହରଭଙ୍ଗା, ଛତ୍ରଙ୍ଗ, ମାଧପୁର ଭଳି ସ୍ଥାନଗୁଡିକରେ ଲୋକଙ୍କ ଗହଳିଚହଳି ହ୍ରାସ ପାଇଛି। ପ୍ରଚଣ୍ଡ ଅଗ୍ନିବର୍ଷାରେ ବର୍ତ୍ତମାନ ସାଧାରଣ ଜନଜୀବନ ସନ୍ତୁଳି ହୋଇଗଲାଣି। ଗୋଟିଏ ପଟେ ଅସହ୍ୟ ତାତି ଗରମ ଲାଗି ରହିଥିବା ବେଳେ ଲୋକେ ଘରୁ ବାହାରି ନପାରି ଘର ଚାରିକାନ୍ଥ ମଧ୍ୟରେ ରହିବାକୁ ସୁରକ୍ଷିତ ମନେକରୁଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ସାଙ୍ଗକୁ ପାଣି ସମସ୍ୟା ଯୋଗୁଁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଚଳିତବର୍ଷ ବ୍ଲକ ଅଂଚଳରେ ମାତ୍ରାଧିକ ଜଙ୍ଗଲ ପୋଡି ତାପମାତ୍ରା ବୃଦ୍ଧି ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ପ୍ରଚଣ୍ଡ ଖରାରେ ମହାନଦୀ ଭଳି ପ୍ରାକୃତିକ ଜଳାଶୟ ଉତ୍ସ ଶୁଷ୍କ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ନଦୀକୂଳିଆ ଗାଁ ଗୁଡିକରେ ମଧ୍ୟ ପିଇବା ପାଣି ସମସ୍ୟା ମୁଣ୍ଡଟେକିଲାଣି।

prayash

ଅନ୍ୟପଟେ ପାହାଡପର୍ବତ ଘେରା ବ୍ଲକର ତଳଗାଁ ପଂଚାୟତର କାଉପଡ଼ା, ବିରୁଡି, ରାଣିସାହି, ତଇଲାସାହି, ନେଡିସାହି, ବଡଖଜୁରୀ, ବଡଭୁରତା, ଆଡେଣିଗଡ଼ ପଂଚାୟତର କଣ୍ଡରା, କାଚପାଜୁ, କାଇମାଟି, ସବେରୀ, କୁଚପାଜୁ, କୁଶଙ୍ଗ ପଂଚାୟତର ବୁଢାଆମ୍ବ, ନୂଆପଡ଼ା, ହାତୀଗଡ଼, ପଦ୍ମତୋଳା, ଅତଲସରା, ତିରଡ, ମହାଲ୍ଲିକପଡ଼ା ପଂଚାୟତର ଖଳିସାହି, କୁଟୀବାରୀ, ସାତଖଣ୍ଡ ଆଦି ଗାଁଗୁଡିକରେ ଲୋକେ ପିଇବା ପାଣି ପାଇଁ ସଂଘର୍ଷ କରୁଥିବା ଚିତ୍ର ମଧ୍ୟ ସାମନାକୁ ଆସିଛି। ଜଙ୍ଗଲୀ ପଶୁଜନ୍ତୁସବୁ ପାଣି ଲାଗି ଗାଁ ମୁହାଁ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଆଗକୁ ଆହୁରି ଏଭଳି ତାତି ଲାଗିରହେ ତାହେଲେ ପାଣି ପାଇଁ ସବୁଠି ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ତରଫରୁ ଗ୍ରୀଷ୍ମକାଳୀନ ମୁକାବିଲା ପାଇଁ ସେହିଭଳି ଠୋସ୍‌‌ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ପାଣି ପାଇଁ ସଂଘର୍ଷ କରୁଥିବା ଗାଁମାନଙ୍କରେ ଟ୍ୟାଙ୍କର ଯୋଗେ ପିଇବା ପାଣିର ବ୍ୟବସ୍ଥା କରାଯାଇନାହିଁ କି ଅଚଳ ହୋଇପଡ଼ିଥିବା ନଳକୂପ ଏବଂ ଜଳଯୋଗାଣ ପ୍ରକଳ୍ପଗୁଡିକର ଗ୍ରୀଷ୍ମ ଆରମ୍ଭରୁ ମରାମତି କରାଯାଇନାହିଁ। ଫଳରେ ଖରାଦିନ ଯାକ ଲୋକେ ପାଣି ଟୋପାଏ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଫଳରେ ପାଣି ପାଇଁ ସଂଘର୍ଷ କରୁଥିବା ଗାଁଗୁଡିକରେ ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ସହିତ ଅଚଳ ଜଳ ଯୋଗାଣପ୍ରକଳ୍ପ ଏବଂ ନଳକୂପଗୁଡିକୁ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି।

 

 

 

 

Comments are closed.