୩ଟି ଯାତ୍ରୀ ବିଶ୍ରାମଗାର ଉଦଘାଟନ, ୨ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଭୂମିପୂଜା

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ୩୧ ଜୁଲାଇ (ରବିବାର) ଚାକିରୀର ଶେଷଦିନ। ଜିଲ୍ଲାପାଳଙ୍କ ଅବସରଗ୍ରହଣକୁ ଦୃଷ୍ଟିରେ ରଖି ରବିବାର ସାରା ଜିଲ୍ଲାରେ ୨୨ଟି ଉଦଘାଟନୀ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅବସର ଗ୍ରହଣ ଦିନକୁ ଏକ ସ୍ମୃତିର ଦିନ ଭାବେ ରଖିବା ପାଇଁ ଜିଲ୍ଲାପାଳଙ୍କ ନିଜସ୍ୱ ପାଣ୍ଠିରୁ ହରଭଙ୍ଗା ବ୍ଲକର ହରଭଙ୍ଗା, ଛତ୍ରଙ୍ଗ ଏବଂ ପରଗଳପୁରଠାରେ ୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟବରାଦରେ ଆଧୁନିକ ଶୈଳୀରେ ନିର୍ମାଣ ହୋଇଥିବା ତିନୋଟି ଯାତ୍ରୀ ବିଶ୍ରାମଗାରଗୁଡିକର ଶୁଭ ଉଦଘାଟନ ଆଜି ପଂଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‍ ଏବଂ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟେକ ଯାତ୍ରୀ ବିଶ୍ରାମଗାର ଦୁଇ ପାର୍ଶ୍ବରେ ମନ୍ତ୍ରୀ ଏବଂ ଜିଲ୍ଲାପାଳ ଚାରା ରୋପଣ ମଧ୍ୟ କରିଥିଲେ।

ସେହିପରି ପିତାମ୍ବରପୁର ପଂଚାୟତର ଜିରାଡଠାରେ ଏସ.ଏଚ.ଜି ମିଟିଂହଲ ଓ ପାଠାଗାରର ଶୁଭ ଉଦଘାଟନ ମଧ୍ୟ କରିଥିଲେ।ଶେଷରେ ଆଡେଣିଗଡ଼ ଏବଂ ପୁରୁଣାକଟକଠାରେ ନୂତନଭାବେ ନିର୍ମାଣ ହେବାକୁଥିବା ଦୁଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ହୋଇଥିଲା। ଏହା ସହିତ ଛତ୍ରଙ୍ଗଠାରେ ଏକ ଏଚଡବ୍ଲୁଏସସି ଶିଳାନ୍ୟାସ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ପି.ଡି ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବି.ଡି.ଓ ଶ୍ମିତା ରଥ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, ହରଭଙ୍ଗା କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ, ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ।

Comments are closed.