କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ; ୬୫-୬୯ ବର୍ଷର ୧୯୬୫ ହଜ୍‌ ଯାତ୍ରୀଙ୍କୁ ସୁଯୋଗ ଦିଅ

0

ନୂଆଦିଲ୍ଲୀ : ଚଳିତବର୍ଷ ୬୫ରୁ ୬୯ ବର୍ଷୀୟ ୧୯୬୫ ଜଣ ମୁସଲମାନଙ୍କୁ ହଜ୍‌ ଯାତ୍ରା ପାଇଁ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମାମଲାର ଶୁଣାଣି କରିବା ସହ ଯେଉଁ ହଜ୍‌ଯାତ୍ରୀ ପୂର୍ବରୁ ପାଞ୍ଚ କିମ୍ବା ଅଧିକ ଥର ଆବେଦନ କରି ବିଫଳ ହୋଇଛନ୍ତି, ସେମାନଙ୍କୁ ଏଥର ସୁଯୋଗ ଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଏହି ବର୍ଗର ହଜ୍‌ ଯାତ୍ରୀଙ୍କୁ ଅଗ୍ରାଧିକାର ଦେବାକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପୂର୍ବରୁ ନିଷ୍ପତ୍ତି ନେଇସାରିଛି। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦେଶ ବଳରେ ଏହି ବୟସର ୧୯୬୫ ଯାତ୍ରୀଙ୍କୁ ପ୍ରଥମେ ସୁଯୋଗ ଦେବାକୁ ହଜ୍‌ କମିଟିକୁ ପରାମର୍ଶ ଦିଆଯିବ। ଅବଶିଷ୍ଟ ଆସନ ନିମନ୍ତେ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ନାମକୁ ବିଚାର କରାଯିବ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

prayash

ହଜ୍‌ ଯାତ୍ରୀଙ୍କୁ ସୁଯୋଗ ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କେରଳ ହଜ୍‌ କମିଟି ଯେଉଁ ପିଟିସନ ଦାଏର କରିଛି, ତାହାର ଚୂଡାନ୍ତ ଶୁଣାଣି ଜୁଲାଇ ୧୦ରେ ହେବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି।

ପ୍ରତିବର୍ଷ ୧.୭୫ ଲକ୍ଷ ହଜ୍‌ ଯାତ୍ରୀଙ୍କୁ ପଠାଇବାକୁ ସାଉଦି ଆରବ ପକ୍ଷରୁ ଭାରତ ସରକାରଙ୍କୁ ଅନୁମତି ମିଳିଛି। ଏଥିମଧ୍ୟରୁ ୧.୨୫ ଲକ୍ଷ ଆସନର ଆବଣ୍ଟନ ଅଧିକାର ହଜ୍‌ କମିଟି ନିକଟରେ ରହିଥିବାବେଳେ ଅବଶିଷ୍ଟ ୫୦ ହଜାର ଆସନ ବିଭିନ୍ନ ଟ୍ରାଭେଲ ଏଜେନ୍ସିକୁ ମିଳିଥାଏ। କେରଳରୁ ୯୫୦୦୦ ଯାତ୍ରୀ ହଜ୍‌ କରିବାକୁ ମକ୍କା ଯିବାକୁ ଆବେଦନ କରିଥିବାବେଳେ କେବଳ ୬୦୦୦ ଆବେଦନକୁ ମଞ୍ଜୁରୀ ମିଳିଛି। ଏହାର ପ୍ରତିବାଦରେ କେରଳ ହଜ୍‌ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Leave A Reply