ଦୀପାବଳୀ ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା

ସବୁଜ ବାଣ ବ୍ୟବହାର ପାଇଁ ଅନୁରୋଧ

ଡେସ୍କ : ରବିବାର ଦୀପାବଳୀ ଓ କାଳୀପୂଜା । ଏହି ଅବସରରେ ଦେବୀପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ପଡିଛି । ପୂଜା ମଣ୍ଡପ, ମନ୍ଦିର ଓ ଘର ଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀକୁ ପରିବେଶ ଅନୁକୂଳ ଭାବେ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।
ବିଶେଷକରି ଶୀତଦିନରେ ପ୍ରଦୂଷଣର ପରିମାଣ ବୃଦ୍ଧିକୁ ଦେଖି ପ୍ରଚଣ୍ଡ ଶବ୍ଦଯୁକ୍ତ ଓ ବିଷାକ୍ତ ଧୂଆଁ ସୃଷ୍ଟିକାରୀ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି । ବେରିୟମ ସଲ୍ଟ ଓ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ବାଣକୁ ନ ଫୁଟାଇବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । କେବଳ ସବୁଜ ବାଣକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଏନେଇ ରାଜ୍ୟ ସରକାରଙ୍କ ତଦନୁଯାୟୀ ମାର୍ଗଦର୍ଶିକା ଜାରି କରାଯାଇଛି। ରାତି ୧୦ଟା ପରେ କେହି ବାଣ ନ ଫୁଟାଇବା ଲାଗି ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏପରିକି ପ୍ରଚଣ୍ଡ ଶବ୍ଦ ସୃଷ୍ଟିକାରୀ ବାଣ ବିଦ୍ୟାଳୟ, ହସ୍ପିଟାଲ, ନର୍ସିଂହୋମ୍‌‌, ବୟସ୍କଙ୍କ ଆଶ୍ରୟସ୍ଥଳ, ସଡ଼କ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ନ ଫୁଟାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଯାତ୍ରୀବାହୀ ବସ୍‌‌ରେ ବାଣ ପରିବହନକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି । ଯଦି ଏହି ଆଦେଶ ଅମାନ୍ୟ କରାଯାଏ, ତେବେ ସମ୍ପୃକ୍ତ ଯାନବାହନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।
ଭଦ୍ରକ, ଯାଜପୁର ଓ ପୁରୀରେ କାଳୀ ପୂଜା ପାଇଁ  ବିଶେଷ ଆୟୋଜନ କରାଯାଇଥିବା ଜଣାପଡିଛି।

Comments are closed.