ଜିଆରଏସ୍ଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା
କେନ୍ଦୁଝରଗଡ : ସଦର ବ୍ଲକ ବାଉରିପଦା ପଞ୍ଚାୟତରେ ଗତ ସ୍ୱାଧୀନତା ଦିବସ ପରିପ୍ରେକ୍ଷିରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ସମୟରେ କାଠକରଞ୍ଜିଆ ଗ୍ରାମର ଦିଲ୍ଲୀପ କୁମାର ରାୟ କାହିଁକି ତାଙ୍କ ନାମ ଆବାସ ଯୋଜନାରୁ ବାଦ୍ ଦିଆଗଲା କହି ହଠାତ୍ ଗ୍ରାମ ରୋଜଗାର ସେବକ ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ଘଟଣା ପରେ ଆକ୍ରମଣର ଶୀକାର ଜିଆରଏସ୍ ଶ୍ରୀ ମହାନ୍ତଙ୍କ ସମେତ ସଦର ବ୍ଲକର ବହୁ ଜିଆରଏସ୍ ଅଗଷ୍ଟ ୧୬ ତାରିଖ ଏ ସମ୍ପର୍କରେ ସଦର ବିଡିଓଙ୍କୁ ଲିଖିତ ଭାବେ ଅବଗତ କରିବା ସହ ଆକ୍ରମଣକାରୀ ଯୁବକଙ୍କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଇତିମଧ୍ୟରେ ଘଟଣାର ୬ଦିନ ବିତିଯାଇଥିଲେ ହେଁ ଅଭିଯୁକ୍ତକୁ ଗିରଫ କରାନଯିବାରୁ ସଦର ବ୍ଲକ ଜିଆରଏସ୍ ସଂଘ ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଜିଆରଏସ୍ ସୋମନାଥ ମହାନ୍ତ, ଦେବାଶିଷ ରାଉତ, ଚିତ୍ତରଞ୍ଜନ ମାର୍ଡି, ବଳଭଦ୍ର ମହାକୁଡ, ବୃନ୍ଦାବନ ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ଜିତେନ୍ଦ୍ର କୁମାର ମହାନ୍ତ, ବେଣୁଧର ମହାନ୍ତ, ପ୍ରମିଳା ବାରିକ, ସନ୍ଧ୍ୟାରାଣୀ ଗାର୍ଡିଆ ପ୍ରମୁଖ ସୋମବାର ସଦର ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟ ସମୟରେ ଜିଆରଏସ୍ଙ୍କୁ ସୁରକ୍ଷା ପ୍ରଦାନ ସହ ଅଗଷ୍ଟ ୧୫ ତାରିଖରେ ଜିଆରଏସ୍ ସୋମନାଥଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଯାଏଁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବା ସହ ଆଗାମୀ ଦିନରେ ଜିଲାବ୍ୟାପୀ ସମସ୍ତ ବ୍ଲକର ଜିଆରଏସ୍ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଜିଆରଏସ୍ ବଳଭଦ୍ର ମହାକୁଡ କହିଛନ୍ତି।
Comments are closed.