
ଆଠଗଡ଼ ଜିଲ୍ଲାପରିଷଦ ଜୋନ-୨ରେ ପ୍ରତିଦ୍ୱନ୍ଦିତା ଜୋରଦାର

ଗୁରୁଡ଼ିଝାଟିଆ: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ଼ ବ୍ଲକର ଜିଲ୍ଲାପରିଷଦ ଜୋନ-୨ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସୁରକ୍ଷିତ ରହିଛି। ଏଠାରେ ୩ ପ୍ରମୁଖ ଦଳର ପ୍ରାର୍ଥୀନିମାନେ ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଆତେଇବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ସ୍ଥାନୀୟ ବିଧାୟକ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ପ୍ରାର୍ଥୀଙ୍କ ପାଇଁ ଜିଡିଟାଲ ମୋଡରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଭୋଟରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ, ଜନକଲ୍ୟାଣକାରୀ ଯୋଜନା,ବିଶେଷତଃ ମହିଳାମାନଙ୍କୁ ମିଶନଶକ୍ତି ଜରିଆରେ ସେମାନଙ୍କ ହାତକୁ କାମ ଯୋଗାଇଦେବା ଆଦି ସଫଳତାର ଗାଥାକୁ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ଭୋଟରମାନଙ୍କ ଦୃଷ୍ଟି ଆକର୍ଷଣ କରି ଦଳୀୟ ପ୍ରାର୍ଥୀନିଙ୍କୁ ଭୋଟ ଦେବା ପାଇଁ ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀନି ଭାବରେ ମିନତୀ ଗାଗରାଇ ନିଜ ସମର୍ଥକଙ୍କୁ ଧରି ପ୍ରଚାର ଜୋରଦାର କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଆଠଗଡ଼ କଂଗ୍ରେସକୁ ଏକଜୁଟ କରି ଗାଁ ଗାଁ ବୁଲି ସଭା ଚଳାଇଛନ୍ତି ଏବଂ ନିଜର ବଳକୁ ସଂଗ୍ରହ କରୁଛନ୍ତି। ଶାସକ ଦଳ ଉପରେ ଅସନ୍ତୁଷ୍ଟ ଥିବା କୃଷକମାନଙ୍କ ଭୋଟକୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି।
ଏଥିପାଇଁ ଦଳୀୟ ପ୍ରାର୍ଥୀନି ରଞ୍ଜିତା ହେସାଙ୍କୁ ଧରି ନିଜ ସମର୍ଥକଙ୍କ ସହିତ ଗାଁଗାଁ ବୁଲୁଛନ୍ତି। ଓରନ୍ଦା ସମ୍ଭେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ କରାଇଥିଲେ। ଭାରତୀୟ ଜନତାପାର୍ଟିର ନେତା ଏବେ ସିଧାସଳଖ ଭାବରେ ନିଜର ପ୍ରାର୍ଥୀନି ଚିନ୍ମୟୀ ପୂର୍ତ୍ତିଙ୍କ ପାଇଁ ମଇଦାନକୁ ବାହାରିନାହାନ୍ତି। ହେଲେ ପ୍ରାର୍ଥିନୀ ଚିନ୍ମୟୀ ମଧ୍ୟ ପଛରେ ନାହାନ୍ତି। ଜୋନ-୨ର ବିଭିନ୍ନ ପଞ୍ଚାୟତମାନଙ୍କରେ ଛାମୁଆ କର୍ମୀମାନଙ୍କ ସହିତ ଘରଘରବୁଲି ନିଜ ସପକ୍ଷରେ ମତଦାନ ପାଇଁ ବୁଝାଇବାରେ ଲାଗିଛନ୍ତି। ଏଣୁ ଜିଲ୍ଲାପରିଷଦ ଜୋନ-୨ରେ ପ୍ରତିଦ୍ୱନ୍ଦିତା ଖୁବ ତୀବ୍ରତର ହେବ। କେହି କାହାକୁ ଟକ୍କର ଦେବା ରେ ପଛାଉନାହାନ୍ତି। ତେଣୁ ଏହି ଜୋନରେ ପ୍ରତିଦ୍ୱନ୍ଦିତା ତ୍ରିମୁଖି ହେଉଛି।ବିଶେଷତଃ ଜିଲ୍ଲା ପରିଷଦ ଜୋନ-୨ ନବେଢ଼ା ଅଞ୍ଚଳର ପଞ୍ଚାୟତ ସମୂହକୁ ନେଇ ଗଠିତ ହୋଇଛି। ଏଠାରେ ଯୁବକ ଓ କୃଷକମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ। ସେଥିପାଇଁ ତିନିଦଳର ଶୀର୍ଷନେତାମାନେ ନିଜ ପ୍ରାର୍ଥୀନୀଙ୍କୁ ଜିତାଇବା ପାଇଁ ଯୋରଦାର ଲାଗିପଡ଼ିଛନ୍ତି।
