ଫୁଲବାଣୀ: ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋକ୍ସୋ ଅଦାଲତ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀକୁ ୬୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି। ଦୋଷୀ ଜଣକ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଗୋଛାପଡ଼ା ଥାନା ଅଞ୍ଚଳର ଦେବରାଜ ଦିଗାଲ(୬୧)।
ସୂଚନା ପ୍ରକାରେ, ଗତ ୫.୨.୨୦୨୩ ତାରିଖରେ ପୀଡ଼ିତାଙ୍କ ପରିବାର ତାଙ୍କର ବଡ଼ଝିଅ ଘରକୁ ବୁଲିବାକୁ ଯାଇଥିବାବେଳ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ରାତି ପ୍ରାୟ ୮ ଘଟିକା ସମୟରେ ଏକୁଟିଆ ଥିବା ପୀଡ଼ିତାଙ୍କ ଘରେ ପହଞ୍ଚି ଚତୁରତାର ସହିତ ବାହାରକୁ ଡାକିଥିଲେ। ପୀଡ଼ିତା ଜଣକ କବାଟ ଖୋଲିବା ପରେ ଅଭିଯୁକ୍ତ ଜୋର ଜବରଦସ୍ତ ପାଟିବନ୍ଦ କରିବା ସହିତ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ସେ ପୀଡ଼ିତାଙ୍କୁ ଜଙ୍ଗଲ ମଧ୍ୟରେ ରଖି ଦୁଷ୍କର୍ମ କରିବା ସହିତ ଏନେଇ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପୀଡ଼ିତାଙ୍କ ବାପା-ମାଆ ଘରକୁ ଫେରିବା ପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ଜଣାଇଥିଲେ। ପୀଡ଼ିତାଙ୍କ ବାପା ଏନେଇ ଗୋଛାପଡ଼ା ଥାନାରେ ୧୦.୨.୨୩ରେ ଏକ ଏତଲା ଦେଇଥିଲେ। ପୁଲିସ୍ କେସ ନଂ ୨୬ା୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦେବରାଜ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସୋମବାର ଏହି ମାମଲାର ଶୁଣାଣି କରି ୧୬ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ବିଚାରପତି ରାଜେଶ ଦାସ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।



