ଭଙ୍ଗାଘରେ ଚକାଜହ୍ନ ; ଆବାସ ଯୋଜନା ସାତ ସପନ
ଗୁରୁଡିଝାଟିଆ : ଗ୍ରାମାଞ୍ଚଳର ବିକାଶ ସହିତ ପ୍ରତ୍ୟେକ ଅଭାବୀ ଜନସାଧାରଣଙ୍କ ମୁଣ୍ଡ ଉପରେ ଛାତ, ହାତକୁ କାମ ,ପେଟକୁ ଭାତ ଓ ଚିକିତ୍ସାସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ ବାସ୍ତବ କ୍ଷେତ୍ରରେ ସମସ୍ତ ସ୍ଥାନରେ ଏହା ପ୍ରକୃତ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚି ପାରୁ ନଥିବା ଦେଖାଯାଉଛି। ଏବେ ମଧ୍ୟ ବହୁ ଅଭାବୀ ଘର ଖଣ୍ଡିଏ ନ ପାଇପାରି ବିପଦ ସଙ୍କୁଳ ଅବସ୍ଥାରେ ଖୋଲା ମେଲା ଝୁମ୍ପୁଡିରେ କାଳାତିପାତ କରୁଛନ୍ତି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତର ରାଧିକାପାଟିକା ସାହିରେ। ଲାଦୁରା ସଏ (୬୨) ଓ ସ୍ତ୍ରୀ କୁନି ସଏ ନିଜର ୨ ପିଲାଙ୍କୁ ଧରି ଅତି ବିପଦ ସଙ୍କୁଳ ଅବସ୍ଥାରେ ବାସ କରୁଛନ୍ତି। ଘର ଖଣ୍ଡିଏ ନଥିବାରୁ ଭାଙ୍ଗିଯାଇଥିବା ଚାଳ ଉପରେ ଜରିପାଲ ଟାଙ୍ଗି ମୁଣ୍ଡ ଗୁଞ୍ଜୁଛନ୍ତି। ଘରେ କବାଟ ନଥିବା ବେଳେ ୪ପାଶ୍ୱର୍ ଖୋଲାମେଲା। ସରୀସୃପଙ୍କ ରାଜୁତି ମଧ୍ୟ କିଛି କମ୍ ନୁହେଁ। ଅଭାବୀ ପାଇଁ ସବୁ ବିପଦ ମାଡି ଆସେ। ବାରମ୍ବାର ନେହୁରା ହେବା ପରେ ମଧ୍ୟ ଏବେ ସୁଦ୍ଧା ଘରଟିଏ ପାଇନାହାନ୍ତି। ତେଣୁ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଭଙ୍ଗା ଘରେ। ଦିନରେ ଦେଖାଯାଉଛି ଖରା। ରାତିରେ ତାରା। ସତେ ଅବା ସେମାନଙ୍କ ପାଇଁ ଅଭାବ ପାଲଟିଛି ବୋଝ। ଭଙ୍ଗା ଘରେ ଦେଖା ଯାଉଛି ଚକା ଜହ୍ନ। ଲାଦୁରାର ପରିବାର କହିଲେ ସ୍ତ୍ରୀ କୁନି ,ଦିବ୍ୟାଙ୍ଗ ୮ବର୍ଷର ପୁଅ ଓ ଗୋଟିଏ ଝିଅ । ଜଙ୍ଗଲରୁ କାଠପତ୍ର ଓ ମୂଲ ଲାଗିଲେ ନିଜ ପେଟ ପୋଷଣ କରେ।
ରାଜ୍ୟ ସରକାର ଅଭାବୀ ମାନଙ୍କୁ ଘର ଯୋଗାଇ ଦେବା ପାଇଁ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଆବାସ ଯୋଜନା ମାଧ୍ୟମରେ ପର୍ଯ୍ୟାପ୍ତ ଘର ଯୋଗାଇ ଦେଉଛନ୍ତି। କିନ୍ତୁ ସବୁ ଯୋଜନା ଲାଦୁରା ପାଇଁ ଅଟକି ଯାଇଛି ଅଧା ବାଟରେ। କେବେ ତା ମୁଣ୍ଡ ଉପରେ ଛାତଟିଏ ହେବ, ପକ୍କା ଘରେ ଶୋଇବ କେବେ ଭାବିନି। ସେଥିପାଇଁ ତ ଭାଗ୍ୟକୁ ଆଦରି ଭଙ୍ଗାଘରେ ସରୀସୃପ ଗହଣରେ ୪ ପ୍ରାଣୀଙ୍କୁ ନେଇ ବିତାଉଛି ଜୀବନ। ଜିଲ୍ଲା ସଦରମହକୁମା ଠାରୁ ୩୫ କିମି ଦୂରରେ ଓ ଆଠଗଡ ବ୍ଲକ ଠାରୁ ୨୦ କିମି ଦୂରତାରେ ଲାଦୁରାର ଜୀବନ ଚିତ୍ର ଓ ଦଦରା ଘର ରହିଛି। ଏଥିସହିତ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ତୃଣ ମୂଳସ୍ତରର କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଲାଦୁରା ସଏ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଯୋଗାଇ ଦେବା ପାଇଁ ଦାବି ହୋଇଛି।
Comments are closed.