ତେବେ ଆଠଗଡ଼ ବ୍ଲକର ଜିଲ୍ଲାପରିଷଦ ଜୋନ-୩ ରେ ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ଓ ସ୍ପର୍ଶକାତର ଏକାଧିକ ଭୋଟଗ୍ରହଣ କେନ୍ଦ୍ର ରହିଛି। ଯେଉଁଠାରେ ଅବାଧ ଓ ନିର୍ଭୟରେ ମତଦାତା ନିଜର ମତ ସାବ୍ୟସ୍ତ କରିବାରେ ଶଙ୍କା ରହିଛି। ସେହିସବୁ ଭୋଟଗ୍ରହଣ କେନ୍ଦ୍ରରେ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସିସିଟିଭି ଲଗାଇ ଅବାଧ ଓ ଭୟଶୂନ୍ୟ ବାତାବରଣ ସୃଷ୍ଟି କରିବା ଓ ମତଦାତାଙ୍କୁ ସ୍ୱଚ୍ଛନ୍ଦରେ ଭୋଟ ଦେବାର ସୁଯୋଗ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ପରିଷଦ ଜୋନ-୩ର କଂଗ୍ରେସ ପ୍ରାର୍ଥୀ ସୁନିଲ କୁମାର ସୁତାର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଭେଟି ଲିଖିତ ଭାବରେ ଜଣାଇଛନ୍ତି। ଏହା ସହିତ କଟକ ଜିଲ୍ଲାପାଳ ,ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ,ଆଠଗଡ଼ ଉପଜିଲ୍ଲାପାଳ ଓ ଆଠଗଡ଼ ପୋଲିସ କୁ ଅବଗତ କରାଇଛନ୍ତି। ଶ୍ରୀ ସୁତାର ମତଦାତାଙ୍କୁ ଭେଟି ନିଜ ସପକ୍ଷରେ ଭୋଟଦେବା ପାଇଁ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ଭୋଟରମାନେ ଅବାଧ ରେ ଭୋଟଦେବା ପାଇଁ ଶଙ୍କା ପ୍ରକଟ କରୁଥିବା ଜାଣିବାକୁ ପାଇଥିଲେ। ମଞ୍ଚେଶ୍ୱର ପଞ୍ଚାୟତର ସୁନିଆମୁହଁ ,ପାଇକରାପୁର, ନଣ୍ଡେଇଲ, ରାଉତରାୟପୁର, ଘଣ୍ଟିଖାଲ, ଅନନ୍ତପୁର, କଟକିଆସାହି, ରାଜନଗର, ବେଣ୍ଟପଦା ଓ ରାଧାଗୋବିନ୍ଦପୁର ବୁଥଗୁଡିକ ଅତି ସମ୍ବେଦନଶୀଳ ହୋଇଥିବାରୁ ସେଠରେ ସିସିଟିଭି ଓ କେନ୍ଦ୍ରୀୟ ସୁରକ୍ଷାବଳ ଓ ପୋଲିସର କଡା ନଜର ରଖିବା ଯେଭଳି ବଳପୂର୍ବକ ଭୋଟରମାନଙ୍କୁ ଭୟଭୀତ କରି ନିଜ ସପକ୍ଷରେ ମତଦାନ କରିପାରିବେ ନାହିଁ।
ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ-୨ ଅଞ୍ଚଳରେ ଥିବା କଣ୍ଡରେଇ ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ପଞ୍ଚାୟରେ ୧୪ଟି ୱାର୍ଡର ଜନସାଧାରଣ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେଇ ନିର୍ବାଚିତ କରାଇବେ। କୁଳମଣି ବେଉରା, ସୁଦାମ ଚରଣ ବେଉରା, ସୁଧାକର ପରିଡ଼ା ଓ ଜ୍ଞାନ ରଞ୍ଜନ ଦାଶ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଜନଜାତି ଜନସାଧାରଣ ଏହି ପଞ୍ଚାୟତରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ସେମାନଙ୍କ ମନଭାବକୁ ବୁଝିଥିବା ପ୍ରାର୍ଥୀ ହିଁ ବିଜୟଟୀକା ପିନ୍ଧିବେ। ପ୍ରାର୍ଥମାନେ ନିଜ ନିଜ ସପକ୍ଷରେ ଭୋଟ ପାଇଁ ଘରଘରବୁଲି ଭୋଟରମାନଙ୍କୁ ନିଜ ସପକ୍ଷରେ ଉଦ୍ୟମ ଜାରିରଖିଛନ୍ତି।ସେହିଭଳି ଭାବରେ ସମିତିସଭ୍ୟ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଦଣ୍ଡଧର ଦେହୁରୀ, ବାଲାସ କୁମାର ଦେହୁରୀ,ବିଶ୍ବନାଥ ପୂର୍ତ୍ତି ଓ ମାଧବଚନ୍ଦ୍ର ଦେହୁରୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି।
Comments are closed.