ସମାଜ ପ୍ରଭାବ, ଚିକିତ୍ସା ପାଇଁ ସୋନୁ ଯିବେ କଟକ ଶିଶୁ ଭବନ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅର୍ନ୍ତଗତ ବାଣିଭୁଷଣପୁର ପଂଚାୟତର ଆଦିବାସୀ ବହୁଳ ପାଟଦହଲୀ ଗ୍ରାମର ପ୍ରଶାନ୍ତ ଭୋଇଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ସୋନୁ ଭୋଇ (୧୩) ଅଜଣା ରୋଗରେ ଆକ୍ରାନ୍ତ। ହାତ ଗୋଡ ଚଳୁନଥିବା ବେଳେ ଆଖିକୁ ତାଙ୍କର ଭଲଭାବେ ଦିଶୁନଥିବା ଏକ ଶୀର୍ଷକ ଖବର ଗତ ୨୭ତାରିଖ ସମାଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବୌଦ୍ଧ ସିଡିଏମଓ ପ୍ରଭାତ ଦାସଙ୍କ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ସୋନୁଙ୍କ ପାଖରେ ପଂହଚିଥିଲେ। ଗତ ଶନିବାର ଆଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଜ୍ୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆଡେଣିଗଡ଼ର ଏକ ଟିମ୍‍ ଡାକ୍ତର ରବୀନ୍ଦ୍ର ସ୍ୱାଇଁ, ବ୍ୟଞନ ମେହେର ପ୍ରମୁଖ ଡାକ୍ତରୀଦଳ ସୋନୁଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ ପାଇଁ ବୌଦ୍ଧ ମେଡିକାଲ ନେଇଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଂଚପରେ ଏହା ଏକ ବଂଶାନୁଗତ ରୋଗ ବୋଲି ଜଣାପଡ଼ିଥିଲା। ତାଙ୍କର ଉନ୍ନତମାନର ଚିକିତ୍ସା ପାଇଁ ସୋନୁଙ୍କୁ ରାଜ୍ୟ ବାଲ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ ଜରିଆରେ କଟକ ଶିଶୁ ଭବନ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯିବ ବୋଲି ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି। ସୂଚନା ଥାଉ କି ଏହି ଅବସ୍ଥାରେ ଗତ ୩ ବର୍ଷତଳେ ସୋନୁଙ୍କ ବଡଭାଇ ଚନ୍ଦନ ମଧ୍ୟ ଆଖି ବୁଜିଥିବା ଜଣାପଡ଼ିଛି।

Comments are closed.