ଗୁରୁଡ଼ିଝାଟିଆ: କଖଡି ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ସପ୍ତାହବ୍ୟାପୀ ସେବା ଓ ସେବକ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ ଉତ୍କଳମଣି ଥିଲେ ଦୀନଜନଙ୍କ ବନ୍ଧୁ, ସନ୍ଥ, ସଂସ୍କାରକ, ବ୍ୟବସ୍ଥାପକ ଓ ସେବା ତ୍ୟାଗର ମୂର୍ତ୍ତମନ୍ତ ପ୍ରତୀକ। ଶତାବ୍ଦୀରେ ଶ୍ରେଷ୍ଠ ସେବକ ଓ ଓଡିଆ ଜାତିର ତ୍ରାଣକର୍ତ୍ତା। ସମଗ୍ର ଜୀବନକୁ ସେବା ଓ ତ୍ୟାଗର ପ୍ରଦୀପରେ ଜାଳି ଜାଳି ଅନ୍ୟର ଦୁଃଖ କଷ୍ଟ ଓ ଯାତନାକୁ ନିର୍ବାପିତ କରୁଥିଲେ ବୋଲ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, କଖଡି ସରପଞ୍ଚ କଳ୍ପନା ଛତାର, ସମାଜସେବୀ ଦିଲ୍ଲିପ କୁମାର ଛତାର, ମହାବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଶିକ୍ଷାବିତ୍ ଫକୀର ଚରଣ ସୀତାରାମ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ତିତୀକ୍ଷା ଭାବରେ ନିଜକୁ ଦିକ୍ଷୀତ କରାଇ ମାନବଜାତିର କଲ୍ୟାଣରେ ନିଜକୁ ଗଢିତୋଳିବା ପାଇଁ କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟାପିକା ଡଃ କଳ୍ପନା ଦାସ, ଅଧ୍ୟାପକ ସଞ୍ଜୀବ କୁମାର ସାହୁ ନିଜର ମତ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଉତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଏଲିନା ପରିଡ଼ା, ଅଧ୍ୟାପିକା ପ୍ରଜ୍ଞା, ସରସ୍ୱତୀ ସାହୁ, ରାଜେନ୍ଦ୍ର ସାହୁ, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହରପ୍ରିୟା ବାରିକ ସଂଯୋଜନା କରିଥିଲେ।



