ଛକା ମାରି ଗୁଜରାଟକୁ ଜିତାଇଲେ ତିୱାତିଆ

ମୁମ୍ବଇ : ଚଳିତ ଆଇପିଏଲରେ ନବାଗତ ଗୁଜରାଟ ଟାଇଟାନ୍‌ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଶେଷ ଦୁଇଟି ବଲରେ ଦୁଇଟିୁ ଛକା ମାରି ଗୁଜରାଟକୁ ବିଜୟ ଟିକା ପିନ୍ଧାଇଥିଲେ ରାହୁଲ ତିୱାତିଆ।ପଞ୍ଜାବ କିଙ୍ଗ୍‌ସ ଲିଆମ ଲିଭିଙ୍ଗଷ୍ଟୋନଙ୍କ ୬୪ରନ ସହାୟତାରେ ୧୮୯ରନ କରିଥିଲା। ଜବାବରେ ଗୁଜରାଟ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୦ରନ କରି ବିଜୟୀ ହୋଇଥିଲା। ପ୍ରାରମ୍ଭରୁ ଶୁବମାନ୍‌ ଗିଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଦଳ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଥିଲା। ତେବେ ଶେଷ କିଛି ଓଭରରେ ପଞ୍ଜାବ ଭଲ ବୋଲିଂ କରିବା ସହ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ହେଲେ ଶେଷ ଦୁଇ ବଲ୍‌ରେ ଦୁଇଟି ଛକା ମାରି ତିୱତିଆ ପଞ୍ଜାବ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଗୁଜରାଟ କ୍ରମାଗତ ତୃତୀୟ ବିଜୟ ହାସଲ କରିଥିବାବେଳେ ପଞ୍ଜାବ ୪ର୍ଥ ମ୍ୟାଚରୁ ୨ୟ ପରାଜୟ ବରଣ କରିଛି। ।
୧୯୦ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଗୁଜରାଟର ଦୁଇ ଓପନର ଶୁଭମାନ ଗିଲ୍‌ ଓ ମାଥ୍ୟୁ ୱେଡ୍‌ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ଉଭୟେ ୩.୨ ଓଭରରୁ ୩୨ରନ ସଂଗ୍ରହ କରିଥିଲେ। ୱେଡ୍‌ ୬ରନ କରି ଆଉଟ୍‌ ହୋଇଥିଲେ। ଶୁବମାନ ଗିଲ୍‌ ଓ ସାଇ ସୁଦର୍ଶନ ଦ୍ବିତୀୟ ୱିକେଟ ପାଇଁ ୬୮ଟି ବଲରୁ ୧୦୧ରନ ସଂଗ୍ରହ କରିଥିଲେ। ସ୍କୋର ୧୩୩ରନ ଥିବାବେଳେ ସୁଦର୍ଶନ ୩୫ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟ ପାଇଁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ଗିଲ୍‌ ୩୭ରନ ଯୋଡିଥିଲେ। ସ୍କୋର ୧୭୦ରନ ଥିବାବେଳେ ଗିଲ୍‌ ୫୯ଟି ବଲରୁ ୧ଟି ଛକା ଓ ୧୧ଟି ଚୌକା ସହ ୯୬ରନ କରି ଆଉଟ୍‌ ହୋଇଥିଲେ। ଶେଷ ଓଭରରେ ଗୁଜରାଟକୁ ୧୯ରନ ଆବଶ୍ୟକ ଥିଲା। ଦଳ ୪ଟି ବଲରୁ ୫ରନ କରିଥିବାବେଳେ ଶେଷ ଦୁଇଟି ବଲରୁ ୧୨ରନ କରି ବିଜୟୀ ହୋଇଥିଲା। ହାର୍ଦିକ ପାଣ୍ଡ୍ୟା ୧୮ଟି ବଲରୁ ୨୭ରନ କରି ଆଉଟ୍‌ ହୋଇଥିବାବେଳେ ଡେଭିଡ ମିଲର ୬ ଓ ରାହୁଲ ତିୱାତିଆ ୧୩ରନ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କାଗିସୋ ରାବଡା ୨ଟି ୱିକେଟ ନେଇଥିଲେ।
ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ କିଙ୍ଗ୍‌ସ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୪ରନ ମଧ୍ୟରେ ଦୁଇ ଓପନର ଅଧିନାୟକ ମୟଙ୍କ ଅଗ୍ରୱାଲ(୫)ଓ ଜନି ବେୟାରଷ୍ଟୋ (୮)ଙ୍କ ୱିକେଟ ହରାଇଥିଲା। ଶିଖର ଧାୱନ ଓ ଲିଆମ ଲିଭିଙ୍ଗଷ୍ଟୋନ ତୃତୀୟ ୱିକେଟରେ ୫୨ରନ ଭାଗିଦାରୀ କରିଥିଲେ। ୧୦ ଓଭର ସୁଦ୍ଧା ସ୍କୋର ୮୬ରନ ଥିବାବେଳେ ଧାୱନ ୩୫ରନ କରି ଆଉଟ୍‌ ହୋଇଥିଲେ। ଧାୱନଙ୍କ ୱିକେଟ ପରେ ବ୍ୟାଟିଂ କରିବାକୁ ଆସିଥିବା ଜିତେଶ ଶର୍ମା ଓ ଲିଭିଙ୍ଗଷ୍ଟୋନ ଦ୍ରୁତ ଗତିରେ ରନ କରିଥିଲେ। ଲିଭିଙ୍ଗଷ୍ଟୋନ ୨୧ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ସ୍କୋର ୧୨୪ରନ ଥିବାବେଳେ ୧୪ତମ ଓଭରରେ ଦର୍ଶକ ନିଲକାଣ୍ଡେ କ୍ରମାଗତ ଭାବେ ଦୁଇଟି ବଲରେ ଦୁଇଟି ୱିକେଟ ନେଇଥିଲେ। ଜିତେଶ ୧୧ଟି ବଲରୁ ୨୩ ରନ କରିଥିବାବେଳେ ଓଡେନ ସ୍ମିଥ ଖାତା ଖୋଲି ପାରିନଥିଲେ। ପଞ୍ଜାବ ଶେଷ ୬ ଓଭରରୁ ୬୫ରନ ସଂଗ୍ରହ କରିବା ସହିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୯ରନ କରିବାକୁ ସକ୍ଷମ ହୋଇଥିଲା। ଲିଭିଙ୍ଗଷ୍ଟୋନ ୨୭ଟି ବଲରୁ ୭ଟି ଚୌକା ଓ ୪ଟି ଛକା ସହ ୬୪, ସାହାରୁଖ ଖାନ ୧୫ରନ କରି ଆଉଟ୍‌ ହୋଇଥିବାବେଳେ ରାହୁଲ ଚହର ୨୨ ଓ ଅର୍ଶଦୀପ୍‌ ସିଂହ ୧୦ରନ କରି ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ରସିଦ ଖାନ ୩ଟି ୱିକେଟ ନେଇଥିଲେ।

Comments are closed.