ଗଲ୍ଫ୍ ଓଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ

ଭୁବନେଶ୍ୱର :  ଗଲ୍ଫ୍ ଓଡ଼ିଆ ଆସୋସିଏସନ(ଗଓଆ) ର ପଞ୍ଚମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗଓଆ ତରଫରୁ ଭୁବନେଶ୍ୱରଠାରେ ଏକ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗଓଆର ପ୍ରବାସୀ ଓଡ଼ିଆ ସଦସ୍ୟ ସେମାନଙ୍କର ପରିବାରବର୍ଗଙ୍କ ସହିତ ଆସି ଯୋଗ ଦେଇଥିଲେ । ବିଶେଷକରି କରୋନା ବାଧକତା ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ ଯାଉଥିବାରୁ ଗଓଆର ସଦସ୍ୟ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ, ଅନନ୍ୟ ଉଲ୍ଲାସ ଏବଂ ଅବିସ୍ମରଣୀୟ ଉନ୍ମାଦନା ଦେଖିବାକୁ ମିଳିଥିଲା।

prayash

ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ଗଓଆର ବରିଷ୍ଠ ସଦସ୍ୟ ବିଦ୍ୟା ଭୂଷଣ ମହାନ୍ତି ଆଗନ୍ତୁକ ପ୍ରତିନିଧି ମାନଙ୍କୁ ସ୍ଵାଗତ ସମ୍ଭାଷଣ ଜଣାଯାଇଥିଲେ। ସମାବେଶକୁ ସମ୍ବୋଧନ କରି ଗଲ୍ଫ ଓଡ଼ିଆ ସମାଜର ସଭାପତି ଅଜୟ କୁମାର ଦାସ, ମାତୃ ପ୍ରଦେଶ ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଗଓଆର ମହତ୍ ଉଦ୍ଦେଶ୍ୟ ଓ ସ୍ଥିରିକୃତ ଭବିଷ୍ୟତ ମାର୍ଗପନ୍ଥା ସଂପର୍କରେ ସୂଚନା ଦେଇଥିଲେ। ‘ ସେବା ହିଁ ସର୍ବୋପରି ‘ ଶୀର୍ଷକ ଲକ୍ଷ୍ୟକୁ ଆଧାରକରି ଗଓଆ ଗତ ପାଞ୍ଚ ବର୍ଷ ଧରି ମଧ୍ୟପ୍ରାଚ୍ୟର ରାଷ୍ଟ୍ର ଗୁଡିକରେ ଓଡ଼ିଶାର ମହାନ ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରିଆସୁଥିବା ସେ ଦର୍ଶାଇଥିଲେ। ଗଓଆର ବିଭିନ୍ନ କାର୍ଯ୍ୟକ୍ରମରେ ସଦାସର୍ବଦା ଆକୁଣ୍ଠ ସମର୍ଥନ ଯୋଗାଇ ଆସୁଥିବାରୁ ଶ୍ରୀ ଦାସ ସାଇ ଆଶୀର୍ବାଦ ଇନଫ୍ରାଟେକ୍ ର ପରିଚାଳନା ନିର୍ଦ୍ଦେଶକ ସୁବୋଧ କୁମାର ରାଉତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଭାଷଣ ପ୍ରଦାନ କରି ମୁଖ୍ୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଗଲ୍ଫ ଅଞ୍ଚଳରେ ବ୍ରାଣ୍ଡ ଓଡ଼ିଶାକୁ ଲୋକପ୍ରିୟ କରିବାରେ ଗଓଆର ସାଧୁ ଉଦ୍ୟମକୁ ଭୂରୀଭୂରୀ ପ୍ରଶଂସା କରିଥିଲେ। ମୁଖ୍ୟତଃ କୋଭିଡ୍ କାଳରେ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ନେଇ ସଭାପତି ଅଜୟ କୁମାର ଦାସଙ୍କର ସକ୍ରୀୟ ନେତୃତ୍ୱରେ ଗଓଆ ଟିମର ଉଲ୍ଲେଖନୀୟ ଯୋଗଦାନର ଶ୍ରୀ ଦ୍ବିବେଦୀ ପ୍ରଶଂସା କରିଥିଲେ। ନିଜର ଅଲୌକିକ ହାସ୍ୟରସ ପ୍ରତିଭା ଓ ପ୍ରତ୍ୟୁତ୍ପମନିତାର ଯାଦୁଗରି ପ୍ରଦର୍ଶନ ପୂର୍ବକ ସମ୍ମାନନୀୟ ଅତିଥି ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା ତାଙ୍କର ବକ୍ତବ୍ୟ ଦ୍ୱାରା ଉପସ୍ଥିତ ଦର୍ଶକ ମାନଙ୍କର ବେଶ୍ ମନୋରଞ୍ଜନ କରିଥିଲେ । ଗଓଆର ସମ୍ପାଦକ ପ୍ୟାରୀ ମୋହନ ମଲ୍ଲିକ ଏକ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ସଂଘର ବହୁବିଧ ସାମାଜିକ ସେବା କାର୍ଯ୍ୟ ସଂକ୍ରାନ୍ତରେ ବିବରଣୀ ପ୍ରଦାନ କରିଥିଲେ। ଇଜି ବ୍ୟାଙ୍କ ଲୋନ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ସହଜ ଓ ସରଳ ଉପାୟରେ ବ୍ୟାଙ୍କ ଋଣ ପ୍ରାପ୍ତ କରିବାର ସୂତ୍ର ଉପରେ ଆଲୋକପାତ କରିଥିଲେ। ଆସିସିଆଇ ବ୍ୟାଙ୍କର ପ୍ରତିନିଧି ମଣ୍ଡଳ ଯଥା ଓଡ଼ିଶା ଜୋନର ମୁଖ୍ୟ ପ୍ରଦୋଷ ରାଉତ, ଆନ୍ତର୍ଜାତିକ ବ୍ୟାପାରର ଦାୟିତ୍ବା ଅଧିକାରୀ ରମଣଦୀପ ସିଂହ ଏବଂ ମାର୍କେଟିଂ ମ୍ୟାନେଜର ରାଜେଶ ପଟ୍ଟନାୟକ ପ୍ରମୁଖଙ୍କୁ ଗଓଆକୁ ବ୍ୟାଙ୍କ୍ ନିରବିଛିନ୍ନ ଭାବେ ସାହାଯ୍ୟ କରି ଆସୁଥିବାରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଗଓଆର ବାର୍ଷିକ ସମାରୋହ ପାଳନ ଅବସରରେ ଓଡ଼ିଶାର ସଂସ୍କୃତି ଜଗତର କଳାକାର ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆର୍.ଏସ. କୁମାର, ଜ୍ୟୋତିର୍ମୟୀ ନାୟକ ଏବଂ ମୌସୁମୀ ଦାସଙ୍କର ସୁମଧୁର ଓ ସୁଲଳିତ ସଙ୍ଗୀତ ଗାୟନ ସମସ୍ତଙ୍କୁ ଗୁଗ୍ଧ କରିଦେଇଥିଲା। ଉଦୀୟମାନ ଓଡ଼ିଶୀ ନୃତ୍ୟଶିଳ୍ପୀ ବେଦାଂଶି ଦାସଙ୍କ ଦ୍ଵାରା ପ୍ରସ୍ତୁତ ଉଚ୍ଚକୋଟୀର ନୃତ୍ୟ ତାଙ୍କର ସୃଜନଶୀଳ କଳାଚାତୁର୍ଯ୍ୟର ସ୍ୱାକ୍ଷର ବହନ କରୁଥିଲା । ଗଓଆର ସାଂସ୍କୃତିକ ସଂପାଦକ ବନ ବିହାରୀ ମହାନ୍ତି ସାଂସ୍କୃତିକ ପ୍ରସ୍ତୁତି ଗୁଡ଼ିକର ଉତ୍ତମ ଉପସ୍ଥାପନାକୁ ତଦାରଖ କରିଥିଲେ। ସୁଦକ୍ଷ ଉପସ୍ଥାପିକା ଅଙ୍କିତା ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଯୋଜନା କରିଥିଲେ। ବାର୍ଷିକ ଉତ୍ସବର ସମଗ୍ର ଆୟୋଜନକୁ ଦକ୍ଷତାର ସହିତ ପରିଚାଳନା ଓ ସଫଳ କାର୍ଯ୍ୟାନ୍ଵୟନ କରିବାରେ ଗଓଆର ଅଗ୍ରଣୀ ସଂଗଠକ ମଣ୍ଡଳୀ ଯଥା ଅଜୟ କୁମାର ଦାସ, ପ୍ୟାରୀ ମୋହନ ମଲ୍ଲିକ, ବିଦ୍ୟା ଭୂଷଣ ମହାନ୍ତି, ବନବିହାରୀ ମହାନ୍ତି, ଅଜିତ ଜେନା, ଜୟନ୍ତ ମହାପାତ୍ର, ମୁସ୍ତାଫା ବେଗ, ଦେବାଶିଷ ରାଉତ, ପ୍ରତାପ ନାୟକ, ବିନୋଦ ବିହାରୀ ସାହୁ, ଶିଶିର ମୁଣ୍ଡ୍, ଏସ କେ ମହାପାତ୍ର, ଦୀନବନ୍ଧୁ ସାମଲ, ବିବେକ ଶିଲ୍ଲେ, ସରୋଜ ପାତ୍ର,ସରୋଜ ଦାସ, ବିପ୍ଳବ ହୋତା ଏବଂ ସନ୍ତୋଷୀ ହୋତା ପ୍ରମୁଖ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥିଲେ।

kalyan agarbati

Comments are closed.