୫୫ ନଂ ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ଯନ୍ତା, ପ୍ରଶାସନର ନିଦ ଭାଙ୍ଗିବ କେବେ?
ଗୁରୁଡିଝାଟିଆ : ମଙ୍ଗୁଳିରୁ ଢେଙ୍କାନାଳ ଦେଇ ଅନୁଗୁଳକୁ ସଂଯୋଗ କରୁଥିବା ୫୫ ନଂ ଜାତୀୟ ରାଜପଥ ଏବେ ମୃତ୍ୟୁର ଯନ୍ତା ପାଲଟିଛି। ଏହି ରାସ୍ତାଟି ଖାଲଖମାରେ ପରିଣତ ହୋଇଛି। ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ଖାଲରେ ପାଣି ଜମିଯିବାରୁ ଖାଲର ସ୍ଥିତି ମଧ୍ୟ ଜଣାପଡୁନାହିଁ। ଏକାଧିକ ସ୍ଥାନରେ ରାସ୍ତା କର୍ଦ୍ଦମାକ୍ତ ହୋଇଥିବାରୁ ଏହା ବାଇକ ଚାଳକଙ୍କ ପାଇଁ ମହାବିପଦ ଆଣିଦେଇଛି। ଏଭଳି ଅବସ୍ଥା ଚୌଦ୍ୱାରରୁ ଖୁଣ୍ଟୁଣୀ ପର୍ଯ୍ୟନ୍ତ ଲାଗି ରହିଛି। ଅତ୍ୟନ୍ତ ଶୋଚନୀୟ ଓ ମୃତ୍ୟୁର ଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥର ପୁନଃରୁଦ୍ଧାର ଓ ମରାମତି ସହ ପ୍ରଶସ୍ତିକରଣ କ୍ଷେତ୍ରରେ ଠିକାଦାରଙ୍କ କଚ୍ଛପଗତି ଓ ଉଦାସୀନତା ଦିଗରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଉନଥିବାରୁ ବିଚରା ଗାଡିଚାଳକ ହୀନସ୍ତା ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି। ଗତ ୨ ଦିନ ତଳେ ୫୫ଂ ଜାତୀୟ ରାଜପଥର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖି ଏବଂ ବାରମ୍ବାର ହଇରାଣ ହରକତ ହେଉଥିବାରୁ ଢେଙ୍କାନାଳ ବାସୀ ବନ୍ଦ ଡାକରା ଦେଇଥିଲେ।
କ’ଣ ପାଇଁ କର୍ତ୍ତୃପକ୍ଷ ରାସ୍ତାର ଦୋହରିକରଣ ଓ ପ୍ରସସ୍ତିକରଣ କାର୍ଯ୍ୟରେ କଚ୍ଛପ ଗତି କରୁଛନ୍ତି ତାହାତ ବୁଝାପଡୁନାହିଁ। ରାଜ୍ୟ ସରକାର ସେମାନଙ୍କୁ ପ୍ରତି ଆଖିବୁଜିଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ଦାବି ହୋଇଛି। ୫୫ନଂ ଜାତୀୟ ରାଜପଥର ଏଭଳି ବିପର୍ଯ୍ୟସ୍ତ ସ୍ଥିତିରେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଜନସାଧାରଣଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବା ଆବଶ୍ୟକ। ତୁରନ୍ତ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Comments are closed.