ଗୁଣପୁର : ରାୟଗଡା ଏକ ଆଦିବାସି ଅଧୁଷିତ ଜିଲା। ଆଦିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଗୁଣୁପୁର ତହସିଲ୍ ଅଫିସ୍ ନିକଟରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଅଭିଜିତ୍ ଶବର(ନବମ ଶ୍ରେଣୀ), ଉଥାପା ଶବର (ଅଷ୍ଟମ ଶ୍ରେଣୀ), ପବିତ୍ର ଶବର(ଅଷ୍ଟମ ଶ୍ରେଣୀ)ଙ୍କୁ କିଛି ଦଶମ ଶ୍ରେଣୀ ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ଭାଇରଲ୍ ହୋଇଛି। ମାଡ଼ ମାରୁଥିବା ସମୟର ଭିଡିଓ ମୋବାଇଲ କ୍ୟାମେରାରେ ସୁଟିଂ କରାଯାଇଛି ଏବଂ ତାହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଇଛି।
ଭିଡିଓ ଭାଇରଲ ପରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ହଷ୍ଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣରେ ଶିକାର ହୋଇଥିବା ଛାତ୍ରମାନଙ୍କୁ ଗୁଣୁପୁର ମେଡିକାଲ୍ ରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି। ଆହତ ଛାତ୍ରମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି ବୋଲି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି।ତେବେ ଏନେଇ ହଷ୍ଟେଲ ପରିଚାଳକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କୁ ହଷ୍ଟେଲରେ ରଖି ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସହରାଞ୍ଚଳର ଶିକ୍ଷା ଯୋଜନାରେ ହଷ୍ଟେଲରେ ଛାତ୍ରମାନେ ରହି ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଗ୍ରହଣ କରିବା ବ୍ୟବସ୍ଥା ହୋଇଛି।



