ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗ୍ରାମରେ ଗତ ରବିବାର ସକାଳେ ଘଟିଥିବା ଛାତିଥରା ବାଣ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ସହିତ ୧୨ଜଣ ଗୁରୁତର ପରେ ପୁଲିସର ଚେତା ପଶିଛି। ପୁରୁଣାକଟକ ବଜାରର କେନ୍ଦ୍ରସ୍ଥଳରେ ଥିବା ଜନବସତି ମଧ୍ୟରେ ରହିଥିବା ନ୍ୟୁ କୋଲନିର ଆଲୋକ କାନ୍ତି ନାମକ ଏକ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ । ଏହାସହିତ ଜେନା ସାହି ଏବଂ କଲେଜ ସ୍କ୍ୱାୟେରରେ ଥିବା ଅନ୍ୟ ଦୁଇଟି ବାଣ ଗୋଦାମକୁ ମଧ୍ୟ ପୁଲିସ ସିଲ କରିଛି।
ଆଜି ସକାଳୁ ନ୍ୟୁ କଲୋନୀରୁ ଦୁଇ ଟ୍ରିପ ମ୍ୟାକ୍ସ ପିକଅପ ଗାଡ଼ିରେ ସକାଳୁ ବାଣ ବୁହା ସାରିଥୁବା ବେଳେ ଅନ୍ୟ ଏକ ଆଇଚର ଟ୍ରକରେ ଜବତ ବାଣ ବୋଝେଇ ଚାଲିଥିବା ଜଣାପଡିଛି। ପୁରୁଣା କଟକ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ବର୍ଷ ଧରି ଜଣେ ବ୍ୟକ୍ତି ବାଣ ବ୍ୟବସାୟ ଚଳେଇଥିବା ବେଳେ ପୁଲିସ ପାଖରେ ସୂଚନା ନଥିବା ବେଆଇନ ବାଣ ବ୍ୟବସାୟୀ ଏବଂ ପୁଲିସ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା କୁ ପଦାରେ ପକାଇଛି । ଅନ୍ୟପଟେ ସମ୍ପୃକ୍ତ ବ୍ୟବସାୟୀ ଫେରାର ଥିବା ବେଳେ ଏହା ଉପରେ ଆଗକୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ନଜର ରହିଛି । ଏସମ୍ପର୍କରେ ବୌଦ୍ଧ ଏସ. ପି ରାହୁଲ ଗୋଏଲଙ୍କୁ ପଚାରିବାରୁ ସେ କହିଲେ ଜବତ ବାଣକୁ ବୌଦ୍ଧ ରିଜର୍ଭକୁ ଟ୍ରକ ଯୋଗେ ଅଣାଯିବା ପରେ ନଷ୍ଟ କରାଯିବ। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବଲାଙ୍ଗୀର ସମେତ ଅନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି।



