ଗୁଣପୁର:ଚାଷ କାମ ଯାହାର କେଡ଼େ ସୁଖ ତାହାର। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆନ୍ଧ୍ରରୁ ଆସିଥିବା ଜଣେ ଯୁବଚାଷୀ ପି.ଗଣେଶ। ଲଙ୍କା ଚାଷ କରି ସଫଳ ହୋଇ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ରୋଜଗାରର ମାଧ୍ୟମ ପାଲଟିଛନ୍ତି ଏହି ଆନ୍ଧ୍ର ଚାଷୀ। ଏ ହେଉଛି ଓଡ଼ିଶା ମାଟିରେ ଆନ୍ଧ୍ର ଚାଷୀଙ୍କ ସଫଳତାର କାହାଣୀ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଅଧିବାସୀଙ୍କ ଜୀବନଜୀବିକା କହିଲେ ଧାନ ଓ କପା ଚାଷ । ତେବେ ଏଠାକାର ଜଳବାୟୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜଳବାୟୁ ସହ ପ୍ରାୟତଃ ସମାନ ରହୁଥିବାରୁ ସେଠାକାର ଚାଷୀ ନିଜର ଅନୁଭୂତି ପ୍ରୟୋଗ କରି ସଫଳ ହେଉଛନ୍ତି। ବିଭିନ୍ନ ପ୍ରକାର ଅଣପାରମ୍ପରିକ ପଦ୍ଧତିରେ ଚାଷ କରି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରୁଛନ୍ତି।
ଜଳବାୟୁ ଅନୁସାରେ ଲଙ୍କା ଚାଷ କରି ସଫଳ ହେବା ସହ ଅନ୍ୟ ଚାଷୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲାରୁ ଆସିଥିବା ଯୁବ ଚାଷୀ ପି.ଗଣେଶ। ଗଣେଶ ଦୀର୍ଘବର୍ଷ ଧରି ଗୁଣପୁର ଓ ରାମାନାଗୁଡ଼ା ଅଞ୍ଚଳରେ କପା ଚାଷ କରି ଆସୁଛନ୍ତି। ଏଠାକାର ମାଟି ଓ ଜଳବାୟୁ ଲଙ୍କା ଚାଷ ପାଇଁ ଉତ୍କୃଷ୍ଟ ଥିବା ଜାଣିବା ପରେ ୫ବର୍ଷ ହେଲା ଲଙ୍କା ଚାଷ ଆରମ୍ଭ କରିଛନ୍ତି। ୫ଏକର ଜମିରେ ସେ ଆରମ୍ଭ କରିଛନ୍ତି ଲଙ୍କା ଚାଷ। ନିଜ ଅଞ୍ଚଳରୁ ବିହନ ଆଣି ‘ଆରମୋର’ ପ୍ରଜାତିର ଲଙ୍କା ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହୋଇଛନ୍ତି ।
ଗଣେଶ ଗୋଟିଏ ଏକର ଲଙ୍କା ଚାଷ ପାଇଁ ୮୦ ହଜାର ଟଙ୍କା ବିନିଯୋଗ କରୁଥିବାବେଳେ ଏକର ପିଛା ୨୦ କ୍ବିିଣ୍ଟାଲରୁ ଊର୍ଦ୍ଧ୍ବ ଲଙ୍କା ଉତ୍ପାଦନ କରିବାରେ ସମର୍ଥ ହୋଇପାରିଛନ୍ତି। ଉତ୍ପାଦିତ ଲଙ୍କାକୁ କ୍ବିିଣ୍ଟାଲ ପିଛା ୨୦ହଜାର ଟଙ୍କାରେ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି। ଏଠାରେ ବଜାରିକରଣ ସୁବିଧା ନ ଥିବାରୁ ବାଧ୍ୟ ହୋଇ ସେ ଆନ୍ଧ୍ର ଉପରେ ନିର୍ଭର କରୁଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ଆନ୍ଧ୍ର ଚାଷୀଙ୍କ ଲଙ୍କା କ୍ଷେତରେ କାମ କରି ସ୍ଥାନୀୟ ଅଞ୍ଚଳର ଶ୍ରମିକ ଦୁଇ ପଇସା ରୋଜଗାର କରି ବେଶ ଖୁସି ଅନୁଭବ କରୁଛନ୍ତି। ବଜାରିକରଣ ସୁବିଧା ହେଲେ ଅଞ୍ଚଳର ଅନ୍ୟ ଚାଷୀମାନେ ମଧ୍ୟ ଲଙ୍କା ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। କେବଳ ପାରମ୍ପରିକ ପଦ୍ଧତିରେ ନୁହେଁ, ଅଣ ପାରମ୍ପରିକ ପଦ୍ଧତିରେ ମଧ୍ୟ ବିଭିନ୍ନ ପ୍ରକାର ଚାଷ କରି ଜଣେ ସ୍ବାବଲମ୍ବୀ ହୋଇପାରିବ ବୋଲି ପ୍ରମାଣ କରିଛନ୍ତି ଏହି ଯୁବ ଚାଷୀ। ବାସ୍ତବରେ ଏହି ଯୁବଚାଷୀଙ୍କ ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାଦାୟକ ଅଟେ।



