ସୂର୍ଯ୍ୟ ମନ୍ଦିର ଚାରିପଟେ ଜିପିଆର୍ ସର୍ଭେ

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍ ସର୍ଭେ ଆରମ୍ଭ ହୋଇଛି ।  ହାଇଦ୍ରାବାଦର ନ୍ୟାସନାଲ୍ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ ଆରମ୍ଭ କରାଯାଇଛି । ଏନେଇ ଏଏସଆଇ ଅଧିକ୍ଷକ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ସର୍ଭେ କାମରେ ଓ୍ବେବ ଜରିଆରେ ଭୂତଳର ୧୫ ମିଟର ଯାଏଁ ସ୍କାନିଂ ହେଉଛି । ଯଦି ମାଟି ତଳେ ପ୍ରାଚୀନ ଐତିହ୍ୟ ସନ୍ଧାନ ମିଳେ ତେବେ ତାର ପୁନରୁଦ୍ଧାର ହେବ ବୋଲି ଗଡନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ ୧୮୯୬ ମସିହାରେ କୋଣାର୍କ ମନ୍ଦିର ବର୍ହି ପାର୍ଶ୍ବରେ ଥିବା  ନବଗ୍ରହ ପାଟକୁ ଦୁଇଗଡ କରିଦିଆଯାଇ ଏହାକୁ କଲିକତା ସଂଗ୍ରହାଳୟକୁ ନିଆଯିବାଲାଗି ବିଫଳ ଉଦ୍ୟମ କରାଯାଇଥିଲା । ସାମ୍ନା ପଟ ନବଗ୍ରହ ପାଟ ବର୍ତ୍ତମାନ ପୂଜା ପାଉଥିବାବେଳେ ଏହି ପ୍ରସ୍ତର ଖଣ୍ଡର ପଛ ଅଂଶ ବହୁତ ଦିନ ପର୍ଯ୍ୟନ୍ତ ବାଲି ତଳେ ଲୁଚି ରହିଥିଲା  । ପରବର୍ତ୍ତୀ ସମୟରେ ବାଲି ତଳୁ ଏହି ବିଶାଳ ପଥରଖଣ୍ଡକୁ ଉଦ୍ଧାର କରାଯାଇ ଏହା ନବଗ୍ରହ ପାଟର ପଛ ଅଂଶ ବୋଲି ଚିହ୍ନଟ କରାଯାଇଥିଲା । ଏଭଳି ଅନେକ ମୂଲ୍ୟବାନ ମୂର୍ତ୍ତି ଓ ପ୍ରସ୍ତର ଖଣ୍ଡ କୋଣାର୍କ ପରିସରରେ ବାଲି ତଳେ ବା ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ସେଥିପାଇଁ ଏଏସଆଇ ପକ୍ଷରୁ ଏହାର ପରିସରରେ ଜିଓ ଫିଜିକାଲ ସର୍ଭେ ଆରମ୍ଭ ହୋଇଛି ।

Comments are closed.