ଟାଇଟାନ୍‌ସକୁ ଟାଇଟଲ

ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ଶ ସଂସ୍କରଣରେ ଚମ୍ପିଆନ୍ ମୁକୁଟ ପିନ୍ଧିଛି ଗୁଜରାଟ ଟାଇଟାନ୍‌ସ। ରବିବାର ବିଶ୍ବର ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ବିଶ୍ବର ଏହି ସର୍ବବୃହତ୍ ଟି୨୦ ଲିଗ୍‌ର ଫାଇନାଲରେ ଗୁଜରାଟ ସହଜରେ ୭ ୱିକେଟରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି। ଚଳିତବର୍ଷ ପ୍ରଥମଥର ଆଇପିଏଲ୍‌ରେ ସାମିଲ ହୋଇଥିବା ଗୁଜରାଟ ଟାଇଟାନ୍‌ସ ପଦାର୍ପଣରେ ଆଇପିଏଲ୍‌ ଚମ୍ପିଆନ୍ ହୋଇପାରିଛି। ପୂରା ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଗୁଜରାଟ ପଏଣ୍ଟ ଟେବୁଲର ଶୀର୍ଷରେ ରହି ତା’ର ସାମର୍ଥ୍ୟ ଦେଖାଇଥିବା ବେଳେ ଫାଇନାଲ ମ୍ୟାଚ୍‌ ଜିତି ତା’ର ପାରିଲାପଣିଆ ଦେଖାଇଛି। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବୋଲିଂରେ ରାଜସ୍ଥାନର ମଧ୍ୟକ୍ରମକୁ ଧ୍ବଂସ କରିଥିବା ବେଳେ ବ୍ୟାଟିଂରେ ଉପଯୋଗୀ ରନ୍‌ ସ୍କୋର୍‌କରି ଗୁଜରାଟକୁ ଟ୍ରଫି ଜିତାଇବାରେ ହିରୋ ସାଜିଛନ୍ତି। ଜୋସ୍ ବଟ୍‌ଲରଙ୍କ ୩୯ ରନ୍ ସତ୍ତ୍ବେ ରାଜସ୍ଥାନ ୯ ୱିକେଟରେ ୧୩୦ ରନ୍‌ କରି ପାରିଥିଲା। ପରେ ଶୁବ୍‌ମାନ ଗିଲ୍‌, ହାର୍ଦିକ ପାଣ୍ଡ୍ୟା ଓ ଡେଭିଡ୍‌ ମିଲରଙ୍କ ଉପଯୋଗୀ ଇନିଂସ ବଳରେ ୧୮.୧ ଓଭରରେ ୩ ୱିକେଟ ହରାଇ ଗୁଜରାଟ ଟାଇଟାନ୍‌ସ ବିଜୟୀ ହୋଇଥିଲା। ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଚମ୍ପିଆନ୍ ହୋଇଥିବା ରାଜସ୍ଥାନ ୨ୟ ଥର ଫାଇନାଲରେ ପହଞ୍ଚିଥିଲେ​‌ ହେଁ ଟ୍ରଫି ହାତେଇ ପାରିନାହିଁ।
୧୩୧ ରନ୍‌ ଲକ୍ଷ୍ୟରେ ଗୁଜରାଟ ଟାଇଟାନ୍‌ସ ମଧ୍ୟ ସହଳ ଦୁଇଟି ୱିକେଟ୍‌ ହରାଇଥିଲା। ଋଦ୍ଧିମାନ ଶାହା ୫ ଓ ମାଥ୍ୟୁ ୱେଡ୍‌ ୮ ରନ୍‌କରି ବିଦାୟ ନେଇଥିଲେ। ୨୩ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ଶୁବ୍‌ମାନ ଗିଲ୍‌ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଧୀରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ସେଟ୍‌ ହେବା ପରେ ଦୁହେଁ ଦର୍ଶନୀୟ ସଟ୍‌ସବୁ ଖେଳିଥିଲେ। ୩ୟ ୱିକେଟ ପାଇଁ ଗିଲ୍‌ ଓ ପାଣ୍ଡ୍ୟା ୬୩ ରନ୍‌ ଯୋଡ଼ିଥିଲେ। ପାଣ୍ଡ୍ୟା ୩୦ ବଲ୍‌ରୁ
ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌ କରିଥିଲେ। ପରେ ଶୁବ୍‌ମାନ ଗିଲ୍‌ ଓ ଡେଭିଡ୍‌ ମିଲର ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ଦ୍ରୁତ ୪୭ ରନ୍‌ ଯୋଡ଼ିଥିଲେ। ଗିଲ୍‌ ୪୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୫ ରନ୍‌ ଏବଂ ମିଲର ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ।
ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂ ନେଇଥିଲା। ଗତ ମ୍ୟାଚ୍‌ ପରି ରାଜସ୍ଥାନର ଦୁଇ ଓପ୍‌ନର ଯଶସ୍ବୀ ଜୟସୱାଲ ଓ ଜୋସ୍ ବଟ୍‌ଲର ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲେ। ୪ ଓଭରରେ ୩୧ ରନ୍‌ ସ୍କୋର୍ ଥିବା ବେଳେ ବାମହାତି ଜୟସୱାଲ ୧୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବଟ୍‌ଲର ଓ ଅଧିନାୟକ ସଞ୍ଜୁ ସାମ୍‌ସନ ୨୯ ରନ୍‌ ଯୋଡ଼ିଥିଲେ। ପୁଣି ସେଟ୍‌ ହେବା ପରେ ୱିକେଟ୍‌ ଫିଙ୍ଗିଥିବା ସାମ୍‌ସନ ୧୧ ବଲ୍‌ରୁ ୧୪ ରନ୍‌ କରିଥିଲେ। ଏହାପରେ ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ପରବର୍ତ୍ତୀ ୭୦ ରନ୍‌ରେ ୮ଟି ୱିକେଟ ପଡ଼ିଥିଲା। ଦେବଦତ୍ତ ପାଡିକଲ ୨ ରନ୍‌ କରିଥିଲେ। ୨୦୨୨ ସଂସ୍କରଣରେ ୪ଟି ଶତକ ସହ ସର୍ବାଧିକ ରନ୍‌ କରିଥିବା ଜୋସ୍‌ ବଟ୍‌ଲର ୩୫ ବଲ୍‌ରୁ ୫ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଯିବା ରାଜସ୍ଥାନ ପାଇଁ ଶକ୍ତ ଧକ୍କା ଥିଲା। ଘରୋଇ ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂକରି ରାଜସ୍ଥାନର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ସିମ୍ରନ୍ ହେତ୍‌ମେୟର ୧୨ ବଲ୍‌ରୁ ୧୧, ରବିଚନ୍ଦ୍ରନ ଅଶ୍ବିନ ୬, ରିୟାନ୍ ପରାଗ ୧୫ ବଲ୍‌ରୁ ୧୫, ଟ୍ରେଣ୍ଟ ବୋଲ୍‌ଟ ୭ ବଲ୍‌ରୁ ୧୧ ଓ ଓବେଡ୍‌ ମ୍ୟାକ୍‌କୟ ୮ ରନ୍‌ କରିଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ରାଜସ୍ଥାନ ଫାଇନାଲରେ ଘୁଷୁଡ଼ି ଘୁଷୁଡ଼ି ୧୩୦ ରନ୍‌ରେ ପହଞ୍ଚିଥିଲା। ହାର୍ଦିକ ପାଣ୍ଡ୍ୟା ମାତ୍ର ୧୭ ରନ୍‌ଦେଇ ୩ଟି ୱିକେଟ ନେଇଥିଲେ। ଆର୍. ସାଇକିଶୋର ୨ଟି ୱିକେଟ ପାଇଥିଲେ।

kalyan agarbati

Comments are closed.