ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ତଳଗଡ ଗ୍ରାମରେ ଏକ ପୋଖରୀ ଖୋଳା ଚାଲିଥିଲା । ମେସିନ ଦ୍ୱାରା ପୋଖରୀ ଖୋଳା କାର୍ଯ୍ୟ କରୁଥିବା ଵେଳେ ଠିକାଦାର ସେହି ଗ୍ରାମର ଵିନୋଦ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ସ୍ଥିତିବାନ ଜମିରୁ ଟ୍ରାକ୍ଟରରେ ମାଟି ଉଠାକୁ ସେ ବିରୋଧ କରିଥିଲେ । ଫଳରେ ଠିକା କାମ କରୁଥିବା ଶଶଧର ସ୍ବାଇଁ, କାଶୀନାଥ ସ୍ଵାଇଁ, ଭାସ୍କର ସ୍ବାଇଁ, ସୁବାସ ଚନ୍ଦ୍ର ମହାନ୍ତି ଓ ଗତିକୃଷ୍ଣ ସ୍ବାଇଁ ପ୍ରମୁଖ ସୋମବାର ସନ୍ଧ୍ୟା ବେଳେ ଵିନୋଦ ମହାରଣାଙ୍କୁ ତାଙ୍କ ଘରେ ପଶି ଠେଙ୍ଗା, ଲୁହା ରଡ଼ ଓ ବୋତଲ ଆଦିରେ ଆକ୍ରମଣ କରି ଥିବା ଅଭିଯୋଗ ହୋଇଛି।
ଅନ୍ୟ ପକ୍ଷରେ ତଳଗଡ ରାମ ମନ୍ଦିର ନିକଟରେ ନଳକୂପ ଖୋଳାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଦୁଇ ଶହ ଫୁଟ ଖୋଳା ହେବା ପରେ ମଧ୍ୟ ପାଣି ନପଡ଼ିବା ଯୋଗୁଁ ଗୋଟିଏ ଗୋଷ୍ଠୀ ଏହାକୁ ବନ୍ଦ କରିବାକୁ ଚାହୁଁଥିବାବେଳେ ଅନ୍ୟ ଗୋଷ୍ଠୀ ଖୋଳା ଚାଲୁ ବୋଲି ଚାହିଁଥିଲେ । ଏଥିପାଇଁ ଉଭୟ ଗୋଷ୍ଠୀଙ୍କ ପତିଆରା ଜାହିର ପାଇଁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଖବର ପାଇ ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ନଳକୂପ ଖୋଳା ମାମଲା ଥଣ୍ଡା ପଡିଵା ବେଳକୁ ଵିନୋଦ ମହାରଣାଙ୍କୁ ଆକ୍ରମଣ ହୋଇଥିଲା । ଗ୍ରାମବାସୀ ମାନେ ସମସ୍ତେ ଏକାଠି ଥିବା ବେଳେ ଉଭୟ ଘଟଣା ଯୋଗୁଁ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ପୁଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । ଫଳରେ ଆଇଆରବି ଷଷ୍ଠ ବାଟାଲିୟନର କନଷ୍ଟେବଳ ସୁଶାନ୍ତ କୁମାର ସାହୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ପ୍ରଥମେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆ ଯାଇ ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡରେ ଗୁରୁତର ଆଘାତ ଲାଗି ଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୋଷ୍ଠୀ ସଂଘର୍ଷରେ ସେହି ଗ୍ରାମର ସଭାପତି ବିଜୟ କୁମାର ମହାପାତ୍ର ସମାଧାନ କରିବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା, ରବିନ୍ଦ୍ର ବେହେରା, ଅରୁଣ ବେହେରା, ଵୁନୁ ବେହେରା ଆହତ ହୋଇଥିବା ଜଣାପଡିଛି । ଏମାନେ ସମସ୍ତେ ଆଠଗଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଆଠଗଡ଼ ପୁଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଫୋର୍ସ ମୁତୟନ କରାଯାଇଛି । ଖବର ଲେଖା ହେଲା ବେଳକୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି।
Comments are closed.